ଭୁବନେଶ୍ଵର: ନୂଆପଡ଼ା ଉପନିର୍ବାଚନକୁ ନେଇ ସରଗରମ ରାଜ୍ୟ ରାଜନୀତି। ନୂଆପଡ଼ା ରଣ ଜିତିବା ପାଇଁ ଜୋରଦାର କସରତ ଚଲାଇଛନ୍ତି ବିଜେପି, ବିଜେଡି ଓ କଂଗ୍ରେସ। ସର୍ବପୁରାତନ ରାଜନୈତିକ ଦଳ ପ୍ରାର୍ଥୀ ଘୋଷଣା କରି ସାରିଛି। ଏବେ ବିଜେପି ଓ ବିଜେଡିର ପାଳି। ଏହା ମଧ୍ୟରେ ନୂଆପଡ଼ା ଉପନିର୍ବାଚନ ପାଇଁ ଷ୍ଟିୟରିଂ ଓ ଜୋନାଲ୍ କମିଟି ଗଠନ କରିଛି ମୁଖ୍ୟ ବିରୋଧୀ ଦଳ ବିଜେଡି। ଷ୍ଟିୟରିଂ କମିଟିରେ ୬ ବରିଷ୍ଠ ନେତା, ଜୋନାଲ କମିଟିରେ ୧୦ ସଦସ୍ୟ ସାମିଲ।
ଷ୍ଟିୟରିଂ କମିଟିରେ ପ୍ରସନ୍ନ ଆଚାର୍ଯ୍ୟ, ନିରଞ୍ଜନ ପୂଜାରୀଙ୍କ ପରି ବରିଷ୍ଠ ନେତା ରହିଛନ୍ତି। ସେହିପରି ସ୍ନେହାଙ୍ଗିନୀ ଛୁରିଆ, ଟୁକୁନି ସାହୁ, ନିରଞ୍ଜନ ବିଶି ଓ ମହମ୍ମଦ ଆୟୁବ ଖାନଙ୍କ ପରି ନେତାଙ୍କୁ ମଧ୍ୟ ସ୍ଥାନ ମିଳିଛି। ସେହିପରି ଜୋନାଲ କମିଟିରେ କଳିକେଶ ନାରାୟଣ ସିଂ ଦେଓ, ସାରଦା ନାୟକ, ସୁଦାମ ମାରାଣ୍ଡି, ଦେବାଶିଷ ଆଚାର୍ଯ୍ୟ, ସରୋଜ ମେହେର, ମନୋହର ରାନ୍ଧାରି, ରୋହିତ ପୂଜାରୀ ଓ ପ୍ରଦୀପ ମାଝୀ ସାମିଲ୍।
ଏହା ପୂର୍ବରୁ ନୂଆପଡା ଉପନିର୍ବାଚନ ପାଇଁ ଜୟ ଢୋଲକିଆ ବିଜେଡି ପ୍ରାର୍ଥୀ ହେବେ ବୋଲି ଆଜି ସଙ୍କେତ ଦେଇଛନ୍ତି ବିଜେଡି ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର । ସେ କହିଛନ୍ତି, ଦିବଂଗତ ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରିବାରର କାହାକୁ ଟିକେଟ୍ ଦେବା ପାଇଁ ସ୍ଥାନୀୟ ବିଜେଡି ନେତାଙ୍କ ଆବେଗ ରହିଛି । ସବୁ ଦଳ ଯେତେ ଦମ୍ଭ ଦେଖାଇଲେ ମଧ୍ୟ ସମସ୍ତେ ଜାଣନ୍ତି ନୂଆପଡ଼ା ଜିଲ୍ଲାକୁ ବିଜୁ ବାବୁ ସୃଷ୍ଟି କରିଥିଲେ । ଢୋଲକିଆ ନୂଆପଡ଼ାର ଉନ୍ନତି ପାଇଁ ଅନେକ କାମ କରିଛନ୍ତି । ତେଣୁ ସେ ସେଠାରୁ ୪ ଥର ଜିତିଛନ୍ତି । ରାଜେନ୍ଦ୍ର ଢୋଲକିଆ ରାଜନେତା ଓ ସାମାଜିକ ନେତୃତ୍ୱ ନେବାରେ ବେଶ୍ ପାରଙ୍ଗମ ଥିଲେ । ବିଜେଡିର ପ୍ରାର୍ଥୀ ହିଁ ଢୋଲକିଆଙ୍କ ଆବର୍ତ୍ତମାନରେ ଜିତିବେ ।
ସୂଚନାଯୋଗ୍ୟ, କଂଗ୍ରେସ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରି ସାରିଛି। ଗତ ୨୦୨୪ ନିର୍ବାଚନରେ ସ୍ଵାଧୀନ ପ୍ରାର୍ଥୀ ହୋଇ ବିଜେଡିର ଦିବଙ୍ଗତ ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଅଙ୍କୁ ଟକ୍କର ଦେଇଥିବା ଘାସିରାମ ମାଝୀଙ୍କ ଉପରେ ଦଳ ପୂର୍ଣ୍ଣ ଆସ୍ଥା ପ୍ରକଟ କରିଛି। ଗତ ନିର୍ବାଚନରେ ଘାସିରାମ ସ୍ଵାଧୀନ ପ୍ରାର୍ଥୀ ଭାବେ ଲଢିଥିଲେ ଏବଂ ୫୦ ହଜାରରୁ ଅଧିକ ଭୋଟ୍ ପାଇଥିଲେ। ଏବେ ତାଙ୍କର ଲୋକପ୍ରିୟତାକୁ ପାଥେୟ କରି କଂଗ୍ରେସ ନୂଆପଡା ଉପନିର୍ବାଚନ ଜିତିବାକୁ ଅଣ୍ଟା ଭିଡ଼ିଛି।
ବିଜୁ ଜନତା ଦଳର ନେତା ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡ଼ା ବିଧାନସଭା ଆସନ ଖାଲି ରହିଛି। ଏହି ଆସନରୁ ରାଜେନ୍ଦ୍ର ଢୋଲକିଆ ୨୦୨୪ରେ ସ୍ଵାଧୀନ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ହରାଇ କ୍ରମାଗତ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ପୂର୍ବରୁ ସେ ୨୦୧୯ରେ ବିଜେଡି ଟିକେଟରୁ ଲଢି ଜିତିଥିଲେ। କିନ୍ତୁ ୨୦୨୫ ସେପ୍ଟେମ୍ବର ୮ରେ ତାଙ୍କର ପରଲୋକ ଘଟିଥିଲା। ଏହା ପରେ ଏବେ ଏହି ଆସନରେ ଉପ ନିର୍ବାଚନ ହେବାକୁ ଯାଉଛି।
ଇସିଆଇ ଅନୁଯାୟୀ, ଆସନ୍ତା ୧୩ରେ ନୂଆପଡ଼ା ଉପନିର୍ବାଚନର ବିଜ୍ଞପ୍ତି ପ୍ରକାଶ ପାଇବ। ଅକ୍ଟୋବର ୨୦ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି। ଅକ୍ଟୋବର ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୪ରେ ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ରହିଛି। ଏହା ପରେ ନଭେମ୍ବର ୧୧ରେ ଭୋଟିଂ ଥିବା ବେଳେ ନଭେମ୍ବର ୧୪ରେ ଭୋଟ୍ ଗଣତି ରହିଛି।




