ନୂଆଦିଲ୍ଲୀ ୦୬/୧୧: ନ୍ୟୁୟର୍କର ପ୍ରଥମ ମୁସଲିମ୍ ଓ ଶତାବ୍ଦୀର ସବୁଠୁ ଯୁବ ମେୟର ଭାବେ ଇତିହାସ ରଚିଛନ୍ତି ଭାରତୀୟ ବଂଶୋଦ୍ଭବ ଜୋହରାନ ମମଦାନି । ଏ ଅବସରରେ ତାଙ୍କ ପତ୍ନୀ ରାମା ଦୁୱାଜିଙ୍କୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ୨୭ ବର୍ଷୀୟା ଦୁୱାଜି ଜଣେ ସିରିଆ-ଆମେରିକୀୟ ମଲ୍ଟିମିଡିଆ ଆର୍ଟିଷ୍ଟ୍ । ତାଙ୍କ କାର୍ଯ୍ୟ ସର୍ବଦା ପରିଚୟ, ବିସ୍ଥାପନ ଓ ପାଲେଷ୍ଟାଇନ୍ ସହିତ ଅଖଣ୍ଡତା ଭଳି ବିଷୟ ଉପରେ ଅନ୍ୱେଷଣ କରେ । କଳା ଜଗତରେ ସ୍ୱତନ୍ତ୍ର ମାନ୍ୟତା ସତ୍ତେ୍ୱ ଦୁୱାଜି ନ୍ୟୁୟର୍କ ସିଟିର ନୂଆ ମେୟର ଜୋହରାନ ମମଦାନିଙ୍କ ପତ୍ନୀ ଭାବେ ଖୁବ୍ ଲୋକପ୍ରିୟତା ପାଇଛନ୍ତି ।
ଉଭୟଙ୍କ ପ୍ରେମ କାହାଣୀ ଇଣ୍ଟର୍ନେଟ୍ ମାଧ୍ୟମରେ ଆରମ୍ଭ ହୋଇଥିଲା । ଗତ ବର୍ଷ ଜୁନ୍ ୨୨ରେ କଣ୍ଟେଣ୍ଟ୍ କ୍ରିଏଟର କାନୀଜ ସୁର୍କାଙ୍କ ସହିତ ଏକ ଇନ୍ଷ୍ଟାଗ୍ରାମ୍ ଭିଡିଓରେ ମମଦାନି କହିଥିଲେ ଯେ ଡେଟିଂ ଆପ୍ ‘ହିଞ୍ଜ’ରେ ସେ ଦୁୱାଜିଙ୍କୁ ଭେଟିଥିଲେ । ଏହି ଅନ୍ଲାଇନ୍ ସାକ୍ଷାତ ଖୁବ୍ଶୀଘ୍ର ନିବିଡ଼ ସମ୍ପର୍କରେ ରୂପାନ୍ତରିତ ହୋଇଗଲା । ଗତ ଅକ୍ଟୋବରରେ ଦୁବାଇଠାରେ ଉଭୟଙ୍କର ନିର୍ବନ୍ଧ ଅନୁଷ୍ଠିତ ହୋଇଥିଲା । ଡିସେମ୍ବରରେ ଦୁହେଁ ବିବାହ କରିଥିଲେ ।
ବିବାହ ପରେ ଉଭୟ ନ୍ୟୁୟର୍କ ସିଟିରେ ଏକ ସମାରୋହର ଆୟୋଜନ କରିଥିଲେ । ପୁଣି ଥରେ ୟୁଗାଣ୍ଡାରେ ସ୍ଥିତ ନିଜ ସମ୍ପତ୍ତିରେ ୩ ଦିନିଆ ସମାରୋହରେ ମମଦାନି ଭୋଜି ଦେଇଥିଲେ । ଉଭୟଙ୍କ ବିବାହ ଉତ୍ସବ ପରମ୍ପରା ଓ ଆଧୁନିକତାର ମିଶ୍ରଣ ଥିଲା । ମମଦାନି ରାଜନୀତିରେ ଭାଗ୍ୟ ପରୀକ୍ଷା କରୁଥିବାରୁ ନିର୍ବାଚନ ପ୍ରଚାର ଓ ସାର୍ବଜନୀନ ରାଲିରେ ତାଙ୍କ ସହ ଦୁୱାଜିଙ୍କୁ ଦେଖିବାକୁ ମିଳିଥିଲା । ନିର୍ବାଚନ ଜିତିବା ପରେ ମମଦାନି ବିଜୟ ଭାଷଣକୁ ଅଟକାଇ ଦୁୱାଜିଙ୍କୁ ଧନ୍ୟବାଦ ଦେଲେ ।
ନିଜର ଘର-ଗାଡ଼ି ନାହିଁ, ମେଟ୍ରୋ ଟ୍ରେନ୍ରେ ଯାତ୍ରା କରନ୍ତି ଫୋର୍ବସ ରିପୋର୍ଟ ଅନୁସାରେ, ଜୋହରାନ ମମଦାନିଙ୍କ ନେଟ୍ ସମ୍ପତ୍ତି ହାରାହାରି ୧.୭୧ କୋଟି । ୨୦୨୦ରେ ସେ ନ୍ୟୁୟର୍କ ଷ୍ଟେଟ୍ ଆସେମ୍ବ୍ଲି ନିର୍ବାଚନ ଜିତିଥିଲେ । ସେତେବେଳେ ତାଙ୍କୁ ବାର୍ଷିକ ୧୪୨,୦୦୦ ଡଲାର ଦରମା ମିଳୁଥିଲା । ବର୍ତ୍ତମାନ ସେ ନ୍ୟୁୟର୍କର ଏଷ୍ଟୋରିଆ ଅଞ୍ଚଳରେ ଭଡ଼ା ଘରେ ରହୁଛନ୍ତି ।
ମାସକୁ ୨,୨୫୦ ଡଲାର ଘରଭଡ଼ା ଦେଉଛନ୍ତି । ତାଙ୍କ ପାଖରେ ନିଜର କାର୍ ମଧ୍ୟ ନାହିଁ । ସେ ନିୟମିତ ମେଟ୍ରୋ ଟ୍ରେନ୍ରେ ଯାତ୍ରା କରନ୍ତି । ମମଦାନିଙ୍କ ପାଖରେ ୟୁଗାଣ୍ଡାର ଜିନ୍ଜା କ୍ଷେତ୍ରରେ ପ୍ରାୟ ୪ ଏକର ସମ୍ପତ୍ତି ଅଛି, ଯାହାର ମୂଲ୍ୟ ପ୍ରାୟ ୨ କୋଟି । ମେୟର ହେବା ପରେ ତାଙ୍କର ବାର୍ଷିକ ଦରମା ୨.୨ କୋଟି ହୋଇଯିବ । ଏଣିକି ସେ ଗ୍ରେସୀ ମାନ୍ସନ୍, ଅର୍ଥାତ୍ ମେୟରଙ୍କ ସରକାରୀ ବାସଭବନରେ ରହିବେ ।




