ଦୁବାଇ ୨୨।୦୯ : ଫୁଲ୍ ଡୋମିନେସ୍ । ୬ରୁ ଆରମ୍ଭ ୪ରେ ଶେଷ । ଆମେ ଏମିତି କାହିଁକି ଲେଖିଲୁ । ଆପଣ ବୁଝିପାରୁଛନ୍ତି କି ? ଯଦି ନା… ତେବେ ଆସନ୍ତୁ ପୁରା ଖବରଟି ପଢିବା । ଆଉ ଆମେ କାହିଁକି ଏମିତି ଲେଖିଲୁ.. ତା ବିଷୟରେ ଆସନ୍ତୁ ଜାଣିବା ।
ଏସିଆ କପ୍ ୨୦୨୫ । ରବିବାର ଥିଲା ଏକ ହାଇଭୋଲଟେଜ୍ ମ୍ୟାଚ୍ । ମୁହାଁମୁହିଁ ହୋଇଥିଲେ ଭାରତ-ପାକିସ୍ତାନ । ଦୁବାଇର ଷ୍ଟାଡିୟମ୍ରେ ଖେଳାଯାଇଥିଲା ଏହି ମ୍ୟାଚ୍। ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ । ଯାହାଫଳରେ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ଓ୍ୱିକେଟ୍ ହରାଇ ୧୭୧ ରନ୍ କରିଥିଲା । ଜବାବରେ ଭାରତୀୟ ବୋଲରଙ୍କ ପକ୍ଷରୁ ଶିଭମ୍ ଦୁବେ ୨ଟି ଓ୍ୱିକେଟ୍ ନେଇଥିବା ବେଳେ କୁଲଦୀପ ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ । ୧୭୨ ରନ୍ ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିଲେ ଟିମ୍ ଇଣ୍ଡିଆ ଓପନର । ଦୁଇ ଯୁବ ବ୍ୟାଟର ଅଭିଷେକ ଶର୍ମା ଓ ଶୁବମନ ଗିଲ୍ ପଡିଆକୁ ଓହ୍ଲାଇଥିଲେ । ପାକିସ୍ତାନ ଟିମ୍ ପକ୍ଷରୁ ପ୍ରଥମ ଓଭରରେ ବୋଲିଂ କରିବାକୁ ଆସିଥିଲେ ସାହିନ ଆଫ୍ରିଦି । ସାମ୍ନାରେ ଥିଲେ ହାର୍ଡ ହିଟର ଅଭିଷେକ ଶର୍ମା । ପ୍ରଥମ ବଲ୍ରୁ ହିଁ ଆଟାକିଂ ଖେଳ ଆରମ୍ଭ କରିଥିଲେ ଅଭିଷେକ । ସାହିନଙ୍କ ସଟ୍ ଲେନ୍ଥ ବଲ୍କୁ ଛକାରେ ପରିଣତ କରିଥିଲେ ଅଭିଷେକ । ଏହାପରେ ପୁରା ମ୍ୟାଚ୍ ଯାକ ଚାଲିଲା ଅଭିଷେକଙ୍କ ହାର୍ଡ ହିଟିଂ । ଏକାକୀ ପାକିସ୍ତାନୀ ବୋଲରଙ୍କ ଉପରେ ପଡିଥିଲେ ଭାରି । ୩୯ ବଲ୍ର ସାମ୍ନା କରି ୭୪ ରନ୍ କରିଥିଲେ ଅଭିଷେକ ଶର୍ମା । ଯେଉଁଥିରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ଥିଲା ୧୮୯ । ଅଭିଷେକଙ୍କ ଇନିଂସରେ ୬ଟି ଚୌକା ଏବଂ ୫ଟି ଛକା ସାମିଲ ରହିଥିଲା । ଅଭିଷେକଙ୍କ ଆଉଟ ପରେ ବି ଥମିନଥିଲା ପାକିସ୍ତାନୀ ବୋଲରଙ୍କୁ ପ୍ରହାର । ଯିଏ ଆସିଲା ସିଏ ନିର୍ଘାତ ଛେଚିଲା । ତିଲକ ବର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ରହି ଭାରତୀୟ ଟିମ୍କୁ ବିଜୟୀ କରାଇଥିଲେ । ଏପିରିକି ତିଲକ ବର୍ମାବି ସାହିନ ଆଫ୍ରିଦିଙ୍କୁ ୧୯ ତମ ଓଭରରେ ୪ ମାରି ଟିମ୍କୁ ବିଜୟୀ କରାଇଥିଲେ ।
ସବୁଠୁ ରୋଚକ କଥାଟି ହେଉଛି ଯେ, ଭାରତୀୟ ବ୍ୟାଟିଂ ଇନିଂସର ପ୍ରଥମ ସ୍କୋର ୬ ଛକା ମାରି ଅଭିଷେକ ଶର୍ମା ଆରମ୍ଭ କରିଥିଲେ । ଏହାପରେ ମ୍ୟାଚ୍ ବିଜୟର ଶେଷ ରନ୍ ତିଲକ ବର୍ମା ୪ ମାରି ପୂରଣ କରିଥିଲେ । ଅଭିଷେକ ଛକା ମାରି ସ୍କୋର ଆରମ୍ଭ କରିଥିବା ବେଳେ ତିଲକ ଚୌକା ମାରି ଟିମ୍ ଇଣ୍ଡିଆକୁ ବିଜୟୀ କରାଇଥିଲେ । ଉଭୟ ବ୍ୟାଟର ପାକିସ୍ତାନୀ ବୋଲର ସାହିନି ଆଫ୍ରିଦି ବିରୋଧରେ ଏହି ରେକର୍ଡ କରିଛନ୍ତି ।




