ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଘଟଣାରେ ଏସପିଙ୍କ ବଡ଼ ଖୁଲାସା : ରବିନ୍ଦ୍ର ବିଷ ପିଇ ନଥିଲେ, କୋର୍ଟ ଚାଲାଣ କରାଯିବା ଭୟରେ ରଚିଥିଲେ ନାଟକ

ଥାନାରେ-ଯୁବକଙ୍କୁ-ଥାର୍ଡ-ଡିଗ୍ରୀ-ଘଟଣାରେ-ଏସପିଙ୍କ-ବଡ଼-ଖୁଲାସା-:-ରବିନ୍ଦ୍ର-ବିଷ-ପିଇ-ନଥିଲେ,-କୋର୍ଟ-ଚାଲାଣ-କରାଯିବା-ଭୟରେ-ରଚିଥିଲେ-ନାଟକ

ଯାଜପୁର : ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ ଯୁବକ ରବିନ୍ଦ୍ର ମଲ୍ଲିକଙ୍କୁ ଥାର୍ଡ ଡିଗ୍ରୀ ଘଟଣାରେ ପୋଲିସର ନୂଆ ଖୁଲାସା। ଥାନାରେ ଯୁବକଙ୍କୁ କୌଣସି ଥାର୍ଡ ଡିଗ୍ରୀ ହୋଇନି। ଯୁବକ ବିଷ ପିଇ ନଥିବା କହିଲେ ଯାଜପୁର ଏସପି। ଜେଲ୍‌ ଯିବା ଭୟରେ ନାଟକ ରଚିଥିଲା ରବିନ୍ଦ୍ର। ସମସ୍ତ ଘଟଣାକୁ ସିସିଟିଭି କ୍ୟାମେରାରେ ଦେଖାଇଲେ ଏସପି। ସୂଚନା ଅନୁଯାୟୀ, ବାଲିଚନ୍ଦ୍ରପୁର ଥାନା ଅଧୀନ ମହିପୁର ଗ୍ରାମର ରବିନ୍ଦ୍ର ମଲ୍ଲିକ ଜମି ବିବାଦକୁ ନେଇ ବାଲିଚନ୍ଦ୍ରପୁର ଥାନାକୁ ଆସି ଥିଲେ। ହେଲେ ପୂର୍ବରୁ ରବିନ୍ଦ୍ରଙ୍କ ନାମରେ ଥାନାରେ ମାମଲା ରହିଥିଲା। ଯାହାକୁ ନେଇ ପୋଲିସ ରବିନ୍ଦ୍ରଙ୍କୁ ଥାନାରେ ଅଟକ ରଖିଥିଲା।

ହେଲେ ରବିନ୍ଦ୍ରଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ବଡ଼ଚଣା ମେଡିକାଲ ପରେ କଟକ ମେଡିକାଲ ସ୍ଥାନାନ୍ତର କରାଯାଇ ଥିଲା। ପରେ ସେ ସୁସ୍ଥ ହେବା ପରେ ତାଙ୍କୁ ପୋଲିସ ପଚରାଉଚରା କରି ଘରକୁ ଛାଡି ଦେଇଥିଲା। ରବିନ୍ଦ୍ରଙ୍କୁ ଥାନାରେ ମାଡ ମରା ଯାଇ ଥିବା ବେଳେ ସେ ବିଷ ପିଇ ଥିବା ରବିନ୍ଦ୍ର ଓ ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ଏଇ ଘଟଣାରେ ତିନି ଜଣ ପୋଲିସ କର୍ମଚାରୀ ନିଲମ୍ବିତ ହୋଇ ଥିଲେ। ଆଜି ଯାଜପୁର ଏସପି ବାଲିଚନ୍ଦ୍ରପୁର ଥାନାରେ ପହଞ୍ଚି ତଦନ୍ତ କରି ଘଟଣାର ସଂପୂର୍ଣ୍ଣ ଖୁଲାସା କରିଛନ୍ତି। 

ରବିନ୍ଦ୍ର ଥାନାରେ ଅଟକ ଥିବା ସମୟରେ ଫସଲରେ ବ୍ୟବହୃତ ଏକ ହରମୋନ ବଟଲ ଥାନାରେ ଥୁଆ ହୋଇଥିଲା। ରବିନ୍ଦ୍ରଙ୍କୁ କାଳେ ପୋଲିସ କୋର୍ଟ ଚାଲାଣ କରିଦେବ ସେଥିପାଇଁ ସେ ବୋତଲରେ ଥିବା ସମସ୍ତ ଔଷଧକୁ ବାହାରେ ଫୋପାଡ଼ି ଖାଲି ଡବାକୁ ପ୍ୟାଣ୍ଟରେ ରଖିଥିଲେ। ପୋଲିସ ପ୍ୟାଣ୍ଟ ଚେକ୍ କରିବାରୁ ଏହି ଔଷଧ ଡବା ବାହାରି ଥିଲା। ରବିନ୍ଦ୍ର ଔଷଧ ପିଇ ଦେଇଥିବା ପୋଲିସକୁ କହିବା ପରେ ପୋଲିସ ରବିନ୍ଦ୍ରଙ୍କୁ ମେଡିକାଲରେ ଭର୍ତ୍ତି କରାଇ ଥିଲା। ଏହାର ସଂପୂର୍ଣ୍ଣ ସିସିଟିଭି ଫୁଟେଜ ଏସପି ଦେଖାଇଛନ୍ତି। ପୋଲିସ ରବିନ୍ଦ୍ରଙ୍କ ଉପରେ କୌଣସି ଥାର୍ଡ ଡିଗ୍ରୀ କରି ନାହିଁ। ରବିନ୍ଦ୍ରଙ୍କ ଉପରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି କହିଛନ୍ତି।

Scroll to Top