ପାକିସ୍ତାନରେ ପ୍ରକୃତିର ତାଣ୍ଡବ, ଭୀଷଣ ବର୍ଷାରେ ୧୨ ମୃତ, ଜାରି ହେଲା ବନ୍ୟା ସତର୍କତା

ପାକିସ୍ତାନରେ-ପ୍ରକୃତିର-ତାଣ୍ଡବ,-ଭୀଷଣ-ବର୍ଷାରେ-୧୨-ମୃତ,-ଜାରି-ହେଲା-ବନ୍ୟା-ସତର୍କତା

କରାଚୀ: ପାକିସ୍ତାନର ବିଭିନ୍ନ ପ୍ରାନ୍ତରେ ଭୀଷଣ ବର୍ଷା ସାଙ୍ଗକୁ ଝଡତୋଫାନ ଓ ବନ୍ୟା ଯୋଗୁ ଗତ ୨୪ ଘଣ୍ଟାରେ ଅନୁନ୍ୟ ୧୨ ଜଣଙ୍କ ମୃତ୍ୟୁ ହୋଇଛି। କରାଚୀରେ ଗୁରୁବାର ପାଖାପାଖି ୪ ଘଣ୍ଟା ପର୍ଯ୍ୟନ୍ତ ୩୦ରୁ ୪୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା କୁହାଯାଇଛି। ଏଣୁ ବନ୍ଦର ସହରର ଜନଜୀବନ ପ୍ରଭାବିତ ହୋଇଛି। ଗୁରୁବାର ସକାଳେ କରାଚୀରେ ବର୍ଷା ଆରମ୍ଭ ହୋଇଥିଲା, ଯାହା ଦୀର୍ଘ ସମୟ ଲାଗି ରହିଥିଲା। ଏଣୁ ଅଧିକାରୀ ଜରୁରିକାଳୀନ ପରିସ୍ଥିତି ଜାରି କରିଛନ୍ତି। ବର୍ଷାରେ ସହର ଜଳମଗ୍ନ ହୋଇପଡିଥିବା ବେଳେ ଯାତାୟାତ ଗୁରୁତର ପ୍ରଭାବିତ ହୋଇଛି।

‘ଇଧି ଟ୍ରଷ୍ଟ’ ଓ ‘ଚିଫା ୱେଲଫେୟାର’ ସମେତ ବିଭିନ୍ନ ଉଦ୍ଧାରକାରୀ ସେବା ବିଦ୍ୟୁତ ଆଘାତରେ ଓ ଘରର କାନ୍ଥ ପଡି ୫ ଜଣଙ୍କ ମୃତ୍ୟୁ ହୋଇଥିବା ପୁଷ୍ଟି କରିଛନ୍ତି। ଝଡତୋଫାନ ଯୋଗୁ କରାଚୀରେ ସାଇନବୋର୍ଡ ପଡିଯିବା ସହ ବଡ଼ ବଡ଼ ଗଛ ଉପୁଡି ପଡିଛି। ବର୍ଷା ଯୋଗୁ ସହରର ବିସ୍ତୃତ ଅଞ୍ଚଳକୁ ବିଦ୍ୟୁତ ଯୋଗାଣ ବ୍ୟହତ ହୋଇଛି। ପାକିସ୍ତାନ ପାଣିପାଗ ବିଜ୍ଞାନ ବିଭାଗ (ପିଏମଡି) ଅନୁସାରେ ଗୁରୁବାର ମଧ୍ୟାହ୍ନ ପର୍ଯ୍ୟନ୍ତ କରାଚୀର ବିଭିନ୍ନ ସ୍ଥାନରେ ୩୦ରୁ ୪୫ ମିଲିମିଟର ବର୍ଷା ରେକର୍ଡ ହୋଇଛି। ପିଏମଡି ତଥ୍ୟ ଅୁନସାରେ ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ ନଜିମାବାଦରେ ସର୍ବାଧିକ ୬୯.୬ ମିଲମିଟର ବର୍ଷା ରେକର୍ଡ ହୋଇଛି। ଏହା ପଛକୁ କେମାରୀରେ ୫୬ ମିଲିମିଟର ଓ ସାଦିଟାଉନରେ ୪୮ ମିଲିମିଟର ବର୍ଷା ରେକର୍ଡ ହୋଇଛି।

ପାକିସ୍ତାନ ବିପର୍ଯ୍ୟୟ ପ୍ରବନ୍ଧନ ପ୍ରକୋଷ୍ଠ ବୁଧବାରଠାରୁ ଆରମ୍ଭ ହୋଇଥିବା ବର୍ଷା ଯୋଗୁ ବଲୁଚିସ୍ତାନର ତୁରବତ, କୋହଲୋ, ଜାଫରବାଦ, ଲୋରାଲାଇ, ହରନାଇ ଓ କ୍ୱେଟା ସହିତ ବିଭିନ୍ନ ସ୍ଥାନରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ପୁଷ୍ଟି କରିଛି। ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ୧୦୦ଟି ଘର ଭାଙ୍ଗିଥିବା ବେଳେ ୫୦ ପଶୁ ପ୍ରାଣ ହରାଇଛନ୍ତି।

Scroll to Top