ପେଟା ଘାଟିରୁ ୩୦୦ ଫୁଟ ତଳକୁ ଖସିଲା କାଠ ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
Published By: Ruby – Prameya-News7 Bureau | November 01, 2025 12:03 PM
NEWS7
ବୈପାରୀଗୁଡା ୧।୧୧: ଘାଟିରୁ ୩ ଶହ ଫୁଟ ତଳକୁ ଖସିଲା ଟ୍ରକ୍ । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଟ୍ରକ୍ ଡ୍ରାଇଭର l ଏଭଳି ଦୁର୍ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅନ୍ତର୍ଗତ ପେଟା ଘାଟିରେ l
ସୂଚନାଯୋଗ୍ୟ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ଏକ କାଠ ବୋଝେଇ ଟ୍ରକ୍ ଲମତାପୁଟ ଠାରୁ ଆନ୍ଧ୍ରପ୍ରଦେଶର ଭଦ୍ରାଚାଲାମ ଅଭିମୁଖେ ଯାଉଥିଲା l କୋଟା ଛକ ପେଟା ଘାଟି ମନ୍ଦିର ନିକଟ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ୩ ଶହ ଫୁଟ ତଳକୁ ଖସିଗଲା ଟ୍ରକ୍ l ଦୁର୍ଘଟଣା ସମୟରେ ଗାଡ଼ିରେ ଡ୍ରାଇଭର ଏକା ଥିଲେ । ଦୁର୍ଘଟଣାରୁ ସେ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡିଛି l ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି l
ପେଟା ଘାଟିରେ ବାରମ୍ବାର ଏଭଳି ଦୁର୍ଘଟଣାମାନ ଘଟୁଛି l ୩ ମାସ ଭିତରେ ୨ଟି ମାଣ୍ଡିଆ ଟ୍ରକ୍, ୨ଟି କାଠ ଟ୍ରକ୍, ୨ଟି ଚାଉଳ ଟ୍ରକ୍ ଦୁର୍ଘଟଣା ଘଟିଥିବା ସୂଚନା ରହିଛି l ଆରଡି ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି l




