ଦୁବାଇ ଏୟାର ଶୋ’ରେ ତେଜସ୍ ଲଢ଼ୁଆ ବିମାନ କ୍ରାସ୍‌

ଦୁବାଇ-ଏୟାର-ଶୋ’ରେ-ତେଜସ୍-ଲଢ଼ୁଆ-ବିମାନ-କ୍ରାସ୍‌

ନୂଆଦିଲ୍ଲୀ: ଏୟାର ଶୋ’ରେ କ୍ରାସ ହେଲା ତେଜସ୍ ବିମାନ । ଖବର ସରବରାହ ସଂସ୍ଥା ଏପିର ରିପୋର୍ଟ ଅନୁଯାୟୀ, ଦୁବାଇ ଏୟାର ଶୋ’ରେ ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା ଏକ ତେଜସ୍ ବିମାନ ଶୁକ୍ରବାର ଅପରାହ୍ନରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ସ୍ଥାନୀୟ ସମୟ ପ୍ରାୟ ଅପରାହ୍ନ ୨.୧୦ ସମୟରେ ଆକାଶ ମାର୍ଗରେ ପ୍ରଦର୍ଶନ କରୁଥିବା ସମୟରେ ଏଚଏଏଲ ନିର୍ମିତ ତେଜସ୍ ବିମାନଟି ଖସି ପଡ଼ିଛି। ଏହି ଏୟାର ଶୋ’ ଦେଖିବା ଲାଗି ପ୍ରବଳ ଜନସମାଗମ ହୋଇଥିଲା  ।

ଦୁର୍ଘଟଣାସ୍ଥଳରୁ ଘନ କଳା ଧୂଆଁ ଉଠିଥିଲା । ଏହି ଦୁର୍ଘଟଣା ପରେ ଦର୍ଶକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଏୟାର ଶୋ’ ଦେଖିବାକୁ ପରିବାର ସହ ପିଲାମାନେ ମଧ୍ୟ ଆସିଥିଲେ । ଉଦ୍ଧାରକାରୀ ଦଳଗୁଡ଼ିକ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେପଟେ ଘଟଣା ସଂପର୍କରେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିବାରେ ଲାଗିଛି । 

ଦୁବାଇର ଅଲ ମକତୁମ ଏୟାରପୋର୍ଟ ନିକଟରେ ତେଜସ୍‌ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ବେଳର ଏକ ଭିଡିଓ ସାମ୍ନାକୁ ଆସିଛି । ଏଥି​‌ରେ ବିମାନଟି ତଳକୁ ଖସିପଡ଼ିବା ପରେ ଜଳି ଯାଇଥିବା ଦେଖିବାକୁ ମିଳିଛି । ଭୟଙ୍କର ବିସ୍ଫୋରଣ ପରେ କଳ ଧୂଆଁ ପ୍ରବଳ ଉଚ୍ଚକୁ ଉଠିଛି । ତେବେ ଏହି ଦୁର୍ଘଟଣାରେ କ୍ଷୟକ୍ଷତି ନେଇ ଅଧିକ ସୂଚନା ମିଳିନାହିଁ । ସୂଚନାଯୋଗ୍ୟ, ଏହା ପୂର୍ବରୁ ୨୦୨୪ରେ ଜୈସାଲମେରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଭାରତୀୟ ବାୟୁସେନାର ତେଜସ୍‌ ଲଢ଼ୁଆ ବିମାନ । 

ସେପଟେ ତେଜସ୍ ବିମାନରେ ଥିବା ପାଇଲଟଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ପ​‌ଷ୍ଟ କରିଛି ଭାରତୀୟ ବାୟୁସେନା । ଏହା ପୂର୍ବରୁ ଆଇଏଏଫର ଜଣେ ମୁଖପାତ୍ର କହିଥିଲେ, ‘ଦୁବାଇ ଏୟାର ଶୋ’-୨୫ରେ ତେଜସ୍‌ ବିମାନ ଦୁର୍ଘଟଣା ନେଇ ଜାଣିବାକୁ ପାଇଛୁ । କିନ୍ତୁ ଏନେଇ ଆମେ ଅଧିକ ତଥ୍ୟ ସଂଗ୍ରହ କରୁଛୁ । ଅଧିକ ତଥ୍ୟ ମିଳିବା ପରେ ଆମେ ସୂଚନା ଦେବୁ ।’

ଏମିରେଟସ୍‌ର ୪୦ ତମ ପ୍ରତିଷ୍ଠା ଦିବସ ଅବସରରେ ଏହି ଏୟାର ଶୋ’ ଆୟୋଜିତ ହୋଇଛି । ଏହି ଶୋ’ରେ ଅଂଶଗ୍ରହଣ କରିଥିବା ଦେଶଗୁଡ଼ିକ ପାଇଁ ଏହା ଗୁରୁତ୍ବପୂର୍ଣ୍ଣ । ଏଥିରେ ସାମିଲ ହୋଇଥିବା ଲଢ଼ୁଆ ବିମାନଗୁଡ଼ିକ ଉପରେ ସମଗ୍ର ବିଶ୍ବର ନଜର ରହିଛି । ଆଧୁନିକ ଏବଂ ଶକ୍ତିଶାଳୀ ଲଢ଼ୁଆ ବିମାନ କ୍ରୟ କରିବାକୁ ଚାହିଁବେ ଅନେକ ଦେଶ । କିନ୍ତୁ ଏଭଳି ସମୟରେ ଭାରତୀୟ ଜ୍ଞାନକୌଣଳରେ ନିର୍ମିତ ତେଜସ୍‌ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଭାରତ ପାଇଁ ଆଦୌ ଶୁଭ ଖବର ନୁହେଁ । 

Scroll to Top