ନୂଆଦିଲ୍ଲୀ ୧୬/୦୮: ସେହଓ୍ୱାଗଙ୍କ ପରେ ପଠାନ । ଦୀର୍ଘ ଦିନ ପରେ ଖୋଲିଲେ ମୁହଁ । ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନଙ୍କ ବିଷୟରେ ଖୁଲାସା କରିଛନ୍ତି ପୂର୍ବତନ ଅଲ୍ରାଉଣ୍ଡର । ଅର୍ଥାତ୍ ବୀରେନ୍ଦ୍ର ସେହଓ୍ୱାଗଙ୍କ ପରେ ଯନ୍ତ୍ରଣା ବଖାଣିଛନ୍ତି ଇରଫାନ ପଠାନ । କ୍ରିକେଟ କ୍ୟାରିୟରକୁ ନେଇ ସହିତ ଜଡିତ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି ।
ପଠାନ କହିଛନ୍ତି ଯେ, ୨୦୦୯ରେ ତାଙ୍କୁ ଦଳରୁ ବାହାର କରିବାରେ ଥିଲା ତତ୍କାଳୀନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଗୁରୁତ୍ୱପୂର୍ଣ୍ଣ ଭୂମିକା । ଇରଫାନ ପଠାନ କହିଛନ୍ତି ଯେ ଶ୍ରୀଲଙ୍କା ସିରିଜରେ ଦମଦାର ପ୍ରଦର୍ଶନ ସତ୍ତ୍ୱେ, ୨୦୦୯ ନ୍ୟୁଜିଲ୍ୟାଣ୍ଡ ଗସ୍ତ ସମୟରେ ତାଙ୍କୁ ଗୋଟିଏ ବି ମ୍ୟାଚ୍ ଖେଳିବାର ସୁଯୋଗ ଦିଆଯାଇ ନଥିଲା ।
ଇରଫାନ ପଠାନ ଏକ ସାକ୍ଷାତକାରରେ କହିଥିଲେ ଯେ ସେ ତତ୍କାଳୀନ ପ୍ରଶିକ୍ଷକ ଗ୍ୟାରି କର୍ଷ୍ଟେନଙ୍କୁ ପଚାରିଥିଲେ ଯେ ତାଙ୍କୁ କାହିଁକି ବାହାରେ ରଖାଯାଇଛି । ଏହା ଉପରେ କର୍ଷ୍ଟେନ ଇରଫାନ ପଠାନଙ୍କୁ ଦୁଇଟି କାରଣ କହିଥିଲେ । ପଠାନଙ୍କ କହିବା କଥା କର୍ଷ୍ଟେନ କହିଥିଲେ ଯେ ନିଷ୍ପତ୍ତି ତାଙ୍କ ହାତରେ ନାହିଁ । ଏହା ସହିତ, ଦ୍ୱିତୀୟ କାରଣ ହେଉଛି ଯେ ଦଳ ଜଣେ ବ୍ୟାଟିଂ ଅଲରାଉଣ୍ଡର ସହିତ ଯିବାକୁ ଚାହୁଥିଲା । ଏହି ଭୂମିକା ତାଙ୍କ ଭାଇ ୟୁସୁଫ ପଠାନଙ୍କୁ ଦିଆଯାଇଥିଲା । କାରଣ ଇରଫାନ ଥିଲେ ଜଣେ ବୋଲିଂ ଅଲରାଉଣ୍ଡର ।

ଇରଫାନ ଆହୁରି କହିଛନ୍ତି, ‘ମୁଁ ପଚାରିଥିଲି ଏହା କାହା ହାତରେ, କିନ୍ତୁ ସେ ମୋତେ କିଛି କହି ନଥିଲେ । ହେଲେ ମୁଁ ପୂର୍ବରୁ ଜାଣିଥିଲି ଏହା କାହା ହାତରେ । ପ୍ଲେଇଂ ଇଲେଭେନ ଅଧିନାୟକଙ୍କ ପସନ୍ଦ ଦ୍ୱାରା ନିର୍ଣ୍ଣୟ କରାଯାଏ । ଏହି ନିଷ୍ପତ୍ତି ଅଧିନାୟକ, ପ୍ରଶିକ୍ଷକ ଏବଂ ମ୍ୟାନେଜମେଣ୍ଟର । ସେତେବେଳେ ଧୋନି ଅଧିନାୟକ ଥିଲେ । ମୁଁ ଏହା ବିଷୟରେ କହିବାକୁ ଚାହୁନାହିଁ ଯେ ସେହି ନିଷ୍ପତ୍ତି ଠିକ୍ ଥିଲା କି ଭୁଲ, କାରଣ ପ୍ରତ୍ୟେକ ଅଧିନାୟକଙ୍କୁ ନିଜସ୍ୱ ଢଙ୍ଗରେ ଦଳ ଚଳାଇବାର ଅଧିକାର ଅଛି ।’
ଇରଫାନ ପଠାନ କୁହନ୍ତି, ‘ଯଦି ମୋ ସ୍ଥାନରେ ଅନ୍ୟ କୌଣସି ଖେଳାଳି ଥାଆନ୍ତେ, ତେବେ ତାଙ୍କୁ କେବେବି ଗୋଟିଏ ବର୍ଷ ପାଇଁ ବାଦ ଦିଆଯାଇନଥାଆନ୍ତା । ଆମେ ଦୁଇ ଭାଇ ଶ୍ରୀଲଙ୍କାରେ ମ୍ୟାଚ୍ ଜିତାଇ ଥିଲୁ କିନ୍ତୁ ମୋତେ ନ୍ୟୁଜିଲାଣ୍ଡରେ ଗୋଟିଏ ବି ମ୍ୟାଚ୍ ପାଇଁ ସାମିଲ କରାଯାଇନଥିଲା । ଶ୍ରୀଲଙ୍କା ବିପକ୍ଷ ସେହି ମ୍ୟାଚ୍ରେ ୨୭ କିମ୍ବା ୨୮ ବଲ୍ରେ ୬୦ ରନ୍ ଆବଶ୍ୟକ ଥିଲା , ଯେଉଁଠି ଆମ ପ୍ରଦର୍ଶନ ଭାରତକୁ ବିଜୟୀ କରାଇଥିଲା ।
ନ୍ୟୁଜିଲାଣ୍ଡ ଗସ୍ତରେ, ମୋତେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ମ୍ୟାଚ୍ରୁ ବାହାରେ ରଖାଯାଇଥିଲା । ଚତୁର୍ଥ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହେଲା । ମୁଁ ଶେଷ ମ୍ୟାଚ୍ରେ ମଧ୍ୟ ନ ଥିଲି । ତା’ପରେ ମୁଁ ଗ୍ୟାରି ସାର୍ଙ୍କୁ ପଚାରିଲି ଯେ ମୋତେ କାହିଁକି ବାଦ ଦିଆଯାଇଥିଲା । ଯଦି କିଛି ଉନ୍ନତି କରିବାର ଆବଶ୍ୟକତା ଥାଆନ୍ତା, ତେବେ ସେ ମୋତେ କହିପାରିଥାଆନ୍ତେ। ଇରଫାନ ପଠାନ ୨୦୧୧ରେ ଦଳକୁ କମବ୍ୟାକ କରିଥିଲେ ।

୨୦୧୨ ପର୍ଯ୍ୟନ୍ତ ଭାରତ ପାଇଁ ଖେଳିଥିଲେ । ୨୦୧୨ରେ, ଇରଫାନ ଭାରତ ପାଇଁ ମୋଟ ୨୦ ଟି ମ୍ୟାଚ୍ ଖେଳିଥିଲେ, ଯେଉଁଥିରେ ସେ ୨୧୧ ରନ କରିଥିଲେ ଏବଂ ୩୧ ଟି ୱିକେଟ ନେଇଥିଲେ । ୨୦୨୦ରେ ସେ ସମସ୍ତ ଫର୍ମାଟ କ୍ରିକେଟରୁ ଅବସର ନେଇଥିଲେ । ଇରଫାନ ପଠାନ ୨୯ ଟେଷ୍ଟ, ୧୨୪ ଟି ଦିନିକିଆ ଏବଂ ୨୪ ଟି ୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ ।
ଟେଷ୍ଟ କ୍ରିକେଟରେ, ଇରଫାନ ୩୧.୫୭ ହାରରେ ୧୧୦୫ ରନ କରିଥିଲେ । ସେ ୩୨.୨୬ ହାରରେ ୧୦୦ ଟି ୱିକେଟ ମଧ୍ୟ ନେଇଥିଲେ । ଏକଦିବସୀୟ ଅନ୍ତର୍ଜାତୀୟରେ, ସେ ୧୭୩ ଟି ୱିକେଟ ଏବଂ ୧୫୪୪ ରନ କରିଥିଲେ । ସେହିପରି ଟି ୨୦ ଅନ୍ତର୍ଜାତୀୟରେ, ଇରଫାନଙ୍କ ନାମରେ ୨୮ ଟି ୱିକେଟ ଏବଂ ୧୭୨ ରନ ଅଛି ।




