ନୂଆଦିଲ୍ଲୀ: ହରିୟାଣାର ବରିଷ୍ଠ ଆଇପିଏସ୍ ଅଫିସର ୱାଇ ପୁରନ କୁମାରଙ୍କ ଅତ୍ମହତ୍ୟା ଘଟଣା ପୂରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ୫୨ ବର୍ଷୀୟ ପୋଲିସ ଅଧିକାରୀ ମଙ୍ଗଳବାର ନିଜ ଘରେ ନିଜକୁ ଗୁଳି କରିଥିଲେ । ତାଙ୍କ ମୃତ୍ୟୁ ପରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି । ତାଙ୍କ ସୁଇସାଇଡ୍ ନୋଟରେ ହରିୟାଣା ଡିଜିପି ଶତ୍ରୁଜିତ୍ କପୁର, ରୋହତକ ଏସପି ନରେନ୍ଦ୍ର ବିଜାରନିୟା ସମେତ ଆଠ ବରିଷ୍ଠ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ଜାତିଆଣ ଭେଦଭାବ ଓ ମାନସିକ ଉତ୍ପୀଡନର ଗମ୍ଭୀର ଅଭିଯୋଗ ଲଗାଇଛନ୍ତି ।
ଶନିବାର ହରିୟାଣା ସରକାର ରୋହତକ ଏସପି ନରେନ୍ଦ୍ର ବିଜାରନିୟଙ୍କୁ ପଦରୁ ହଟାଇ ଦେଇଛନ୍ତି । ପୁରନ ସିଂହଙ୍କ ପତ୍ନୀ, ଆଇଏଏସ୍ ଅଧିକାରୀ ଅମନୀତ ପି.କୁମାରଙ୍କ ଅଭିଯୋଗରେ ତାଙ୍କ ନାଁ ସାମିଲ ଥିଲା । ତେବେ ସରକାରୀ ଆଦେଶରେ ପୁରନ କୁମାର କେସ୍ କଥା ସିଧା ଉଲ୍ଲେଖ କରାଯାଇନି । ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀ କହିଛନ୍ତି ଯେ ତଦନ୍ତ ନିରପେକ୍ଷ ହେବ ଓ ଯିଏ ଦୋଷୀ, ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ।
ସେପଟେ ପୁରନ କୁମାରଙ୍କ ପରିବାର ଶବ ବ୍ୟବଚ୍ଛେଦ ପାଇଁ ଅନୁମତି ଦେବାକୁ ମନା କରିଦେଇଛନ୍ତି । ସେମାନଙ୍କ ଅଭିଯୋଗ ଯେ ତାଙ୍କୁ ନଜଣାଇ ଶବକୁ ସେକ୍ଟର ୧୬ର ସରକାରୀ ହସ୍ପିଟାଲରୁ ପିଜିଆଇଏମଇଆର ନିଆଯାଇଛି । ପରିବାର ଓ ଦଳିତ ସଂଗଠନ ଏହାକୁ ଅନ୍ୟାୟ ବୋଲି କହିଛନ୍ତି । ମୃତକଙ୍କ ସମ୍ପର୍କୀୟ ଓ ପଞ୍ଜାବ ଆପ୍ ବିଧାୟକ ଅମିତ୍ ରତନ କହିଛନ୍ତି, ଆମକୁ ବିନା ପଚାରି ମୃତଦେହକୁ ନିଆଯାଇଛି ।
ସେ କହିଛନ୍ତି ଯେ ଜଣେ ଡିଜିପି ସ୍ତରୀୟ ଅଧିକାରୀଙ୍କ ମୃତ୍ୟୁର ପାଞ୍ଚ ଦିନ ପରେ ମଧ୍ୟ ନ୍ୟାୟ ମିଳିନାହିଁ । ବାଲ୍ମିକୀ ସେନାର ସଦସ୍ୟ ମୁକେଶ କୁମାର ମଧ୍ୟ ପ୍ରଶାସନ ଉପରେ ପରିବାରର ସମ୍ମତି ବିନା ମୃତଦେହ ସ୍ଥାନାନ୍ତର କରିବାର ଅଭିଯୋଗ ଆଣିଛନ୍ତି । ସେ ଚେତାବନୀ ଦେଇଛନ୍ତି ଯେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ପୋଷ୍ଟମର୍ଟମ କିମ୍ବା ଶବଦାହ କରାଯିବ ନାହିଁ । ଶନିବାର ଦିନ ଅନେକ ବରିଷ୍ଠ ନେତା ପୂର୍ଣ୍ଣ କୁମାରଙ୍କ ପତ୍ନୀଙ୍କୁ ଭେଟିଥିଲେ, ଯେଉଁଥିରେ କଂଗ୍ରେସ ଏବଂ ଆମ ଆଦମୀ ପାର୍ଟିର ଅନେକ ନେତା ମଧ୍ୟ ସାମିଲ ଥିଲେ।
ବିରୋଧୀ ଦଳ ନେତା ରଣଦୀପ ସିଂହ ସୁରଜେୱାଲା, ଦୀପେନ୍ଦର ହୁଡା, ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ଚନ୍ନୀ, ଏବଂ ଆପ ନେତା ମନୀଷ ସିସୋଦିଆ ପରିବାର ପ୍ରତି ସମର୍ଥନ ଜଣାଇଥିଲେ । ସୁର୍ଜେୱାଲା କହିଥିଲେ, “ଯଦି ଜଣେ ଆଇପିଏସ ଅଫିସରଙ୍କୁ ନ୍ୟାୟ ଦିଆଯାଇପାରିବ ନାହିଁ, ତେବେ ସାଧାରଣ ଲୋକଙ୍କର କ‘ଣ ହେବ?” ଚରଣଜିତ ଚନ୍ନୀ ମଧ୍ୟ କହିଥିଲେ, “ପୁରଣ କୁମାର ଦଳିତ ଅଧିକାର ପାଇଁ ଲଢ଼ିଥିଲେ । ଏହା କେବଳ ଆତ୍ମହତ୍ୟା ନୁହେଁ, ବରଂ ବ୍ୟବସ୍ଥା ଉପରେ ଏକ ପ୍ରଶ୍ନ।” ବିଏସପି ମୁଖ୍ୟ ମାୟାବତୀ ମଧ୍ୟ ସୋସିଆଲ ମିଡିଆରେ ଦୋଷୀଙ୍କ ପାଇଁ କଠୋର ଦଣ୍ଡ ଦାବି କରିଛନ୍ତି।




