ନୂଆଦିଲ୍ଲୀ ୦୬/୧୧: ଓଡ଼ିଶା ଜନ୍ମିତ ମୀରା ନାୟରଙ୍କ ସୁପୁତ୍ର ହେଉଛନ୍ତି ମମଦାନି । ମୀରା ନାୟର ହେଉଛନ୍ତି ମନ୍ସୁନ୍ ୱେଡିଂ’ ଓ ‘ସଲାମ୍ ବମ୍ବେ’ ଭଳି ଫିଲ୍ମର ନିର୍ଦ୍ଦେଶକ । ମେୟର ନିର୍ବାଚିତ ହେବା ପରେ ନିଜ ଭାଷଣରେ ମମଦାନି ଜବାହରଲାଲ ନେହରୁଙ୍କ ୧୯୪୭ ଅଗଷ୍ଟ ୧୫ ଭାଷଣର କିଛି ଅଂଶ ‘ଟ୍ରଷ୍ଟ ୱିଥ୍ ଡେଷ୍ଟିନି’ ଦୋହରାଇଥିଲେ । ଭାଷଣ ପରେ ସେ ପତ୍ନୀଙ୍କ ସହ ‘ଧୁମ୍ ମଚା ଲେ’ ଗୀତରେ ଝୁମିଥିଲେ । ମା’ ମୀରା ମଞ୍ଚକୁ ଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ । ପିତା ମହମୁଦ ମମଦାନି ବି ଉପସ୍ଥିତ ଥିଲେ ।
ତେବେ ଏଠାରେ କହିରଖୁଛୁ ମମଦାନିଙ୍କ ମା’ ମୀରା ନାୟର ଓଡ଼ିଶାର ରାଉରକେଲାରେ ୧୯୫୭ ଅକ୍ଟୋବର ୧୫ରେ ଜନ୍ମିତ । ସେ ୭ରୁ ୧୦ ବର୍ଷ ବୟସ ପର୍ଯ୍ୟନ୍ତ ରାଉରକେଲାସ୍ଥିତ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିକ୍ଷା ଲାଭ କରିଥିଲେ । ଏହାପରେ ତାଙ୍କ ପରିବାର ଭୁବନେଶ୍ୱର ଚାଲିଆସିଥିଲେ । ଭୁବନେଶ୍ୱରରେ ସେ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ବିତାଇ ଏହାପରେ ଶିମଲା ଚାଲିଯାଇଥିଲେ । ମୀରାଙ୍କ ପିତା ଅମୃତଲାଲ ନାୟର ଆଇଏଏସ୍ ଅଧିକାରୀ ଥିଲେ । ସେ ସୁନ୍ଦରଗଡ଼ର ଜିଲ୍ଲାପାଳ ରହିଥିଲେ ।
ରାଉରକେଲାର ବିକାଶରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ମମଦାନିଙ୍କ ସମେତ ଭାରତୀୟ ମୂଳର ୩ ମୁସଲମାନ ପ୍ରାର୍ଥୀ ଆମେରିକା ରାଜନୀତିରେ ଇତିହାସ ରଚିଛନ୍ତି । ଅନ୍ୟ ଦୁଇଜଣ ହେଉଛନ୍ତି ଅଫତାବ ପୁରେୱାଲ ଏବଂ ଗଜାଲା ଫିରଦୋସ ହାଶ୍ମୀ । ଏମାନେ ଡେମୋକ୍ରାଟିକ ପାର୍ଟି ଟିକଟରେ ବିଜୟ ହାସଲ କରିବା ପରେ ବେଶ୍ ଚର୍ଚ୍ଚାକୁ ଆସିଛନ୍ତି । ମମଦାନିଙ୍କ ପିତାଙ୍କ ପୈତୃକ ସମ୍ପର୍କ ଗୁଜରାଟ ସହ ଜଡ଼ିତ । ମମଦାନିଙ୍କ ପିଲାଦିନର କିଛି ସମୟ ଦକ୍ଷିଣ ଆଫ୍ରିକାର କେପ୍ ଟାଉନରେ କଟିଛି । ସେ ୭ ବର୍ଷ ବୟସରେ ନ୍ୟୁୟର୍କ ଆସିଥିଲେ ।
୨୦୧୮ରେ ତାଙ୍କୁ ଆମେରିକାର ନାଗରିକତା ମିଳିଥିଲା । ସମାଜବାଦୀ ବିଚାରଧାରାର ୩୪ ବର୍ଷୀୟ ମମଦାନି ଜାନୁଆରୀ ୧ରୁ ନ୍ୟୁୟର୍କ ମେୟର ପଦ ସମ୍ଭାଳିବେ । ଗଜାଲା ହାଶ୍ମୀଙ୍କ ଜନ୍ମ ୧୯୬୪ରେ ଭାରତର ହାଇଦ୍ରାବାଦରେ ହୋଇଥିଲା । ତାଙ୍କ ପରିବାରର ମୂଳ କରାଚୀ (ପାକିସ୍ତାନ) ସହ ଜଡ଼ିତ । ସେ ମାତ୍ର ୪ ବର୍ଷ ବୟସରେ ପରିବାର ସହ ଆମେରିକା ଚାଲି ଆସିଥିଲେ । ସେ ଜର୍ଜିଆରେ ବଢ଼ିଛନ୍ତି । ୨୦୧୯ରେ ରିପବ୍ଲିକାନ୍ ଗ୍ଲେନ୍ ଷ୍ଟର୍ଟଇଭାଣ୍ଟଙ୍କୁ ପରାଜୟ କରି ଗଜାଲା ଭର୍ଜିନିଆ ଇତିହାସରେ ହଇଚଇ ସୃଷ୍ଟି କରିଥିଲେ ।
ଏବେ ସେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ହୋଇ ରାଜ୍ୟର ପ୍ରଥମ ମୁସ୍ଲିମ ଏବଂ ଭାରତୀୟ-ଆମେରିକୀୟ ଅଧିକାରୀ ବନିଛନ୍ତି । ୪୩ ବର୍ଷୀୟ ଅଫ୍ତାବ ପୁରେୱାଲ ୨୦୨୧ରେ ଓହିଓର ସିନ୍ସିନାଟି ସହରର ପ୍ରଥମ ଏସୀୟ-ଆମେରିକୀୟ ମେୟର ବନିଥିଲେ । ଏବେ ସେ ଦ୍ୱିତୀୟ ଥର ପାଇଁ ଏଠାରୁ ବିଜୟୀ ହୋଇଛନ୍ତି । ତାଙ୍କ ପିତା ପଞ୍ଜାବୀ ଏବଂ ମାତା ତିବ୍ଦତୀୟ ଶରଣାର୍ଥୀ । ପିଲାଦିନରୁ ହିଁ ତାଙ୍କର ରାଜନୀତି ପ୍ରତି ଆଗ୍ରହ ଥିଲା । ଅଷ୍ଟମ ଶ୍ରେଣୀରେ ଥିବାବେଳେ ସେ ପ୍ରଥମ ଛାତ୍ର ନିର୍ବାଚନ ଜିତିଥିଲେ ।
ଏହି ୩ ଡେମୋକ୍ରାଟ୍ ଜିତିବା ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବରାକ ଓବାମା ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏକ୍ସରେ ଓବାମା ପୋଷ୍ଟ କରିଛନ୍ତି, ‘ଯେତେବେଳେ ଆମେ ମଜଭୁତ, ଦୂରଦର୍ଶୀ ନେତାଙ୍କ ସହ ଏକଜୁଟ ହୋଇଥାଉ ସେତେବେଳେ ଆମେ ଜିତିଥାଉ । ଏବେ ବହୁତ କାମ କରିବାକୁ ବାକି ଅଛି । କିନ୍ତୁ ଆଜି ଭବିଷ୍ୟତ ଅଧିକ ଉଜ୍ଜ୍ୱଳ ଦେଖାଯାଉଛି ।




