ପୁନଃନିର୍ଦ୍ଧାରଣ ବିଲ୍ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ, ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ପାଇଁ କଲେ ଦାବି

ପୁନଃନିର୍ଦ୍ଧାରଣ-ବିଲ୍-ପ୍ରସଙ୍ଗରେ-ମୁଖ୍ୟମନ୍ତ୍ରୀ-ମୋହନ-ମାଝୀଙ୍କୁ-ଚିଠି-ଲେଖିଲେ-ନବୀନ-ପଟ୍ଟନାୟକ,-ସ୍ୱତନ୍ତ୍ର-ବିଧାନସଭା-ଅଧିବେଶନ-ପାଇଁ-କଲେ-ଦାବି

ଭୁବନେଶ୍ବର: ପୁନଃନିର୍ଦ୍ଧାରଣ ପ୍ରକ୍ରିୟାକୁ ନେଇ ଓଡ଼ିଶା ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗରେ ଗୁରୁତର ଉଦବେଗ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଜରୁରୀ ପତ୍ର ଲେଖିଛନ୍ତି। ଏଥିରେ ନବୀନ କହିଛନ୍ତି, କେନ୍ଦ୍ର ସରକାର ଆଣିବାକୁ ଯାଉଥିବା ‘ସମ୍ବିଧାନ (୧୩୧ତମ ସଂଶୋଧନ) ବିଲ୍, ୨୦୨୬’ ଦ୍ୱାରା ଲୋକସଭା ଆସନ ସଂଖ୍ୟା ୮୫୦କୁ ବୃଦ୍ଧି ପାଇଲେ ମଧ୍ୟ ଓଡ଼ିଶାର ସାମଗ୍ରିକ ପ୍ରତିନିଧିତ୍ୱ ହ୍ରାସ ପାଇବ। ବର୍ତ୍ତମାନ ସଂସଦରେ ଓଡ଼ିଶାର ଅଂଶଧନ ୩.୯% ଥିବା ବେଳେ ଏହା ୩.୪%କୁ ଖସି ଆସିବ, ଯାହାକି ରାଜ୍ୟର ରାଜନୈତିକ କ୍ଷମତାରେ ପ୍ରାୟ ୧୫% କ୍ଷତି ବୋଲି ସେ ଦର୍ଶାଇଛନ୍ତି। ଜନସଂଖ୍ୟା ନିୟନ୍ତ୍ରଣ ଓ ବିକାଶ କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଥିବା ଓଡ଼ିଶା ଭଳି ପ୍ରଗତିଶୀଳ ରାଜ୍ୟକୁ ଏହାଦ୍ୱାରା ଦଣ୍ଡିତ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।

ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଇବାକୁ ନବୀନ ପଟ୍ଟନାୟକ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶାର ୪.୫ କୋଟି ଜନତାଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏବଂ ରାଜ୍ୟର ରାଜନୈତିକ ଅଧିକାରର ସୁରକ୍ଷା ପାଇଁ ଏକ ସର୍ବସମ୍ମତ ସଂକଳ୍ପ ପାରିତ ହେବା ଜରୁରୀ। ମହିଳା ସଂରକ୍ଷଣ ବିଲ୍କୁ ବିଜେଡି ସମର୍ଥନ କରୁଥିଲେ ମଧ୍ୟ ଏହାର ଆଢୁଆଳରେ ଓଡ଼ିଶାର କ୍ଷମତାକୁ କ୍ଷୁର୍ଣ୍ଣ କରାଯିବା ସଂଘୀୟ ବ୍ୟବସ୍ଥା ବିରୋଧୀ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଯଦି ଆମେ ଏହାର ପ୍ରତିବାଦ ନକରିବା, ତେବେ ଭବିଷ୍ୟତର ଓଡ଼ିଆ ପିଢ଼ି ଆମକୁ କ୍ଷମା କରିବେ ନାହିଁ ବୋଲି କହିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଜଣେ ଓଡ଼ିଆ ଭାବେ ରାଜ୍ୟର ସ୍ୱାର୍ଥ ପାଇଁ କଠୋର ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି ନବୀନ।

Also Read: ବିଜେପି ସରକାରକୁ ବିଜେଡିର ଟାର୍ଗେଟ, କହିଲେ- ନାରୀ ଶକ୍ତି ବନ୍ଦନ ଅଧିନିୟମ ନାଁରେ ଭୁଆଁ ବୁଲାନଯାଉ…

Scroll to Top