ଭୁବନେଶ୍ଵର: ନବୀନଙ୍କ ବେଇମାନ ଆକ୍ଷେପରେ ହଲଚଲ ନୂଆପଡା ରାଜନୀତି । ଗତକାଲି ପ୍ରଚାର ବେଳେ ନବୀନ ବିଜେପି ଓ ଜୟଙ୍କୁ ବେଇମାନ ବୋଲି ଆକ୍ଷେପ କରିବା ପରେ ଆଜି ଦିନ ତମାମ ଏହାକୁ ନେଇ ତେଜିଛି ରାଜନୀତି । ବିଜେପିର ବିଭିନ୍ନ ନେତା ଓ ଜୟ ଢୋଲକିଆ ଏବଂ ତାଙ୍କ ମା ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେପଟେ ବିଜେଡି ବିଜେପିକୁ କାଉଣ୍ଟର କରିଛି । ଯାହାକୁ ନେଇ ନୂଆପଡା ପ୍ରଚାର ମୈଦାନରେ ଏବେ କାଦୁଅଫିଙ୍ଗା ଆରମ୍ଭ ହୋଇଛି ।
ନୂଆପଡା ନିର୍ବାଚନ ପ୍ରଚାରରେ ବେଇମାନ ବୋମା । ପ୍ରଚାର ମୈଦାନକୁ ଓହ୍ଲାଇ ବିରୋଧିଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟନାୟକ ଉଭୟ ଜୟ ଢୋଲକିଆ ଓ ବିଜେପିକୁ ବେଇମାନ ବୋଲି ଆକ୍ଷେପ କରିବା ପରେ ବିସ୍ଫୋରଣ ହୋଇଛି ନୂଆପଡା ରାଜନୀତି । ବିଜେପିର ଅନେକ ନେତା ଏନେଇ ନବୀନଙ୍କୁ ପ୍ରଶ୍ନ କରିଛନ୍ତି, ଅସଲରେ କିଏ ବେଇମାନ୍ ।ବିଜେପି ନେତାମାନେ ଏନେଇ ସାମାଜିକ ଗଣ ମାଧ୍ୟମରେ ନବୀନଙ୍କୁ ଟାର୍ଗେଟ କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ତାଙ୍କ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ବିଶ୍ବାସଘାତ କଣ ଏବେ ବୋଧେ ଛାମୁଙ୍କୁ ଲା
ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ ମଧ୍ୟ ଏନେଇ ନବୀନଙ୍କୁ ଟାର୍ଗେଟ କରି ଏକ୍ସରେ ଲେଖିଛନ୍ତି, ୨୪ ବର୍ଷ ଓଡିଶାବାସୀ ଆପଣଙ୍କୁ ଭଲ ପାଇବା ଦେଇ ସେମାନେ ଆପଣଙ୍କୁ ଭେଟିପାରିଲେ ନାଁ ଆପଣ ସେମାନଙ୍କ ସହ ମିଶିଲେ ନାହିଁ । ତେଣୁ ଆପଣକୁହନ୍ତୁ ବେଇମାନ କିଏ ।ସେପଟେ ନିଜେ ଜୟ ଢୋଲକିଆ ନବୀନଙ୍କ ପ୍ରଶ୍ନର ଉତ୍ତର ଦେବା ସହ ପାଲଟା ଆକ୍ରମଣ କରି କହିଛନ୍ତି, ମୋ ବାପା ଯେତେବେଳେ ହସ୍ପିଟାଲରେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ ସେତେବେଳେ, ନବୀନ ବାବୁ ହସ୍ପିଟାଲ ଆସିଲେନି କି ଫୋନ କରି ପଚାରିଲେ ନାହିଁ। କିନ୍ତୁ ଏବେ ପ୍ରଚାରରେ ଆସି ସହାନୁଭୂତି ନେବାକୁ ଚେଷ୍ଟା କରୁଛନ୍ତି ।
ସେପଟେ ଜୟଙ୍କୁ କାଉଣ୍ଟର କରି ବିଜେଡି ନେତା ସଂଜୟ ଦାସ ବର୍ମା କହିଛନ୍ତି, ରାଜେନ୍ଦ୍ର ଢୋଲକିଆଙ୍କ ବିଚାର ଧାରାକୁ ହତ୍ୟା କରି ଜୟ ବିଜେପି ଗଲେ। ସେ ନିଜେ କହିଥିଲେ ବିଜେଡ଼ି ପ୍ରାର୍ଥୀ ହେବେ। ତାପରେ ଦିଲ୍ଲୀରେ କଣ ଡିଲ ହେଲା, ସେ ବିଜେପି ପଳାଇଲେ ।
ବେଇମାନ କିଏ ତାକୁ ନେଇ କାଦୁଅ ଫିଙ୍ଗା ଚାଲିଥିବା ବେଳେ ସ୍ଵର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ କଳ୍ପନା ଢୋଲକିଆଙ୍କ ଭିଡ଼ିଓ ବାର୍ତ୍ତା ଏ ଘଟଣାକୁ ଅଧିକ ତେଜିଛି। ସେ କହିଛନ୍ତି, ଯେତେବେଳେ ରାଜେନ୍ଦ୍ର ଢୋଲକିଆଙ୍କ ସ୍ବାସ୍ଥ୍ୟ ଖରାପ ଥିଲା ସେତେବେଳେ ବିଜେଡି ନେତାଏ ଫୋନ୍ କଲେନି କି ହସ୍ପିଟାଲରେ ଚିକିତ୍ସା ନେଇ ପଚାରିଲେନି। ଶେଷ ସମୟରେ ଦଳ ନପଚାରିବାରୁ ଢୋଲକିଆ ଭାଙ୍ଗିପଡିଥିଲେ ବୋଲି କହିଛନ୍ତି କଳ୍ପନା । ବିଜେଡି ପ୍ରଚାର ବେଳେ ରାଜେନ୍ଦ୍ର ଢୋଲକିଆଙ୍କ ନାଁ ବ୍ୟବହାର ନକରୁ ବୋଲି କଳ୍ପନା କହିଛନ୍ତି ।
ସେପଟେ ବିଜେଡି ଏହାକୁ କାଉଣ୍ଟର କରି କହିଛି, ଢୋଲକିଆଙ୍କୁ ଏୟାର ଲିପ୍ଟ କରି କିଏ ବିଶାଖାପାଟଣା ନେଇଥିଲେ । ତାଙ୍କ ଶ୍ରାଦ୍ଧରେ ନବୀନ ବାବୁ ମହିଳାଙ୍କୁ ଶାଢୀ ବାଣ୍ଟିବାକୁ ଦେଲେ, ହେଲେ ସେ ଶାଢ଼ୀକୁ ଏବେ ବିଜେପି ପାଇଁ ଜୟ ବାଣ୍ଟୁଛନ୍ତି ବୋଲି ନିଶାନା ସାଧିଛି ବିଜେଡି।
ବିଜେପ- ବିଜେଡି ଉଭୟ ପୋଷ୍ଟର ରେ ରାଜେନ୍ଦ୍ର ଢୋଲକିଆ ରହିବା ଠାରୁ ଆରମ୍ଭ ହୋଇଥିବା ନୂଆପଡ଼ା ଉପନିର୍ବାଚନ ରାଜନୀତି ଏବେ ବେଇମାନ ସ୍ତର ଦେଇ ବ୍ୟକ୍ତିଗତ ଆକ୍ଷେପ ଆଡ଼କୁ ଗଲାଣି ।ନିର୍ବାଚନ ପ୍ରଚାର ଆଉ ମାତ୍ର ୫ ଦିନ ଥିବାରୁ କାଦୁଅଫିଙ୍ଗା ଆହୁରି ବଢିବ ବୋଲି ଆଲୋଚନା ହେଉଛି ।




