ନଦୀକୂଳରୁ ବ୍ୟକ୍ତିଙ୍କ କ୍ଷତବିକ୍ଷତ ମୃତଦେହ ମିଳିବା ଘଟଣା, ୬ ଗିରଫ
Published By: Deepak – Prameya-News7 Bureau | November 04, 2025 11:00 PM
NEWS7
ବଡ଼ବିଲ: କେନ୍ଦୁଝର ଚମ୍ପୁଆ ଥାନା ଇଚିଣ୍ଡା ଅରଡ଼େଇ ନଦୀ କୂଳରୁ ବ୍ୟକ୍ତିଙ୍କ କ୍ଷତ ବିକ୍ଷତ ମୃତଦେହ ମିଳିବା ଘଟଣାରେ ଛଅଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ୍। ସମସ୍ତ ଅଭିଯୁକ୍ତ ରିମୁଳି ଗ୍ରାମର । ସମସ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି।
ସୂଚନା ଅନୁଯାୟୀ, ଗତ ରବିବାର ଦିନ ପ୍ରାୟ ୨ଟା ସମୟରେ ରିମୁଳି ମଙ୍କଡିଆ ସାହିର ଜନୈକ ବ୍ୟକ୍ତିଙ୍କ ଏକ ମୃତ ଗୋରୁକୁ ପୋତିବା ପାଇଁ କାଳିକାପ୍ରସାଦ ଗ୍ରାମର କିରାଣୀ ବେହେରା ନିଜ ପୁତୁରା ଓ ଅନ୍ୟ ଦୁଇ ଜଣ ବ୍ୟକ୍ତିଙ୍କ ସହ ଇଚିଣ୍ଡା ଗ୍ରାମ ଅରଡେଇ ନଦୀ କୂଳକୁ ଯାଇଥିଲେ । ତେବେ ସେମାନେ ମଲା ଗୋରୁକୁ ସେଠାରେ ନ ପୋତି ଖଣ୍ଡ ଖଣ୍ଡ କରି କାଟୁଥିଲେ । ଏହା ଜାଣିବା ପରେ ରିମୁଳି ଗାଁରୁ କିଛି ଯୁବକ ଆସି ସେମାନଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଅତ୍ୟଧିକ ମାଡ଼ ଯୋଗୁଁ ଘଟଣା ସ୍ଥଳରେ ହିଁ କିରାଣୀ ବେହେରାଙ୍କ ମୃତ୍ୟୁ ଘଟିଥିଲା। ତଦନ୍ତ ପରେ ମୁନା କାଳନ୍ଦୀ, ରତିରଞ୍ଜନ ନାଏକ, ଅଭିଷେକ ବେହେରା, ଲକ୍ଷ୍ମୀକାନ୍ତ ସାହୁ, ସାଜନ ନାଏକ ଓ ଯଯାତି ମହାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ଚମ୍ପୁଆ ପୋଲିସ୍ ।




