ନୂଆଦିଲ୍ଲୀ ୧୫।୮: ସାରା ବିଶ୍ୱର ନଜର ଶୁକ୍ରବାର ଟ୍ରମ୍ପ-ପୁଟିନ ବାର୍ତ୍ତା ଉପରେ । ଏହି ଐତିହାସିକ ବାର୍ତ୍ତା ଆଲାସ୍କାରେ ଅନୁଷ୍ଠିତ ହେଉଛି। ଆଲାସ୍କାର ଏଲମେନଡର୍ଫ- ରିଚାର୍ଡସନ ସାମରିକ ଘାଟିରେ ଟ୍ରମ୍ପ-ପୁଟିନ ୱାନ-ଟୁ-ୱାନ ମିଟିଂ ନିମନ୍ତେ ଅନେକ ସ୍ତରର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଋଷୀୟ ଫାଇଟର ଜେଟ୍ ଙ୍କୁ ଏପରି ମୁତୟନ କରାଯାଇଛି ଯେ ସେଗୁଡିକ ଆମେରିକା ସାମରିକ ଘାଟିରୁ ମାତ୍ର ୮ ମିନିଟ୍ ଦୂରରେ ଅଛନ୍ତି।
ସେହିପରି ମିଟିଂରେ ବ୍ୟବହୃତ ହେବାକୁ ଥିବା ପାଣି ବୋତଲ ଓ କପ୍ କୁ ବି ପୁଟିନଙ୍କ ସୁରକ୍ଷାକର୍ମୀମାନେ ସିଲ୍ କରିଛନ୍ତି। ପାଖାପାଖି ୭ ବର୍ଷ ପରେ ଟ୍ରମ୍ପ-ପୁଟିନ ଆମ୍ନାସାମ୍ନା ହେବେ। ଏହା ପୂର୍ବରୁ ଦୁଇ ବିଶ୍ୱନେତାଙ୍କ ମଧ୍ୟରେ ଶେଷ ବୈଠକ ୨୦୧୮ରେ ହେଲସିଙ୍କରେ ହୋଇଥିଲା। ଗଣମାଧ୍ୟମ ଖବର ଅନୁସାରେ ଟ୍ରମ୍ପ-ପୁଟିନଙ୍କ ଆଲାସ୍କା ମିଟିଂକୁ ଆମେରିକା ସୁରକ୍ଷା ଟିମ୍ ‘ରେଡ ଜୋନ ପ୍ରୋଟକଲ’ ଭାବେ ସଞ୍ଚାଳିତ କରୁଛି। ମିଟିଂ ଆଖପାଖର ୩୦୦ କିଲୋମିଟର ଅଞ୍ଚଳକୁ ନୋ ଫ୍ଲାଇଜୋନ ଘୋଷଣା କରାଯାଇଛି। ସାମରିକ ଘାଟି ଭିତରେ ଓ ବାହାରେ ଦୁଇ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ଟ୍ରମ୍ପ ଓ ପୁଟିନଙ୍କ ବୈଠକ ପାଇଁ ଆଲାସ୍କା ଛାଉଣୀରେ ବଦଳି ଯାଇଛି। ବାର୍ତ୍ତାସ୍ଥଳ ଆଖପାଖରେ ୩୨,୦୦୦ ଆମେରିକୀୟ ସୈନିକଙ୍କୁ ମୁତୟନ କରାଯାଇଛି। ସେହିପରି ସାଇବର ସୁରକ୍ଷା ଦୃଷ୍ଟିରୁ ବେସ୍ ର ପୁରା ନେଟୱାର୍କକୁ ଏୟାର ଗ୍ୟାପଡ ରଖାଯିବ। ଏହା ଛଡା ଆମେରିକା ରାଷ୍ଟ୍ରପତିଙ୍କ ସୁରକ୍ଷା ପ୍ରୋଟକଲ ଅନୁସାରେ ରିକନ ସାଟେଲାଇଟରୁ ମଧ୍ୟ ନଜର ରଖାଯିବ। ଆଲାସ୍କାରେ ଟ୍ରମ୍ପ-ପୁଟିନଙ୍କ ବୈଠକକୁ ନେଇ କେବଳ ଆମେରିକା ନୁହେଁ ଋଷିଆ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି। ଋଷିଆ ରାଷ୍ଟ୍ରପତିଙ୍କ ସହିତ ତାଙ୍କର ଫେଡେରାଲ ପ୍ରୋଟେକ୍ଟିଭ ସର୍ଭିସ (ଏଫଏସଓ) ମଧ୍ୟ ଆସିବ।
ପୁଟିନଙ୍କ ବିଦେଶ ଗସ୍ତ କାଳରେ ତାଙ୍କ ସୁରକ୍ଷା ଦାୟିତ୍ୱ ଏଫଏସଓ ନିକଟରେ ଥାଏ। ସେହିପରି ପୁଟିନ ଆଲାସ୍କା ପହଞ୍ଚିବା ପୂର୍ବରୁ ତାଙ୍କ ଆର୍ମଡ ଲିମୋସିନ୍ ଋଷୀୟ କାର୍ଗୋ ବିମାନ ଯୋଗେ ସାମରିକ ଘାଟିକୁ ପହଞ୍ଚି ସାରିଛି। ଟ୍ରମ୍ପ-ପୁଟିନ ବାର୍ତ୍ତା ନିମନ୍ତେ ଆଲାସ୍କାକୁ ବାଛିବାର ଏକ ବଡ଼ କାରଣ ହେଉଛି ଏହା ଋଷୀୟ ସୀମାରୁ ମାତ୍ର ୫ କିଲୋମିଟର ଦୂରରେ। ଏହା ସହିତ ପୁଟିନଙ୍କ ବିରୋଧରେ ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ (ଆଇସିସି) ୨୦୨୩ରେ ୟୁକ୍ରେନ ଯୁଦ୍ଧ ପାଇଁ ୱାରେଣ୍ଟ ଜାରି କରିଛି। ତେବେ ଆମେରିକା ଅଥବା ଋଷିଆ ଆଇସିସିର ସଦସ୍ୟ ନୁହନ୍ତି। ଏଣୁ ଆଲାସ୍କାରେ ପୁଟିନଙ୍କ ଗିରଫ ଜନିତ କୌଣସି ଆଇନଗତ ସମସ୍ୟା ନାହିଁ।




