ପଶ୍ଚିମବଙ୍ଗ SIR: ନିଯୁକ୍ତି ପତ୍ର ଗ୍ରହଣ କରୁ ନାହାନ୍ତି BLO, ଶିକ୍ଷକଙ୍କୁ ନୋଟିସ୍ ଜାରି କଲେ ନିର୍ବାଚନ ଅଧିକାରୀ

ପଶ୍ଚିମବଙ୍ଗ-sir:-ନିଯୁକ୍ତି-ପତ୍ର-ଗ୍ରହଣ-କରୁ-ନାହାନ୍ତି-blo,-ଶିକ୍ଷକଙ୍କୁ-ନୋଟିସ୍-ଜାରି-କଲେ-ନିର୍ବାଚନ-ଅଧିକାରୀ

କୋଲକାତା ୨୨।୧୦: ଭୋଟର ଲିଷ୍ଟ ବିଶେଷ ଗହନ ପୁନରୀକ୍ଷଣ (ଏସଆଇଆର)କୁ ନେଇ ପଶ୍ଚିମବଙ୍ଗ ରାଜନୀତି ଏବେ ପଡ଼ ଉଠ ହେଉଛି। ଏଥି ମଧ୍ୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପଶ୍ଚିମବଙ୍ଗର ପାଖାପାଖି ୧୦୦୦ ବୁଥ ଲେବୁଲ ଅଫିସର (ବିଏଲଓ)ଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ସୂତ୍ର ଅନୁସାରେ ଏହି ବିଏଲଓ ମାନେ ଏସଆଇଆର କାର୍ଯ୍ୟରୁ ମୁକ୍ତି ଦେବା ପାଇଁ ନିବେଦନ କରିଛନ୍ତି। ଏଣୁ ସମ୍ବଦ୍ଧିତ ବିଏଲଓଙ୍କୁ ଏଥି ପାଇଁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି।

ରାଜ୍ୟରେ ନିର୍ବାଚନ ଆୟୋଗ ମାତ୍ର କିଛି ଦିନ ପୂର୍ବରୁ ବିଏଲଓଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଥିଲେ । ତେବେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତାଙ୍କ ସଚିବ ବିନୋଦ କୁମାରଙ୍କୁ ସୂଚିତ କରିଥିଲେ ଯେ କେତେକ ଜିଲ୍ଲା ମାଜିଷ୍ଟ୍ରେଟ୍ ଓ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ରିପୋର୍ଟରୁ ଜଣାପଡିଛି ଯେ କେତେକ ଶିକ୍ଷକ ବିଏଲଓ ନିଯୁକ୍ତି ପତ୍ର ସ୍ୱୀକାର କରୁ ନାହାନ୍ତି। ଏଣୁ ସେମାନେ କାହିଁକି ବିଏଲଓ ନିଯୁକ୍ତିକୁ ଟାଳୁ ଛନ୍ତି ତାର କାରଣ ଜାଣିବା ପାଇଁ ନୋଟିସ୍ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ବିଏଲଓ କାମ କରିବାକୁ ଶିକ୍ଷକ ଅମଙ୍ଗ ହେବା ପଶ୍ଚିମବଙ୍ଗରେ ନୂଆ କଥା ନୁହେଁ। ଏହା ପୂର୍ବରୁ ମଧ୍ୟ କେତେକ ବିଏଲଓଙ୍କୁ ଏଥି ପାଇଁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିଲା। ସେମାନଙ୍କୁ ନୋଟିସ୍ ମିଳିବାର ୭୨ ଘଣ୍ଟା ମଧ୍ୟରେ କାରଣ ଦର୍ଶାଇବାକୁ କୁହାଯାଇଥିଲା। ବିହାରରେ ଏସଆଇଆର ଶେଷ ହୋଇଥିବା ବେଳେ ଚୂଡ଼ାନ୍ତ ଭୋଟର ଲିଷ୍ଟ ମଧ୍ୟ ଘୋଷଣା ହୋଇଯାଇଛି। ତେବେ ଏହି ସର୍ଭେକ୍ଷଣ କେବଳ ବିହାର ନୁହେଁ ସାରା ଦେଶରେ ହେବ ବୋଲି ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏଣୁ ବିଭିନ୍ନ ରାଜ୍ୟରେ ଏବେ ଏସଆଇଆର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।

ଏଣୁ ସବୁ ଜିଲ୍ଲାରେ ଭୋଟର ଲିଷ୍ଟ ମ୍ୟାପିଙ୍ଗ ଓ ଅପଲୋଡିଂ କାମ ଚାଲିଛି। ସୂତ୍ର ଅନୁସାରେ ମ୍ୟାପିଙ୍ଗ ମାମଲାରେ ୨୦୦୨ର ଏସଆଇଆର ସୂଚୀକୁ ନୂଆ ଭୋଟର ଲିଷ୍ଟ ସହିତ ମିଳା ଯିବ। ଏଣୁ ଏଥର ଆୟୋଗ ଜଣ ଜଣ କରି ବିଏଲଓଙ୍କୁ ନୋଟିସ୍ ଜାରି କରିବା ଆରମ୍ଭ କରିଛନ୍ତି। ଅନ୍ୟପଟେ ନିର୍ବାଚନ ଆୟୋଗ ଦେଶର ସବୁ ନିର୍ବାଚନ ଅଧିକାରୀ (ସିଇଓ)ଙ୍କୁ ବୁଧବାର ଓ ଗୁରୁବାର ଦିଲ୍ଲୀ ଡକାଇଛନ୍ତି। କୁହାଯାଉଛି ଏସଆଇଆର ଉପରେ ଦିଲ୍ଲୀରେ କେନ୍ଦ୍ରୀୟ ବୈଠକ ଅନୁଷ୍ଠିତ ହେବ।

Scroll to Top