ଦୀପାବଳିରେ ଦିଲ୍ଲୀବାସୀ ପିଇଗଲେ ଏତେ ଟଙ୍କାର ମଦ, ଉଛୁଳିଲା ସରକାରଙ୍କ ରାଜକୋଷ

ଦୀପାବଳିରେ-ଦିଲ୍ଲୀବାସୀ-ପିଇଗଲେ-ଏତେ-ଟଙ୍କାର-ମଦ,-ଉଛୁଳିଲା-ସରକାରଙ୍କ-ରାଜକୋଷ

ନୂଆଦିଲ୍ଲୀ ୨୪।୧୦: ଦିଲ୍ଲୀ ସରକାର ନିକଟରେ ଏକ ଡାଟା ଜାରି କରିଛନ୍ତି। ଏଥିରେ ଦୀପାବଳି ପାର୍ବଣରେ ଦିଲ୍ଲୀର ଲୋକେ ଏତେ ମଦ ପିଇଛନ୍ତି ଯେ ସେଥରୁ କେବଳ ଟ୍ୟାକ୍ସ ଆକାରରେ ସରକାରଙ୍କ ରାଜକୋଷ ଉଛୁଳିଛି। ସରକାରଙ୍କ ତଥ୍ୟ ଅନୁସାରେ ଗତବର୍ଷ ଦୀପାବଳି ବେଳେ ହୋଇଥିବା ମଦ କାରବାରରୁ ଯେତିକି ଟଙ୍କା ଶୁଳ୍କ ଅସୁଲ ହୋଇଥିଲା ଏଥର ଦୀପାବଳିରେ ତାଠାରୁ ୧୫% ଅଧିକ ହୋଇଛି। ସରକାରଙ୍କ ଅନୁସାରେ ଦୀପାବଳି ସମୟରେ ରିଟେଲ ବିକ୍ରିରୁ ଦିଲ୍ଲୀ ସରକାରଙ୍କୁ ପାଖାପାଖି ୬୦୦ କୋଟି ଟଙ୍କା ଅବକାରୀ ରାଜସ୍ୱ ମିଳିଛି।

ଦିଲ୍ଲୀ ସରକାରଙ୍କ ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଦୀପାବଳି ପୂର୍ବ ୧୫ ଦିନରେ ସରକାରୀ ମଦ ଦୋକାନମାନଙ୍କରେ ୫୯୪ କୋଟି ଟଙ୍କାର ବିକ୍ରି ରେକର୍ଡ ହୋଇଥିଲା। ୨୦୨୪ର ଏହି ଅବଧିରେ ବିକ୍ରି ପରିମାଣ ୫୧୬ କୋଟି ଟଙ୍କା ଥିଲା। ଅଧିକାରୀ କହିଛନ୍ତି ଯେ ଚଳିତବର୍ଷ ଦୀପାବଳି ପୂର୍ବ ୧୫ ଦିନରେ ମୋଟ ମଦ ବିକ୍ରିରେ ୧୫% ବୃଦ୍ଧି ରେକର୍ଡ କରାଯାଇଛି। ଅଧିକାରୀଙ୍କ ତଥ୍ୟ ଅନୁସାରେ ୨୦୨୫-୨୬ ପ୍ରଥମ ଷାଣ୍ମାସିକରେ ଉତ୍ପାଦ ଶୁଳ୍କ ଓ ମୂଲ୍ୟ ଯୁକ୍ତ କର (ଭିଏଟି) ମିଶି ମୋଟ ରେଭିନ୍ୟୁ ୪,୧୯୨.୮୬ କୋଟି ଟଙ୍କା ଆଦାୟ ହୋଇଛି। ପୂର୍ବ ବର୍ଷ ସମାନ ଅବଧିରେ ଏହି ଶୁଳ୍କ ପରିମାଣ ୩,୭୩୧.୭୯ କୋଟି ଟଙ୍କା ଥିଲା।

ଏଥିରେ ଦୀପାବଳିରେ ବଢିଥିବା ବିକ୍ରିରୁ ଅବକାରୀ ବିଭାଗ ଜାରି ଆର୍ଥିକ ବର୍ଷରେ ୬,୦୦୦ କୋଟି ଟଙ୍କାର ଧାର୍ଯ୍ୟ ରାଜସ୍ୱ ଲକ୍ଷ ଅସୁଲ ହୋଇଯିବ ବୋଲି ଆଶା ବ୍ୟକ୍ତ କରିଛି। କାରଣ ନୂଆ ବର୍ଷ ବେଳେ ହେବାକୁ ଥିବା ବିକ୍ରିରୁ ମଧ୍ୟ ସମର୍ଥନ ମିଳିବ ବୋଲି ଆଶା କରାଯାଉଛି। ୨୦୫-୨୬ ବଜେଟରେ ଉତ୍ପାଦ ଶୁଳ୍କ ଲକ୍ଷ୍ୟ ୭,୦୦୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲା। ତେବେ ପରେ ଏହାକୁ ସଂଶୋଧନ କରି ୬,୦୦୦ କୋଟି କରାଯାଇଛି।

ଅଧିକାରୀମାନେ କହିଛନ୍ତି ଯେ ବର୍ଷର ଶେଷ ଦୁଇ ମାସରେ ମଦବିକ୍ରି ଆହୁରି ବୃଦ୍ଧି ହୋଇପାରେ। ନଭେମ୍ବର ଓ ଡିସେମ୍ବର ଦେଶରେ ବିବାହ ଋତୁ ଏଣୁ ମଦ ବିକ୍ରି ବଢିବ ବୋଲି ଅଧିକାରୀମାନେ ଆକଳନ କରିଛନ୍ତି। ଏଥି ପାଇଁ ଉତ୍ସବରେ ପରଷିବା ବାଇଁ ପାଇକାରୀ ଦରରେ  ମଦ କିଣିବା ପାଇଁ ଟେମ୍ପରାରି ଲାଇସେନ୍ସ ନେବାକୁ ମଧ୍ୟ ଲୋକଙ୍କୁ  ଅବକାରୀ ବିଭାଗ ଉତ୍ସାହିତ କରୁଛି। ଅନ୍ୟପଟେ ଗତ ୧ ମାସ ହେଲା ମଦ ତିଆରି କରୁଥିବା କମ୍ପାନୀଙ୍କ ସେୟାର ମୂଲ୍ୟରେ ବେଶ୍ ବୃଦ୍ଧି ଦେଖା ଯାଇଛି। ଦେଶର ବଡ଼ ମଦ ତିଆରି କମ୍ପାନୀଙ୍କ ମଧ୍ୟରେ ରେଡିକୋ ଖୈତାନ ସେୟାରରେ ପାଖାପାଖି ୧୦% ଅଭିବୃଦ୍ଧି ଦେଖାଯାଇଛି। ସେହିପରି ତିଲକନଗର ଇଣ୍ଡଷ୍ଟ୍ରିଜ ସେୟାରରେ ମାସକରେ ୪% ବୃଦ୍ଧି ଦେଖାଯାଇଛି।     

Scroll to Top