ପୀତବାସଙ୍କ ସ୍ତ୍ରୀ ଆଣିଲେ ସଙ୍ଗୀନ ଅଭିଯୋଗ, କହିଲେ- ଧମକପୂର୍ଣ୍ଣ କଲ୍ ଆସୁଛି, ଆମ ଜୀବନ ପ୍ରତି ବିପଦ ଅଛି…
Published By: Kirti – Prameya-News7 Bureau | November 08, 2025 11:37 AM
NEWS7
ବ୍ରହ୍ମପୁର ୦୮।୧୧ : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା। ପ୍ରେସ୍ମିଟ୍ କରି ସାଂଘାତିକ ଅଭିଯୋଗ ଆଣିଲେ ମୃତ ପୀତବାସଙ୍କ ସ୍ତ୍ରୀ ସୁଶ୍ମିତା ପଣ୍ଡା । ସେ କହିଛନ୍ତି ଯେ, ଆମ ପାଖକୁ ଧମକପୂର୍ଣ୍ଣ କଲ୍ ଆସୁଛି। ବିକ୍ରମ ପଣ୍ଡାଙ୍କ ନାଁରେ ଫୋନ୍ କଲ୍ ଆସୁଛି । ଆମ ଜୀବନ ପ୍ରତି ବିପଦ ରହିଛି । ତେଣୁ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ହସ୍ତକ୍ଷେପ କରି ଆମକୁ ନ୍ୟାୟ ଦିଅନ୍ତୁ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ୬ ତାରିଖ ରାତି ମୁଁ ଶେଷ ଥର ପାଇଁ ପୀତବାସଙ୍କ ସହ କଥା ହୋଇଥିଲି । ଥାନା ଓ କୋର୍ଟକୁ ଯାଉଛି, ଆସିଲା ବେଳେ ହୋଟେଲରୁ ଖାଇବା ନେଇ ଆସିବ ବୋଲି କହିଥିଲେ । ହତ୍ୟା ପରେ ଘରକୁ ଆସି ସମ୍ବୋଧନ ପାଇ ଆସିଥିଲେ ବିକ୍ରମ ପଣ୍ଡା । ବିକ୍ରମଙ୍କ ସଂପୃକ୍ତି ନେଇ ଏବେବି ଆଶ୍ଚର୍ଯ୍ୟ ଲାଗୁଛି । ଏହି ଘଟଣାରେ ଗିରଫ ହୋଇ ଅଭିଯୁକ୍ତମାନେ ଜେଲ୍ରେ ଅଛନ୍ତି । ତଥାପି ଏବେବି ଆମ ପାଖକୁ ବିକ୍ରମ ପଣ୍ଡାଙ୍କ ନାଁରେ ଧମକପୂର୍ଣ୍ଣ କଲ୍ ଆସୁଛି। ଗାଲିଗୁଲଜ କରିବା ସହ ଆମକୁ ହତ୍ୟା ଧମକ ମଧ୍ୟ ମିଳୁଛି । ଯାହାକି ଆମ ଜୀବନ ପ୍ରତି ବିପଦର ଭୟ ସୃଷ୍ଟି କରିଛି । ଏବେ ଯାଏଁ ଦୁଇଟି ଧମକ ପୂର୍ଣ୍ଣ କଲ୍ ଆସିସାରିଲାଣି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ମୁଁ ନ୍ୟାୟ ଭିକ୍ଷା କରୁଛି । ଏହି ଘଟଣାରେ ହସ୍ତକ୍ଷେପ କରି ଆମକୁ ନ୍ୟାୟ ପ୍ରଦାନ କରନ୍ତୁ ।




