ପୁଣେ ମୁନ୍ଧବା ଜମି କାରବାର ମାମଲା, ଅଜିତ ପାୱାର କହିଲେ- ଏବେବି ବୁଝିପାରୁନି କେମିତି ହେଲା..

ପୁଣେ-ମୁନ୍ଧବା-ଜମି-କାରବାର-ମାମଲା,-ଅଜିତ-ପାୱାର-କହିଲେ-ଏବେବି-ବୁଝିପାରୁନି-କେମିତି-ହେଲା.

ପୁଣେ ୯।୧୧: ପୁଣେ ମୁନ୍ଧବା ଅଞ୍ଚଳରେ ୪୦ ଏକର ଜମିକୁ ୩୦୦ କୋଟି ଟଙ୍କାରେ ବିକ୍ରି ନେଇ  ମହାରାଷ୍ଟ୍ର ରାଜନୀତି ଏବେ ସରଗରମ। ଏହି ଜମି ଏକ ଏପରି କମ୍ପାନୀ କିଣିଛି ଯେଉଁଥିରେ ଏନସିପି ନେତା ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପୁଅ ପାର୍ଥ ପାୱାର ପାର୍ଟନର ଅଛନ୍ତି। ଏ ନେଇ ରୁଜୁ ହୋଇଥିବା ଏଫଆଇଆରରେ ପାର୍ଥଙ୍କ ନାମ ଆସି ନାହିଁ। ତେବେ ମାମଲାର ଯାଞ୍ଚ ଆରମ୍ଭ ହୋଇଯାଇଥିବା ଅଜିତ ପାୱାର ରବିବାର କହିଛନ୍ତି। ବାରାମାତୀରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ‘ଟଙ୍କାଟିଏ ବି ନେଣଦେଣ ନ ହୋଇ ଜମି କିପରି ରେଜିଷ୍ଟ୍ରି ହୋଇଛି? ତାହା ମୁଁ ବୁଝି ପାରୁ ନାହିଁ ବୋଲି ଅଜିତ ପାୱାର କହିଛନ୍ତି’।

ତେବେ ଆମକୁ ମାସକ ମଧ୍ୟରେ ଏହି ଜମି କାରବାରର ବିସ୍ତୃତ ବିବରଣୀ ମିଳିଯିବ, କିଏ ଏହି ପଞ୍ଜିକରଣ କରାଇଛି ଓ ବାସ୍ତବରେ କାହିଁକି କରିଛି ତାହା ମଧ୍ୟ ଜଣାପଡିଯିବ ବୋଲି ପାୱାର କହିଛନ୍ତି। ମାମଲାରେ ମୁଖ୍ୟମନ୍ତ୍ରୀ ଯାଞ୍ଚ କମିଟି ଗଠନ କରିଥିବା ଓ ଏହା ପୂର୍ବରୁ ମଧ୍ୟ ମୋ ବିରୋଧରେ ୭୦,୦୦୦ କୋଟି ଟଙ୍କା ଅନିୟମିତତାର ଅଭିଯୋଗ ଥିଲା ବୋଲି ପାୱାର କହିଛନ୍ତି। ସେ କହିଛନ୍ତି ଯେ ୭୦ ହଜାର କୋଟି ଟଙ୍କା ଅନିୟମିତତା ଘଟଣାକୁ ୧୫-୧୬ ବର୍ଷ ବିତିଗଲାଣି, ହେଲେ ଯେତେବେଳେ ବି ନିର୍ବାଚନ ଆସୁଛି ମୋ ବିରୋଧର ଏହି ଆରୋପ ବୁଲିବୁଲି ଆସି ଲାଗୁଛି।

ପାୱାର କହିଛନ୍ତି ଯେ ଆମେ ପାରଦର୍ଶିତାର ସହ କାମ କରୁଛୁ, ହେଲେ ଭୂମି କାରବାର ଭଳି ଏଭଳି ଘଟଣା ସବୁ ଆଣି ଆମ ଉପରେ ଥୋପୁଛନ୍ତି। ତେବେ ମୁଁ କହି ରଖୁଛି ମୋ ନିକଟ ସମ୍ପର୍କୀୟ, ଦଳୀୟ କାର୍ଯ୍ୟକର୍ତ୍ତା ଅଥବା ପରିବାର ସଦସ୍ୟଙ୍କ ନାମ ବ୍ୟବହାର କରି ଯଦି କେହି କିଛି ଅନୁରୋଧ କରୁଛନ୍ତି ଓ ଏହା ଆଇନସଙ୍ଗତ ନୁହେଁ ତେବେ ଅଧିକାରୀ ତୁରନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରନ୍ତୁ। ଏଥି ପାଇଁ ଖୋଲା ଅନୁମତି ଦେଉଛି ବୋଲି ଅଜିତ ପାୱାର କହିଛନ୍ତି।

ସେପଟେ ଅଜିତ ପାୱାରଙ୍କ ପୁଅ ପାର୍ଟନର ଥିବା ଆମାଡିଆ ଏଣ୍ଟରପ୍ରାଇଜର୍ସକୁ ସରକାରୀ ଜମି ବିକ୍ରିର କାଗଜପତ୍ରକୁ ଜରୁରି ମଞ୍ଜୁରୀ ନ ମିଳିବା କାରଣରୁ ଏବେ  ସଂସ୍ଥା ପ୍ରଶ୍ନ ଘେରକୁ ଆସିଯାଇଛି।  ବିରୋଧୀ ଦଳ ନେତାଙ୍କ ଅଭିଯୋଗ ଯେ ଏହି ସରକାରୀ ଜମିର ବଜାର ମୂଲ୍ୟ ୧,୮୦୦ କୋଟି ଟଙ୍କାରୁ ମଧ୍ୟ ଅଧିକ। ଏହାକୁ ସରକାରଙ୍କ ମଞ୍ଜୁରୀ ବିନା ବିକା ଯାଇ ପାରିନଥାନ୍ତା । ତେବେ ମାମଲାରେ ମୁଖ୍ୟାମନ୍ତ୍ରୀ ଫଡନବୀଶଙ୍କୁ ଯେତେବେଳେ ପ୍ରାର୍ଥ ପାୱରଙ୍କ ନାମ ନଥିବା କଥା ପଚରାଗଲା ସେ କହିଛନ୍ତି ଯେ ଦଲିଲରେ ସ୍ୱାକ୍ଷରକାରୀ ଓ ବିକ୍ରେତାଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ତେବେ ମାମଲାର ଯାଞ୍ଚରେ ଯେଉଁମାନେ ଦୋଷୀ ଜଣାପଡିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।   

Scroll to Top