ଡଲାର ତୁଳନାରେ ଆହୁରି ଦୁର୍ବଳ ହେଲା ଟଙ୍କା, ଦେଶରେ ମହଙ୍ଗା ହେବ କି ପେଟ୍ରୋଲ ଡିଜେଲ?

ଡଲାର-ତୁଳନାରେ-ଆହୁରି-ଦୁର୍ବଳ-ହେଲା-ଟଙ୍କା,-ଦେଶରେ-ମହଙ୍ଗା-ହେବ-କି-ପେଟ୍ରୋଲ-ଡିଜେଲ?
  • ଡଲାର ତୁଳନାରେ ଟଙ୍କା ନୂଆ ସର୍ବକାଳୀନ ନିମ୍ନ ସ୍ତରକୁ ପହଞ୍ଚି ଯାଇଛି
  • ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବାର କାରଣ ମଧ୍ୟପ୍ରାଚ୍ୟ ଯୁଦ୍ଧ ବୋଲି ଆକଳନ କରାଯାଉଛି
  • ଆମଦାନୀ ବିଲ ଲଗାତାର ବଢିବଢି ଚାଲିବା ଯୋଗୁ ଟଙ୍କା ନିମ୍ନସ୍ତରକୁ ଚାଲି ଆସିଛି

ମୁମ୍ବଇ ୧୮।୩: ଡଲାର ତୁଳନାରେ ଟଙ୍କା ବୁଧବାର ୯୨.୫୦ ସ୍ତର ଭାଙ୍ଗି ନୂଆ ସର୍ବକାଳୀନ ନିମ୍ନ ସ୍ତର ୯୨.୬୩୪କୁ ପହଞ୍ଚି ଯାଇଛି। ଟଙ୍କା ଏହି ସ୍ତରକୁ ଖସିବାର ଏହା ପ୍ରଥମ ଘଟଣା। ଏହା ପୂର୍ବରୁ ଆମେରିକା ମୁଦ୍ରା ତୁଳନାରେ ଟଙ୍କା ଅଲ ଟାଇମ ଲୋ ୯୨.୪୭୫୦ ଥିଲା। ପୂର୍ବାହ୍ନରେ ଟଙ୍କା ୩ ପଇସା ଦୁର୍ବଳ ହୋଇ ୯୨.୪୦୨ରେ ଖୋଲିଥିଲା। ତେବେ ଦିନତମାମ ଟଙ୍କାର ମୂଲ୍ୟ ହ୍ରାସ ହେବାରେ ଲାଗିଥିଲା ଓ ଏହା ୯୨.୬୩୪ ସ୍ତରକୁ ପହଞ୍ଚି ଯାଇଥିଲା। ତେବେ ଦିନ ତମାମ କାରବାର କାଳରେ ଟଙ୍କା ଡଲାର ତୁଳନାରେ ୯୨.୩୩୪ର ଲୋ ଲେବୁଲ ଓ ୯୨.୬୪୩ର ହାଇ ଲେବୁଲକୁ ମଧ୍ୟ ଛୁଇଁଥିଲା।

ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବାର କାରଣ ମଧ୍ୟପ୍ରାଚ୍ୟ ଯୁଦ୍ଧ ବୋଲି ଆକଳନ କରାଯାଉଛି। ଇରାନ ଯୁଦ୍ଧ କାରଣରୁ ଅଶୋଧିତ ତୈଳ ବ୍ୟାରଲ ପିଛା ଦର ୧୦୦ ଡଲାର ପାର ହୋଇଯାଇଛି। ଯେହେତୁ ଭାରତ ନିଜ ତୈଳ ଆବଶ୍ୟକତାର ୮୦% ବିଦେଶରୁ ଆମଦାନୀ କରେ ତେହେତୁ ଅଶୋଧିତ ତୈଳ ମୂଲ୍ୟ ବଢିଲେ ଟଙ୍କା ଉପର ଚାପ ବଢିବଢି ଯାଏ। ଗତ ସପ୍ତାହକରେ ଅଶୋଧିତ ତୈଳ ମୂଲ୍ୟରେ ୫୦%ରୁ ଅଧିକ ବୃଦ୍ଧି ହେଲାଣି। ବ୍ରେଣ୍ଟ କ୍ରୁଡ ପ୍ରତି ବ୍ୟାରଲ ୧୦୩ ଡଲାରରେ କାରବାର ହେଉଥିବା ବେଳେ ଡବ୍ଲୁଟିଆଇ ବ୍ୟାରଲ ପିଛା ୯୪ ଡଲାରରେ କାରବାର କରୁଛି।

ଏଲକେପି ସିକ୍ୟୁରିଟିଜର ଜତିନ୍ ତ୍ରିବେଦୀ କହିଛନ୍ତି ଯେ ଆମଦାନୀ ବିଲ ଲଗାତାର ବଢିବଢି ଚାଲିବା ଯୋଗୁ ଟଙ୍କା ୯୨.୬୦ରୁ ନିମ୍ନସ୍ତରକୁ ଚାଲି ଆସିଛି। ଏହା ଟଙ୍କାର ଏ ପର୍ଯ୍ୟନ୍ତ ସବୁଠୁ ନିମ୍ନତମ ସ୍ତର। ଅଶୋଧିତ ତୈଳର ଉଚ୍ଚା ମୂଲ୍ୟ ଓ ହର୍ମୁଜ ପ୍ରଣାଳୀ ବନ୍ଦ ରହିବା ଯୋଗୁ ଭାରତ ନିମନ୍ତେ ଆମଦାନୀ ବ୍ୟୟ ଲଗାତାର ବଢି ଚାଲିବା ଏବେ ଚିନ୍ତାର କାରଣ ପାଲଟିଛି। ସେ କହିଛନ୍ତି ଯେ ବ୍ୟାପକ ଆର୍ଥିକ ପରିଦୃଶ୍ୟ ପ୍ରତିକୂଳ ରହିଛି। ଏବେ ଅଶୋଧିତ ତୈଳ ମୂଲ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ଉଚ୍ଚା ରହିପାରେ। ଏଣୁ ଟଙ୍କା ଉପରେ ଚାପ ଲାଗି ରହିବ।

Scroll to Top