ନୂଆଦିଲ୍ଲୀ: ରେୟାର ଆର୍ଥ ମ୍ୟାଟେରିଆଲ ବା ଦୁର୍ଲଭ ଖଣିଜ ଉପରେ ନିୟନ୍ତ୍ରଣକୁ ନେଇ ଆହୁରି କଠୋର ହୋଇଛି ଚୀନ। ଦୁର୍ଲଭ ଖଣିଜ ଏବଂ ଏହା ସହ ଜଡ଼ିତ ଜ୍ଞାନକୌଶଳର ରପ୍ତାନୀ ଉପରେ ପୁଣି ପ୍ରତିବନ୍ଧକ ଲଗାଇଛି ଚୀନ। ଏହି ପଦକ୍ଷେପ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏବଂ ଚୀନ ରାଷ୍ଟ୍ରପତି ଜିନପିଙ୍ଗ୍ଙ୍କ ମଧ୍ୟରେ ଚଳିତ ମାସ ଶେଷରେ ହେବାକୁ ଥିବା ବୈଠକ ପୂର୍ବରୁ ନିଆଯାଇଛି।
ଚୀନର ବାଣିଜ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି ନିୟମ ଅନୁସାରେ, ଏବେ ବିଦେଶୀ କମ୍ପାନିଙ୍କୁ ଏଭଳି କୌଣସି ଉତ୍ପାଦର ରପ୍ତାନୀ କରିବା ପୂର୍ବରୁ ବିଶେଷ ମଞ୍ଜୁରୀ ନେବାକୁ ହେବ। ଏହି ମଞ୍ଜୁରୀ ମଧ୍ୟରେ ରହିଛି, ଚୀନରୁ ଦୁର୍ଲଭ ଖଣିଜର ଖନନ, ଏହାର ପ୍ରୋସେସିଂ, ଉତ୍ପାଦନ। ଏହାସହ ଚୁମ୍ବକ ନିର୍ମାଣ ସହ ଜଡ଼ିତ ଟେକ୍ନୋଲୋଜିର ରପ୍ତାନୀ ପାଇଁ ମଧ୍ୟ କମ୍ପାନିଙ୍କୁ ଅନୁମତି ନେବାକୁ ପଡ଼ିବ।
ସୂଚନାଥାଉକି, ଦୁନିଆର ପ୍ରାୟ ୭୦ ପ୍ରତିଶତ ଦୁଲର୍ଭ ଖଣିଜ ଖନନରେ ଚୀନ୍ର ଯୋଗଦାନ ରହିଛି। ସେହିଭଳି ବିଶ୍ବ ସ୍ତରରେ ପ୍ରାୟ ୯୦% ଦୁର୍ଲଭ ଖଣିଜ ଚୀନ୍ ନିୟନ୍ତ୍ରଣରେ ରହିଛି। ଏଭଳି ସାମଗ୍ରୀ ଉପରେ ଚୀନ୍ର ଏକପ୍ରକାର ଏକାଧିକାର ଯୋଗୁ ଓ୍ବାଶିଂଟନ ଏବଂ ମଧ୍ୟରେ ବାଣିଜ୍ୟିକ ଆଲୋଚନା ସବୁବେଳେ ବିବାଦୀୟ ରହିଆସିଛି।
ଟ୍ରମ୍ପ ଏବଂ ଚୀନ୍ ମଧ୍ୟରେ ବାଣିଜ୍ୟିକ ବିବାଦ
ଚୀନରୁ ଆମଦାନୀ ହେଉଥିବା ଉତ୍ପାଦ ଉପରେ ଟ୍ରମ୍ପ ଟାରିଫ୍ ବଢ଼ାଇଛନ୍ତି। ଏହାର ଜବାବରେ ବିଜିଂ ମଧ୍ୟ ରଣନୈତିକ ଭାବରେ ଦୁର୍ଲଭ ଖଣିଜ ଉପରେ ନିୟନ୍ତ୍ରଣ ଦୁଇଗୁଣା କରିଦେଇଛି। ଫଳରେ ଦୁଲର୍ଭ ଖଣିଜର ଯୋଗାଣରେ ବାଧା ଦେଖାଦେଇଛି। ଯାହାକୁ ନେଇ ଏହା ଉପରେ ନିର୍ଭର କରୁଥିବା ବିଭିନ୍ନ ସେକ୍ଟର ଚିନ୍ତାରେ ଅଛନ୍ତି। ଦୁର୍ଲଭ ଖଣିଜର ଇଞ୍ଜିନର ବ୍ୟବହାର ଜେଟ୍ ଇଞ୍ଜିନ, ରାଡାର ସିଷ୍ଟମ ଏବଂ ଗାଡ଼ି ନିର୍ମାଣ ଠାରୁ ଆରମ୍ଭ କରି ଲାପଟପ୍ ଏବଂ ଫୋନ୍ ସମେ ଅନେକ ଇଲେକ୍ଟ୍ରୋନିକ୍ସରେ ବ୍ୟବହାର ହୋଇଥାଏ।
ଜାତୀୟ ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ନୂଆ କଟକଣା
ଚୀନ୍ ବାଣିଜ୍ୟ ମନ୍ତ୍ରଣାଳୟ କହିଛି ଯେ, ନୂଆ କଟକଣା ଜାତୀୟ ସୁରକ୍ଷା ଏବଂ ସେନା ଭଳି ସମ୍ବେଦନଶୀଳ କ୍ଷେତ୍ରରେ ବ୍ୟବହାର ରୋକିବା ପାଇଁ । ଯାହା ଚୀନ କିମ୍ବା ଏହାର ଟେକ୍ନୋଲୋଜିରୁ କମ୍ପାନି ଚୀନର ରେୟାର ଆର୍ଥର ଉତ୍ପନ୍ନ ହେଉଛି।
ଏଥିରେ କୁହାଯାଇଛି ଯେ, କିଛି ଅଜ୍ଞାତ ବିଦେଶୀ ସଂସ୍ଥା ଏବଂ ବ୍ୟକ୍ତି ସାମରିକ କିମ୍ବା ଅନ୍ୟାନ୍ୟ ସମ୍ବେଦନଶୀଳ ବ୍ୟବହାର ପାଇଁ ଚୀନରୁ ବିରଳ ଖଣିଜ ଏବଂ ପ୍ରଯୁକ୍ତିବିଦ୍ୟାକୁ ବିଦେଶୀ ଦେଶକୁ ସ୍ଥାନାନ୍ତର କରିଛନ୍ତି। ଯାହା ଏହାର ଜାତୀୟ ସୁରକ୍ଷାକୁ ଯଥେଷ୍ଟ କ୍ଷତି ପହଞ୍ଚାଇଛି।
ଟ୍ରମ୍ପ ଏବଂ ଜିନପିଙ୍ଗଙ୍କ ମଧ୍ୟରେ ସାକ୍ଷାତ୍
ଅକ୍ଟୋବର ଶେଷବେଳକୁ ଦକ୍ଷିଣ କୋରିଆରେ ଏସିଆ-ପ୍ରଶାନ୍ତ ମହାସାଗରୀୟ ଆର୍ଥିକ ସହଯୋଗ (APEC) ଶିଖର ସମ୍ମିଳନୀ ଅବସରରେ ଟ୍ରମ୍ପ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ବୈଠକ ହେବ। ହେଲେ ଏହି ବୈଠକର କିଛି ସପ୍ତାହ ପୂର୍ବରୁ ଚୀନ୍ ଦୁର୍ଲଭ ଖଣିଜ ଉପରେ ନୂଆ ରପ୍ତାନୀ କଟକଣା ଘୋଷଣା କରିଛି। ଏସିଆ ଗ୍ରୁପ୍ର ପାର୍ଟନର ଜର୍ଜ ଚେନ୍ କହିଛନ୍ତି ଯେ, ବିରଳ ଖଣିଜ ୱାଶିଂଟନ୍ ଏବଂ ବିଜିଂ ମଧ୍ୟରେ ଆଲୋଚନାର ଏକ ପ୍ରମୁଖ ଅଂଶ ରହିବ।
ପୂର୍ବରୁ ଏପ୍ରିଲ ମାସରେ ଆମେରିକା ଟାରିଫ୍ ଘୋଷଣା ପରେ ପରେ ଚୀନ୍ ସାତଟି ଦୁର୍ଲଭ ଖଣିଜର ରପ୍ତାନୀ ଉପରେ କଟକଣା ଲାଗୁ କରିଥିଲା। ଫଳରେ ଚୀନରୁ ଏହାର ଯୋଗାଣ ଅନିଶ୍ଚିତତାକୁ ଚାଲିଯାଇଛି। ଅବଶ୍ୟ ଜୁନ୍ରେ ଚୀନ୍ କିଛି ରପ୍ତାନୀକୁ ଅନୁମତି ଦେଇଥିଲା।




