ଭୁବନେଶ୍ବର ୧୧।୧୦: ବିଜେପିରେ ମିଶିଛନ୍ତି ନୂଆପଡ଼ାର ପୂର୍ବତନ ବିଜେଡି ବିଧାୟକ ସ୍ଵର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଜୟ ବିଜେପି ଦଳରେ ସାମିଲ ହୋଇଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପିତାଙ୍କ ରୁଣ ପୁତ୍ର ସୁଝିଥାଏ । ପିତାଙ୍କ ଅଧୁରା ସ୍ବପ୍ନ ପୁଅ ପୂରା କରିବ । ଜୟ ଢୋଲକିଆଙ୍କ ସମେତ ତାଙ୍କ ପରିବାର ଏବଂ ସମର୍ଥକଙ୍କୁ ସ୍ୱାଗତ । ଆଜି ଆମ ପାଇଁ ଏକ ଗୌରବର ମୁହୂର୍ତ୍ତ । ବିଜେପିର ନୀତି, ଆଦର୍ଶ, ବିଚାର ଏବଂ ପ୍ରଗତିର ବାସ୍ତବ ଚିତ୍ରକୁ ଦେଖିକି ଅନେକ ଲୋକ ଦଳରେ ମିଶିବାର ଦୃଷ୍ଟାନ୍ତ ଆଗରୁ ମଧ୍ୟ ରହିଛି । ସେହିଭଳି ଜଣେ ନେତା ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁତ୍ର ତାଙ୍କ ପିତାଙ୍କ ଦେହାନ୍ତ ପରେ ଆଜି ବିଜେପିରେ ସାମିଲ ହୋଇଛନ୍ତି । ଜୟ ଢୋଲକିଆ ନିଶ୍ଚିତ ବିଚାର କରିଥିବେ କି ବିଗତ ୧୬ ମାସ ଭିତରେ ବିଜେପି ସରକାର ନିଜର ସମସ୍ତ ପ୍ରତିଶୃତି ପୂରଣ କରିଛି । ଆମ ଦଳର ଆଭିମୁଖ୍ୟ କଥାରେ ନୁହେଁ କାମରେ କରି ଦେଖେଇବା । ସୁ-ଶାସନ ଆମ ଦଳକୁ ଅଧିକ ମଜଭୁତ କରିଛି । ଜୟ ଢୋଲକିଆଙ୍କ ବିଜେପିରେ ଯୋଗଦାନ ଓଡ଼ିଶା ସମେତ ବିଶେଷ ଭାବରେ ନୂଆପଡ଼ା ପାଇଁ ଗୁରୁତ୍ୱପୂର୍ଣ୍ଣ । ଆମ ଦଳର ସମସ୍ତ ସଦସ୍ୟଙ୍କ ସହମତିରେ ଜୟ ଢୋଲକିଆଙ୍କୁ ଦଳ କୋଳେଇ ନେଇଛି ।
ମୁଁ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳି ସଭାକୁ ମଧ୍ୟ ଯାଇଥିଲି । ନୂଆପଡାରେ ସ୍ବର୍ଗତ ରାଜୁ ବାବୁଙ୍କ ଅନେକ ସ୍ବପ୍ନ ଅଧୁରା ରହିଯାଇଛି । ତାଙ୍କର ଅନେକ ରାଜନୈତିକ ପ୍ରତିଦ୍ବନ୍ଦୀ ଥିଲେ ମାତ୍ର କେହି ଶତ୍ରୁ ନଥିଲେ । ପୂର୍ବ ସରକାରକୁ ପୁଣି ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ । ସ୍ବର୍ଗତ ରାଜୁ ବାବୁ ଅନେକ ସମସ୍ୟାର ସମାଧାନ ପାଇଁ ଯାଇ ଅସହାୟ ମନେ କରୁଥିଲେ । କାରଣ ସେ ସମୟରେ ସମସ୍ତ ମନ୍ତ୍ରୀ ନିଜକୁ ଅସହାୟ ମନେ କରୁଥିଲେ । ନିଜ ଦଳର ସରକାର ଥାଇ, ନିଜେ ଜଣେ ବରିଷ୍ଠ ନେତା ହୋଇ ମଧ୍ୟ ଅନେକ ସମୟରେ ସ୍ବର୍ଗତ ଢୋଲକିଆ ନିଜ ଅଞ୍ଚଳର ଲୋକଙ୍କର ସମସ୍ୟା ସମାଧାନ କହିବାକୁ ଯାଇ ଅସହାୟ ହୋଇଥିଲେ । ଯେଉଁଥିପାଇଁ ମୁଁ ସ୍ବର୍ଗତ ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳି ସଭାରେ କହିଥିଲି ନୂଆପଡାର ବିକାଶ ପାଇଁ ମୋତେ ବାରମ୍ବାର ନୂଆପଡା ଆସିବାକୁ ପଡିବ । ନୂଆପଡାର ବିକାଶର ସ୍ବପ୍ନ ପୁରା କରିବ ବିଜେପି ।
ଆମ ସରକାର କୌଣସି ପ୍ରଲୋଭନ ଦେଖାଇନାହିଁ କି ଜୋରଜବରଦସ୍ତି ଆଣି ଦଳରେ ଜୟ ଢୋଲକିଆଙ୍କୁ ମିଶାଇ ନାହିଁ । ସେ ନିଜେ ନିଜ ସ୍ୱ-ଇଚ୍ଛାରେ ଦଳରେ ସାମିଲ ହୋଇଛନ୍ତି । କେନ୍ଦ୍ର ସ୍ୱୀକୃତି ପରେ ଜଣେ ଯୁବ ନେତୃତ୍ୱ ଆଜି ଦଳରେ ସାମିଲ ହୋଇଛନ୍ତି । ନୂଆପଡା ବିଧାନସଭା ଉପନିର୍ବାଚନରେ ଜୟ ଢୋଲକିଆ ପ୍ରମୁଖ ଭୂମିକା ନେଇ ସେ ନୂଆପଡାର ବିକାଶ କରିବେ ବୋଲି ମୋର ଆଶା ଓ ବିଶ୍ୱାସ ।




