ନିରଜ ଚୋପ୍ରା ହେଲେ ଲେଫ୍ଟନାଣ୍ଟ କର୍ଣ୍ଣେଲ, ସ୍ଥଳ ସେନାଧ୍ୟକ୍ଷ ଓ ରାଜନାଥ ସିଂହଙ୍କ ଉପସ୍ଥିତିରେ ଦିଆଗଲା ସମ୍ମାନ

ନିରଜ-ଚୋପ୍ରା-ହେଲେ-ଲେଫ୍ଟନାଣ୍ଟ-କର୍ଣ୍ଣେଲ,-ସ୍ଥଳ-ସେନାଧ୍ୟକ୍ଷ-ଓ-ରାଜନାଥ-ସିଂହଙ୍କ-ଉପସ୍ଥିତିରେ-ଦିଆଗଲା-ସମ୍ମାନ

ନୂଆଦିଲ୍ଲୀ ୨୨।୧୦:  ଅଲିମ୍ପିକ ପଦକ ବିଜେତା ତଥା ଜାଭଲିନ ଥ୍ରୋ ଖେଳାଳି ନିରଜ ଚୋପ୍ରାଙ୍କୁ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ସ୍ଥଳ ସେନା ଅଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ଉପସ୍ଥିତିରେ ଭାରତୀୟ ସେନାରେ ସମ୍ମାନଜନକ ଲେଫ୍ଟନାଣ୍ଟ କର୍ଣ୍ଣେଲ ଉପାଧି ପ୍ରଦାନ କରାଯାଇଛି। ୨୨ ଅକ୍ଟୋବର ୨୦୨୫ରେ ସାଉଥ ବ୍ଲକରେ ଅନୁଷ୍ଠିତ ପିପିଙ୍ଗ ସମାରୋହ ଅବସରରେ ଦୁଇଥରର ଅଲିମ୍ପିକ ମେଡାଲ ବିଜେତା ନିରଜ ଚୋପ୍ରାଙ୍କୁ ପ୍ରାଦେଶିକ ସେନାରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରତୀକ ଚିହ୍ନ ପ୍ରଦାନ କରାଯାଇଛି।

ଇଣ୍ଡିଆନ ଗେଜେଟ୍ ଅନୁସାରେ ଏହି ନିଯୁକ୍ତି ଏପ୍ରିଲ ୧୬ ତାରିଖରୁ ପ୍ରଭାବୀ ହୋଇଛି। ନିରଜ ୨୬ ଅଗଷ୍ଟ ୨୦୧୬ରେ ନାୟବ ସୁବେଦର ପଦବୀରେ ଜୁନିୟର କମିଶନଡ ଅଧିକାରୀ ରୂପେ ଭାରତୀୟ ସେନାରେ ଯୋଗ ଦେଇଥିଲେ। ୨ ବର୍ଷ ପରେ ଆଥଲେଟିକ୍ସରେ ତାଙ୍କ ପ୍ରଦର୍ଶନ ଲାଗି ତାଙ୍କୁ ଅର୍ଜ୍ଜୁନ ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ପରେ ୨୦୨୧ରେ କ୍ରିଡା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ଲାଗି ତାଙ୍କୁ ଖେଳ ରତ୍ନ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା।

#WATCH | Delhi | Olympic medallist javelin thrower Neeraj Chopra conferred the honorary rank of Lieutenant Colonel in the Indian Army, in the presence of Defence Minister Rajnath Singh and COAS General Upendra Dwivedi pic.twitter.com/bjLwuvoSLj

— ANI (@ANI) October 22, 2025

ନିରଜଙ୍କୁ ୨୦୨୧ରେ ସୁବେଦାର ପଦବୀକୁ ପଦୋନ୍ନତୀ ମଧ୍ୟ ମିଳିଥିଲା। ୨୦୨୦ ଟୋକିୟୋ ଅଲିମ୍ପିକରେ ଗୋଲ୍ଡ ମେଡାଲ ଜିତିବା ପରେ ୨୭ ବର୍ଷ ବୟଷ୍କ ଆଥଲେଟଙ୍କୁ ୨୦୨୨ ମସିହାରେ ଭାରତୀୟ ସେନା ଦ୍ୱାରା ପରମ ବିଶିଷ୍ଟ ସେବା ମେଡାଲରେ ସମ୍ମାନୀତ କରାଯାଇଥିଲା। ୨୦୨୨ରେ ତାଙ୍କୁ ସୁବେଦାର ମେଜର ପଦବୀକୁ ପଦୋନ୍ନତୀ ମଧ୍ୟମିଳିଥିଲା। ସେହିବର୍ଷ ତାଙ୍କୁ ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମ ଶ୍ରୀରେ ମଧ୍ୟ ସମ୍ମାନୀତ କରାଯାଇଥିଲା।

ତେବେ ନିରଜ ଚୋପ୍ରା ନିକଟରେ ଅନୁଷ୍ଠିତ ୱାର୍ଲଡ ଆଥଲେଟିକ୍ସ ଚାମ୍ପିୟନସିପ୍ ରେ ତାଙ୍କ ଟାଇଟଲ ରକ୍ଷା କରିବାରେ ବିଫଳ ହୋଇଛନ୍ତି। ନିରଜଙ୍କ ନଜର ଏବେ ଆଗାମୀ ବର୍ଷ ଅନୁଷ୍ଠିତ ହେବାକୁ ଯାଉଥିବା ଏସିୟାନ ଗେମ୍ସ ଉପରେ ରହିଛି। ସେ ଏଥିରେ ଗୋଲ୍ଡ ମେଡାଲ ପାଇଁ ଆଶାୟୀ ଅଛନ୍ତି। ଏଠାରେ ତାଙ୍କୁ ପାକିସ୍ତାନୀ ଜାଭଲିନ ଥ୍ରୋଅର ଅରସଦ ନଦୀମଙ୍କ ଠାରୁ କଡ଼ା ଚ୍ୟାଲେଞ୍ଜ ମିଳିପାରେ ବୋଲି ଆକଳନ କରାଯାଉଛି।    

Scroll to Top