ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଇଁ ଭଲ ଖବର। ଗୁରୁବାର ସୁପ୍ରିମକୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ୨୦୨୩ରେ ସେନା ସ୍ଥଳୀ ଉପରେ ହୋଇଥିବା ଆକ୍ରମଣ ସଂପର୍କିତ ଅନେକ ମାମଲାକୁ ତାଙ୍କୁ ଆଶ୍ୱସ୍ତି ମିଳିଛି। କୋର୍ଟଙ୍କ ରେକର୍ଡ ଓ ତାଙ୍କର ଓକିଲ ଏହି ସୂଚନା ପ୍ରଦାନ କରିଛନ୍ତି। ମୁଖ୍ୟ ବିଚାରପତି ୟାହ୍ୱା ଅଫରିଦିଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ଲାହୋର ହାଇକୋର୍ଟର ସେହି ନିଷ୍ପତ୍ତିକୁ ଓଲଟାଇ ଦେଇଛନ୍ତି , ଯେଉଁଥିରେ ଖାନଙ୍କ ୮ଟି ମାମଲାରେ ଜାମିନ ପିଟିସନକୁ ଖାରଜ କରାଯାଇ ଥିଲା।
ସୁପ୍ରିମକୋର୍ଟ ଇମ୍ରାନ ଖାନଙ୍କ ମୁକ୍ତିର ଆଦେଶ ଦେଇଛନ୍ତି, କିନ୍ତୁ ସର୍ତ୍ତ ରଖିଛନ୍ତି ଯେ, ତାଙ୍କୁ ଅନ୍ୟ ମାମଲାରେ ଖୋଜା ଯିବା ଉଚିତ ନୁହେଁ। ଏହା କାରଣ ଯେ, ଇମ୍ରାନ ଖାନ ଏବେ ଜେଲ୍ରୁ ବାହାରୁ ଆସି ପାରିବେ ନାହିଁ, କାରଣ ସେ ଦୁର୍ନୀତିର ଏକ ମାମଲାରେ ପୂର୍ବରୁ ହିଁ ଦୋଷୀ ସାବ୍ୟସ୍ତ କରାଯାଇଛି।

କ୍ରିକେଟରରୁ ରାଜନେତା ହୋଇଥିବା ଇମ୍ରାନ ଖାନଙ୍କ ଉପରେ ଦୁର୍ନୀତିରୁ ନେଇ ଆତଙ୍କବାଦ ଯାଏ ଅନେକ ମାମଲା ରୁଜୁ ହୋଇଛି। ହେଲେ , ସେ ଏହିସବୁ ମାମଲାକୁ ମିଥ୍ୟା ଓ ରାଜନୈତିକ ପ୍ରତିଶୋଧର ଅଂଶ ଭାବେ କହିଛନ୍ତି।
ମେ ୨୦୨୩ରେ ଇମ୍ରାନ ଖାନଙ୍କୁ ଏକ ଦୁର୍ନୀତି ମାମଲାରେ ଗିରଫ କରାଯାଇ ଥିଲା। ଏହାପରେ ସାରାଦେଶରେ ବଡ଼ ସ୍ତରରେ ବିରୋଧ ପ୍ରଦର୍ଶନ ହୋଇଛି। ଏହି ସବୁ ବିରୋଧ ପ୍ରଦର୍ଶନ ବେଳେ ପ୍ରଦର୍ଶନକାରୀମାନେ ଅନେକ ସେନା ସ୍ଥଳୀ ଉପରେ ଆକ୍ରମଣ କରିଥିଲେ , ଯେଉଁଥିରେ ରାୱଲପିଣ୍ଡି ସ୍ଥିତ ସେନା ମୁଖ୍ୟାଳୟ ମଧ୍ୟ ସାମିଲ ଥିଲା। ଏହି ହିଂସାକାଣ୍ଡ ପରେ ଇମ୍ରାନ ଖାନ ଓ ତାଙ୍କର ପାର୍ଟି (ପାକିସ୍ତାନ ତହରିକ୍-ଏ-ଇନସାଫ୍ )ର ଅନେକ ନେତାଙ୍କ ବିରୋଧରେ ଗୁରୁତ୍ୱପୂର୍ଣ୍ଣ ଧାରାରେ ମୋକଦମା ରୁଜୁ କରାଯାଇଛି। ତାଙ୍କ ପାର୍ଟିର ଅନେକ ବରିଷ୍ଠ ନେତା ଓ ସାଂସଦଙ୍କୁ ମଧ୍ୟ ନିକଟରେ ଏମିତି ହିଁ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି।
ସୁପ୍ରିମକୋର୍ଟରୁ ମିଳିଥିବା ଆଶ୍ୱସ୍ତି ସତ୍ତ୍ୱେ ଇମ୍ରାନ ଖାନଙ୍କ ଆଇନଗତ ଅଡୁଆ ସବୁ ଶେଷ ହୋଇ ନାହିଁ। ତାଙ୍କୁ ଅନ୍ୟ ମାମଲାରେ ଏବେ ଜେଲ୍ରେ ରହିବାକୁ ହେବ। ଇମ୍ରାନ ଖାନ ଅଗଷ୍ଟ ୨୦୨୩ରୁ ରାୱଲପିଣ୍ଡିର ଅଡିଆଲା ଜେଲ୍ରେ ବନ୍ଦୀ ଜୀବନ କାଟୁଛନ୍ତି। ଅନ୍ୟପଟେ , ସୁପ୍ରିମକୋର୍ଟଙ୍କ ଠାରୁ ଆଶ୍ୱସ୍ତି ମିଳିବା ପରେ ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ) ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛି। ପାର୍ଟି ଏକ୍ସରେ ଏକ ପୋଷ୍ଟରେ ଏହାକୁ ଇମ୍ରାନ ଖାନଙ୍କ ବିଜୟ ଭାବେ ଉଲ୍ଲେଖ କରିଛି।




