ନୂଆଦିଲ୍ଲୀ: ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବରେ ଇରାନ୍ ଉପରେ ଆକ୍ରମଣ କରିଛନ୍ତି । ମଧ୍ୟପ୍ରାଚ୍ୟରେ ଏବେ ମହାଯୁଦ୍ଧ ଆରମ୍ଭ ହୋଇଛି । ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦ ଯୁଦ୍ଧର ରୂପ ନେଇଛି । ଇରାନର ବିଭିନ୍ନ ସ୍ଥାନରେ ମିସାଇଲ୍ ମାଡ଼ କରିଛି ଇସ୍ରାଏଲ ସେନା । ଏହାରି ମଧ୍ୟରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ତେହେରାନ ବାସଭବନ ଉପରେ ଇସ୍ରାଏଲ ମିସାଇଲ୍ ମାଡ଼ କରିଛି । ଏହାର ସାଟେଲାଇଟ୍ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି । ଖାମେନିଙ୍କ ବାସଭବନରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି ।
ଜଣେ ଇସ୍ରାଏଲୀ ଅଧିକାରୀଙ୍କ ଅନୁଯାୟୀ, ଶନିବାର ସକାଳେ ହୋଇଥିବା ଆକ୍ରମଣରେ ସର୍ବୋଚ୍ଚ ନେତା ଅଲି ଖାମେନି ଏବଂ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନଙ୍କ ସମେତ ଅନେକ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଟାର୍ଗେଟ କରାଯାଇଛି। ଆକ୍ରମଣ ପରେ କ୍ଷୟକ୍ଷତି ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ । ଇସ୍ରାଏଲୀ ସେନା (IDF) ଅପରେସନ ରୋରିଂ ଲାୟନ ଅଧୀନରେ ପଶ୍ଚିମ ଇରାନରେ ଶତାଧିକ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିଛି । ଏହାର ଭିଡିଓ ମଧ୍ୟ ଜାରି କରିଛି ।
🎥WATCH: IDF strikes hundreds of targets in western Iran as part of Operation Roaring Lion pic.twitter.com/KYMYVL8DOQ
— Israel Defense Forces (@IDF) February 28, 2026
ଇସ୍ରାଏଲ ବିଶ୍ବାସ କରୁଛି ଯେ, ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡସ୍ (IRGC)ର ମୁଖ୍ୟ ଜେନେରାଲ୍ ମହମ୍ମଦ ପାକପୁର ମଧ୍ୟ ଏହି ଆକ୍ରମଣରେ ନିହତ ହୋଇଥାଇପାରନ୍ତି। ଜୁନ୍ ୨୦୨୫ ଯୁଦ୍ଧ ସମୟରେ ଇସ୍ରାଏଲ ଆକ୍ରମଣରେ ତତ୍କାଳୀନ ଆଇଆରଜିସି ମୁଖ୍ୟ ହୋସେନ୍ ସଲାମିଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ପରେ ପାକପୁର IRGCର କମାଣ୍ଡ ଗ୍ରହଣ କରିଥିଲେ। ଇସ୍ରାଏଲୀ ଅଧିକାରୀମାନେ ଏହା ମଧ୍ୟ ଆକଳନ କରିଛନ୍ତି ଯେ, ଇରାନର ପ୍ରତିରକ୍ଷା ମନ୍ତ୍ରୀ ଏବଂ ଗୁଇନ୍ଦା ମୁଖ୍ୟଙ୍କ ମୃତ୍ୟୁ ହୋଇଥାଇପାରେ । ଇରାନ କିମ୍ବା IDF ଉଭୟ ଏହି ଦାବିଗୁଡ଼ିକୁ ଆନୁଷ୍ଠାନିକ ଭାବରେ ସ୍ପଷ୍ଟ କରିନାହାଁନ୍ତି। ସେପଟେ ଇରାନ୍ ବିଭିନ୍ନ ଦେଶରେ ଥିବା ଆମେରିକାର ସେନା ବେସ୍ଗୁଡ଼ିକୁ ଧ୍ବଂସ କରିଦେଇଛି । ଏଭଳି ସ୍ଥିତିରେ ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଭୟଙ୍କର ରୂପ ନେଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।




