ପାକିସ୍ତାନ ସଂସଦର ପୂର୍ବତନ ବାଚସ୍ପତି ଆମେରିକାରେ ଚଳାଉଛନ୍ତି ଉବେର

ପାକିସ୍ତାନ-ସଂସଦର-ପୂର୍ବତନ-ବାଚସ୍ପତି-ଆମେରିକାରେ-ଚଳାଉଛନ୍ତି-ଉବେର

ୱାସିଂଟନ ୪।୨: ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିର ପୂର୍ବତନ ଡେପୁଟି ସ୍ପିକର କାସିମ ଖାନ ସୁରି ଏବେ ଆମେରିକାରେ ଉବେର ଟ୍ୟାକ୍ସି ଚଳାଇ ଗୁଜୁରାଣ ମେଣ୍ଟାଉଛନ୍ତି। ପାକିସ୍ତାନରେ ତାଙ୍କ ସମ୍ପତ୍ତି ଓ ବ୍ୟାଙ୍କ ଖାତା ଜବତ ହେବା ପରେ ସେ କୌଣସି ପ୍ରକାରେ ଆମେରିକା ଖସି ପଳାଇବାରେ ସକ୍ଷମ ହୋଇଛନ୍ତି ଓ ସେଠାରେ ଗୁଜୁରାଣ ମେଣ୍ଟାଇବା ପାଇଁ ଟ୍ୟାକ୍ସି ଚଳାଉଛନ୍ତି। ସେ କହିଛନ୍ତି ଯେ ଆମେରିକାରେ ଖର୍ଚ୍ଚ ତୁଲେଇବା ତାଙ୍କ ପକ୍ଷେ ବାସ୍ତବିକ୍ କଷ୍ଟକର, ହେଲେ ସେ ସଚ୍ଚୋଟତାର ସହ ଜୀବିକା ଅର୍ଜନ କରୁଥିବାରୁ ନିଜକୁ ଗର୍ବିତ ଅନୁଭବ କରନ୍ତି।

ସେ କହିଛନ୍ତି ଯେ ତାଙ୍କୁ ଅନେକ ମିଛ ମାମଲାରେ ଫଶା ଯାଇଥିବା ବେଳେ ତାଙ୍କ ପରିବାର ସଦସ୍ୟଙ୍କୁ ଅପହରଣ କରାଯାଇଥିଲା। ଇମ୍ରାନ ଖାନଙ୍କ ସହିତ ଗଣତନ୍ତ୍ର, ଆଇନର ଶାସନ ଓ ପାକିସ୍ତାନ ଲୋକଙ୍କ ସମ୍ମାନ ପାଇଁ ଛିଡା ହେବା ଯୋଗୁ ତାଙ୍କୁ ଏହି ମୂଲ୍ୟ ଦେବାକୁ ପଡୁଛି । କେବଳ ସେ ଏକାକୀ ନୁହନ୍ତି ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ତାଙ୍କ ଭଳି ପୀଡ଼ିତ ହେଉଥିବା କହିଛନ୍ତି। ତାଙ୍କୁ ମିଛ ମୋକଦ୍ଦମାରେ ଫଶାଇ ଜେଲରେ ରଖାଯାଇଥିବା ସୁରୀ କହିଛନ୍ତି। ଏଣୁ ତାଙ୍କର ତୁରନ୍ତ ମୁକ୍ତି ଦାବି କରିଛନ୍ତି।

ସୁରୀ କହିଛନ୍ତି ଯେ ଶହବାଜ ସରିଫଙ୍କ ସରକାରର ଅନ୍ୟାୟ ଓ କୁକର୍ମ ଏବେ ସମସ୍ତଙ୍କ ସାମ୍ନାରେ। କେବଳ ମୁଁ ନୁହେଁ ସବୁ ପାକିସ୍ତାନୀ ଏବେ ଏହି ଅନ୍ୟାୟର ଶିକାର ହେଉଛନ୍ତି। ଇମ୍ରାନ ଖାନ ଓ ତାଙ୍କ ପତ୍ନୀ ବୁସରା ବିବି ମିଥ୍ୟା ମାମଲାରେ ଜେଲରେ ବନ୍ଦୀ ଅଛନ୍ତି ଓ ତାଙ୍କ ପରିବାରର ବଳିଦାନ ସମ୍ପର୍କରେ ସମସ୍ତେ ଜାଣନ୍ତି। ସେ କହିଛନ୍ତି ମୋ ସମ୍ପତ୍ତି ଓ ବ୍ୟାଙ୍କ ଆକାଉଣ୍ଟ ପାକିସ୍ତାନ ସରକାର ସିଜ୍ କରିଦେଇଛନ୍ତି। ଅନେକ କଷ୍ଟରେ ମୁଁ ପରିସ୍ଥିତିରୁ ମୁକୁଳିଥିବା ବେଳେ ଆମେରିକା ଆସି ଟ୍ୟାକ୍ସି ଚଳାଉଛି।

ସୁରୀ ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ୧୯ତମ ଡେପୁଟି ସ୍ପିକର ଭାବେ ୧୫ ଅଗଷ୍ଟ ୨୦୧୮ରୁ ୧୬ ଏପ୍ରିଲ ୨୦୨୨ ପର୍ଯ୍ୟନ୍ତ ଅବସ୍ଥାପିତ ଥିଲେ। ସେହିପରି ଅଗଷ୍ଟ ୨୦୧୮ରୁ ଜାନୁୟାରୀ ୨୦୨୩ ପର୍ଯ୍ୟନ୍ତ ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିର ସଦସ୍ୟ ଥିଲେ। ତେବେ ପାକିସ୍ତାନ ଉପବାଚସ୍ପତି ରୂପେ ତାଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଭୋଟିଂ ପୂର୍ବରୁ ସେ ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ। ତାଙ୍କ ବିରୋଧରେ ଇମ୍ରାନଙ୍କ ନେତୃତ୍ୱାଧୀନ ପୂର୍ବତନ ସରକାରଙ୍କ ପ୍ରତି ଅନୁଗ୍ରହ କରୁଥିବାର ଅଭିଯୋଗ ଆସିଥିଲା।

ଏହା ମଧ୍ୟ ପଢ଼ନ୍ତୁ :-ଲିବିୟା ରାଜନୀତିରେ ହଟଚମଟ: ଗଦ୍ଦାଫି ପୁଅକୁ ଗୁଳି କରି ହତ୍ୟା

Scroll to Top