ପାକିସ୍ତାନର ଗୁପ୍ତଚର ସାଜିଥିଲା Utuber ଜ୍ୟୋତି ମାଲହୋତ୍ରା, ଏବେ SIT ଦାଖଲ କଲେ ଚାର୍ଜସିଟ୍

ପାକିସ୍ତାନର-ଗୁପ୍ତଚର-ସାଜିଥିଲା-utuber-ଜ୍ୟୋତି-ମାଲହୋତ୍ରା,-ଏବେ-sit-ଦାଖଲ-କଲେ-ଚାର୍ଜସିଟ୍

ହିସାର ୧୬।୮: ହିସାରର ୟୁ ଟ୍ୟୁବର ଜ୍ୟୋତି ମାଲହୋତ୍ରା ବିରୋଧରେ ପାକିସ୍ତାନ ଲାଗି ଗୁଇନ୍ଦାଗିରି କରିବାର ଗୁରୁତର ଅଭିଯୋଗ ହୋଇଛି। ହିସାର ପୋଲିସର ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ (ଏସଆଇଟି) ଶନିବାର ସ୍ଥାନୀୟ କୋର୍ଟରେ  ଜ୍ୟୋତି ବିରୋଧରେ ୨,୫୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି। ଏଥିରେ ଜ୍ୟୋତିର ଗୁଇନ୍ଦାଗିରି ଗତିବିଦ୍ଧିର ମଜଭୁତ ପ୍ରମାଣ ଥିବାର ଏସଆଇଟି ଦାବି କରିଛି। 

ଜ୍ୟୋତିକୁ ୧୬ ମେ ୨୦୨୫ରେ ନ୍ୟୁ ଅଗ୍ରସେନ ଏକ୍ସଟେନସନ ହିସାରରୁ ପୋଲିସ ଗିରଫ କରିଥିଲା। ସେବେଠାରୁ ସେ ଜେଲରେ ଅଛି। ଚାର୍ଜସିଟ୍ ରେ କୁହାଯାଇଛି ଯେ ଜ୍ୟୋତି ଦୀର୍ଘ ସମୟରୁ ପାକିସ୍ତାନୀ ଏଜେଣ୍ଟଙ୍କୁ ସମ୍ବେଦନଶୀଳ ସୂଚନା ଦେଇ ଆସୁଥିଲା ଓ ସେମାନଙ୍କ ସହିତ ଲଗାତାର ସମ୍ପର୍କରେ ଥିଲା।  ପୋଲିସ ତାକୁ ଅଫିସିଆଲ ସିକ୍ରେଟସ୍ ଆକ୍ଟ ୧୯୨୩ ଓ ଭାରତୀୟ ନ୍ୟାୟସଂହିତା ଆଇନ ଅନୁସାରେ ଗିରଫ କରିଛି। 

ଜ୍ୟୋତି ମଲହୋତ୍ରା ୟୁ ଟ୍ୟୁବ ଚ୍ୟାନେଲ ‘ଟ୍ରାଭେଲ ୱିଥ ଜୋ’ ନାମରେ ଟ୍ରାଭେଲ ବ୍ଲଗ ଚଳାଉଥିଲା। ତେବେ ତଦନ୍ତରୁ ଜଣାପଡିଛି ଯେ ସେ ପ୍ରଥମେ ଜଣେ ସାଧାରଣ ୟୁ ଟ୍ୟୁବର ଭଳି କଣ୍ଟେଣ୍ଟ ତିଆରି କରୁଥିଲା, ତେବେ ୨୦୨୩ରେ ପାକିସ୍ତାନ ଗସ୍ତ ପରେ ତାର ଗତିବିଦ୍ଧି ବଦଳି ଯାଇଥିଲା। ହିସାର ପୋଲିସର କହିବା କଥା ହେଉଛି ପାକିସ୍ତାନୀ ଇଣ୍ଟେଲିଜେନ୍ସ ଜ୍ୟୋତିକୁ ନିଜ ଜାଲରେ ଫସେଇଥିଲା ଓ ତାକୁ ଆସେଟ ଭଳି ତିଆରି କରିଥିଲା। 

ଚାର୍ଜସିଟ୍ ଅନୁସାରେ ଜ୍ୟୋତି ହ୍ୱାଟସଆପ୍, ସ୍ନାପଚାଟ୍ ଓ ଟେଲିଗ୍ରାମ ଭଳି ଆପ ମାଧ୍ୟମରେ ପାକିସ୍ତାନୀ ଏଜେଣ୍ଟଙ୍କ ସହ କଥା ହେଉଥିଲା ଓ ସମ୍ବେଦନଶୀଳ ସୂଚନା ସେୟାର କରୁଥିଲା। ସେ ପାକିସ୍ତାନ ସହିତ ଚୀନ୍ ଓ ନେପାଳ ଟୁର ମଧ୍ୟ କରିଛି। ଏଣୁ ତାର ଗତିବିଦ୍ଧି ଉପରେ ସନ୍ଦେହ ଗଭୀର ହୋଇଥିଲା। ଚାର୍ଜସିଟ୍ ରେ ଜ୍ୟୋତିର ପାକିସ୍ତାନ ହାଇକମିଶନ ଅଧିକାରୀ ଏହସାନ ଉର ରହୀମ ଓରଫ ଦାନିଶ ସହିତ ସମ୍ପର୍କ ର ଉଲ୍ଲେଖ ରହିଛି। ଜ୍ୟୋତି ଫୋନର ଡିଜିଟାଲ ଫରେନସିକ୍ ଯାଞ୍ଚରେ ଦାନିଶ ସହିତ ତାର ଦୀର୍ଘ ଆଲୋଚନାର ପ୍ରମାଣ ମିଳିଛି। ଏହା ଛଡା ଆଇଏସଆଇ ଏଜେଣ୍ଟ ସାକିର, ହସନ ଅଲୀ ଓ ନାସିର ଢିଲ୍ଲନଙ୍କ ସହିତ ତାର ଲିଙ୍କ ସାମ୍ନାକୁ ଆସିଛି। 

ପୋଲିସର କହିବା କଥା ହେଉଛି ଜ୍ୟୋତି ଜାଣିଶୁଣି ସେହି ଏଜେଣ୍ଟସଙ୍କ ସହିତ ସମ୍ପର୍କ ରଖିଥିଲା ଓ ଭାରତର ସୁରକ୍ଷା ସମ୍ପର୍କିତ ସୂଚନା ଆଦାନ ପ୍ରଦାନ କରୁଥିଲା। ତେବେ ସବୁଠୁ ଯାହା ଖାସକଥା ତାହା ହେଉଛି ପାକିସ୍ତାନ ଗସ୍ତ କାଳରେ ତାକୁ  ଖାସ ଅତିଥି ଭାବେ ସୁରକ୍ଷା ମଧ୍ୟ ଯୋଗାଇ ଦିଆଯାଇଥିଲା। ତେବେ ପୋଲିସର କହିବା କଥା ହେଉଛି ଜ୍ୟୋତି ନିକଟରୁ ସେନା ଓ ପ୍ରତିରକ୍ଷା ସମ୍ପର୍କିତ ସୂଚନାର ପ୍ରମାଣ ମିଳି ନାହିଁ। ହେଲେ ସେ ପାକିସ୍ତାନ ଇଣ୍ଟେଲିଜେନ୍ସ ଏଜେଣ୍ଟଙ୍କ ସମ୍ପର୍କରେ ଥିଲା ଏହା ପ୍ରମାଣିତ ହୋଇଛି। 

ଜ୍ୟୋତିର ଜାମିନ ନିବେଦନ କୋର୍ଟ ୯ ଜୁନ ୨୦୨୫ରେ ନାକଚ କରିଦେଇଥିଲେ। ଏହି ମାମଲାର ପରବର୍ତ୍ତି ଶୁଣାଣି ଅଗଷ୍ଟ ୧୮ ତାରିଖରେ ହେବ। ଜ୍ୟୋତିର ଓକିଲ କୁମାର ମୁକେଶ କହିଛନ୍ତି ଯେ ସେ ଚାର୍ଜସିଟ୍ ସମୀକ୍ଷା କରିବା ପରେ ଆଇନଗତ ଜବାବ ଦେବେ। ଏହି ମାମଲା ଦେଶରେ ସୋସିଆଲ ମିଡିଆ ଇନଫ୍ଲୁଏନସରଙ୍କୁ ନେଇ ଏବେ ପ୍ରଶ୍ନ ଚିହ୍ନ ଲଗାଇଛି।  

Scroll to Top