ମାଲକାନଗିରି ୩୦।୦୩ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାର ପାଲମପଲ୍ଲୀ ଜଙ୍ଗଲରେ ଏନ୍କାଉଣ୍ଟର । ମାଓବାଦୀ-ପୋଲିସଙ୍କ ମଧ୍ୟରେ ଗୁଳିବିନିମୟ । ସୁରକ୍ଷାକର୍ମୀଙ୍କ ଗୁଳିରେ ଟପ୍ ହାର୍ଡକୋର ମାଓ କମାଣ୍ଡର ମୁଚାକି କେଲାସ ନିହତ ହୋଇଛି। ଏନେଇ ସୁକୁମା ଏସ୍ପି କିରଣ ଚୌହ୍ୱାନ ସୂଚନା ଦେଇଛନ୍ତି ।
ଛତିଶଗଡ଼ ସୁକୁମା ଜିଲ୍ଲା ପାଲମପଲ୍ଲୀ ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବାର ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ପୋଲିସ ଏବଂ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ କରିଥିଲେ ସର୍ଚ୍ଚ ଅପରେସନ । ଦୀର୍ଘ ସମୟ ଧରି ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଚାଲିଥିଲା ଗୁଳିବିନିମୟ । ଶେଷରେ ପୋଲିସ ଗୁଳିରେ ଟପ୍ ହାର୍ଡକୋର ମାଓବାଦୀ ମୁଚାକି କେଲାସ ନିହତ ହୋଇଥିବା ଜଣାପଡିଛି । ନିହତ ମାଓବାଦୀ ମୁଣ୍ଡରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ମୁଚାକି ଦୀର୍ଘ ଦିନ ଧରି ମାଓ ସଂଗଠନ ସହିତ ଜଡିତ ଥିଲେ । ସେ ପ୍ଲାଟୁନ ୩୧ର ପିପିସିଏମ୍ କ୍ୟାଡର ସେକ୍ସନ କମାଣ୍ଡର ଭାବେ ସକ୍ରିୟ ଥିଲେ । ସେହିପରି ଘଟଣାସ୍ଥଳରୁ ଗୋଟିଏ ଅଟମେଟିକ୍ ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ଫୋରକ ଜବତ କରିଛନ୍ତି ସୁରକ୍ଷାକର୍ମୀ ।
Also Read:- ଡେଡ୍ଲାଇନ୍ ସରିବାକୁ ଆଉ ୨ ଦିନ, ସରେଣ୍ଡର କର..ନହେଲେ ସୁରକ୍ଷାକର୍ମୀଙ୍କ ସାମ୍ନା କରିବେ
ସୂଚନାଯୋଗ୍ୟ ଯେ, ସରୁଛି ଡେଡ୍ଲାଇନ୍। ଆଉ କେଇ ଘଣ୍ଟା ପରେ ଶେଷ ହୋଇଯିବ ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ କେନ୍ଦ୍ର ଦେଇଥିବା ତାରିଖ। ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ।ଏହାସହ ତେଲେଙ୍ଗାନା, ଓଡ଼ିଶା, ଆନ୍ଧ୍ର, ଛତିଶଗଡ଼ ଅଞ୍ଚଳରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ। ୧୦ ହଜାରରୁ ଅଧିକ ଯବାନ ଏକାସାଙ୍ଗେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ ଅନେକ ଆତ୍ମସମର୍ପଣ କରିଛନ୍ତି ତ ଆଉ କେତେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି । ଦେଖାଯାଉ ଡେଡ୍ଲାଇନ୍ ସରିବା ପରେ କେମିତି ଅପରେସନ କରିବେ ସୁରକ୍ଷାକର୍ମୀ ।




