ପୁଣ୍ୟତିଥିରେ ଅକ୍ଷୟ ମହାନ୍ତିଙ୍କ ପ୍ରତି ଅବହେଳା, ବିକୃତ ଅବସ୍ଥାରେ ଓଡ଼ିଆ ସଙ୍ଗୀତ ଜଗତର ସମ୍ରାଟଙ୍କ ପ୍ରତିମୂର୍ତ୍ତି
Published By: Chikun – Prameya-News7 Bureau | November 17, 2025 04:42 PM
NEWS7
କଟକ: ସୋମବାର ଓଡ଼ିଆ ସଙ୍ଗୀତ ଜଗତର ସମ୍ରାଟ ଅକ୍ଷୟ ମହାନ୍ତିଙ୍କର ୨୩ ତମ ପୁଣ୍ୟ ତିଥି। ହେଲେ ପୁଣ୍ୟ ତିଥିରେ ଦେଖିବାକୁ ମିଳିଛି ଅକ୍ଷୟ ମହାନ୍ତିଙ୍କ ପ୍ରତି ଚରମ ଅବହେଳା। ତାହାବି ଅକ୍ଷୟଙ୍କ କର୍ମଭୂମି କଟକରେ। ପୁଣ୍ୟତିଥିରେ ବନ୍ଦ ପଡ଼ିଛି କଟକ କନିକା ଛକ ଠାରେ ଅକ୍ଷୟ ମହାନ୍ତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରତିଷ୍ଠା ହୋଇଥିବା ଅକ୍ଷୟ ମହାନ୍ତି ସ୍ମୃତି ଉଦ୍ୟାନ।
ତେବେ ପୂର୍ବାହ୍ନ ୧୦ଟା ବେଳକୁ କିଛି ଅକ୍ଷୟ ପ୍ରେମୀ ଶ୍ରଦ୍ଧାଞ୍ଜଳି ଦେବାକୁ ଆସିବା ପରେ ପାର୍କର ତାଲା ଖୋଲିଥିଲା। ପ୍ରଶାସନ କିମ୍ବା ଜନପ୍ରତିନିଧି କେହି ଅକ୍ଷୟ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଆସିନଥିଲେ। ସେହିପରି ସିନେ ଜଗତ କିମ୍ବା ସଙ୍ଗୀତ ଜଗତର କେହି ମଧ୍ୟ ଅକ୍ଷୟ ମହାନ୍ତିଙ୍କ ସ୍ମୃତି ଦିବସରେ ଶ୍ରଦ୍ଧାଞ୍ଜଳି ଦେବାକୁ ଆସିନଥିଲେ।
ଖାଲି ସେତିକି ନୁହେଁ ପାର୍କ ଫାଟକ ଖୋଲିବା ପରେ ଅକ୍ଷୟ ମହାନ୍ତିଙ୍କ ପ୍ରତିମୂର୍ତ୍ତିଟି ସମ୍ପୂର୍ଣ୍ଣ ବିକୃତ ହୋଇଯାଇଥିବା ଦେଖିବାକୁ ମିଳିଥିଲା। କେବଳ କିଛି ହାତଗଣତି ଅକ୍ଷୟ ପ୍ରେମୀ ସ୍ମୃତି ଉଦ୍ୟାନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଦେବା ସହ ପ୍ରଶାସନିକ ଅବହେଳାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେପଟେ ଅକ୍ଷୟ ପ୍ରେମୀ ମାନେ ଅକ୍ଷୟ ମହାନ୍ତିଙ୍କ ପାଇଁ ମରଣୋତ୍ତର ପଦ୍ମ ପୁରସ୍କାର ସହ ଅକ୍ଷୟ ମହାନ୍ତିଙ୍କୁ ଭାରତ ରତ୍ନ ଦେବା ପାଇଁ ଦାବି କରିଛନ୍ତି।




