ଟ୍ରକ୍ ପଛରେ ପିଟିହେଲା ବାଇକ୍, ଘଟଣାସ୍ଥଳରେ ଦୁଇ ଆରୋହୀଙ୍କ ମୃତ୍ୟୁ
Published By: Ruby – Prameya-News7 Bureau | October 25, 2025 07:06 PM
NEWS7
ଉମରକୋଟ ୨୫।୧୦: ନବରଙ୍ଗପୁର ଜିଲ୍ଲା ରାଇଘର ଥାନା କୋରବେଲା ନିକଟ ନିର୍ମାଣଧୀନ ଭାରତମାଲା ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି ।
ଗତ ତିନି ଦିନ ହେବ କୋରବେଲା ନିକଟ ନିର୍ମାଣଧୀନ ଭାରତମାଲାର ରାସ୍ତା କଡରେ ଏକ ମାଲ ବୋଝେଇ ଟ୍ରକ ଖରାପ ହୋଇ ରହିଥିଲା । କଚରାପାରାର ଦୁଇ ବାଇକ ଆରୋହୀ ଦ୍ରୁତ ଗତିରେ ଆସି ଭାରସାମ୍ୟ ହରାଇ ଠିଆ ହୋଇଥିବା ଟ୍ରକ ପଛରେ ପିଟି ହୋଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ଦୁଇ ଜଣ ହେଲେ ରୋହିତ ପୂଜାରୀ, ରାଜୁ ପାଣ୍ଡେ । ରାଇଘର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଶବ, ଟ୍ରକ ଓ ବାଇକକୁ ଜବତ କରିଛି । ଏହିଠାରେ ସୂଚନାଯୋଗ୍ୟ ଯେ ନିର୍ମାଣଧୀନ ଭାରତମାଲା ରାସ୍ତାରେ ପ୍ରତିଦିନ ଦୁର୍ଘଟଣା ଘଟି ଜୀବନ ହାନି ହେଉଛି ମୁଖ୍ୟତଃ ବାଇକ୍ ଚାଳକଙ୍କ ବେପରୁଆ ଦ୍ରୁତ ଗତିରେ ଗାଡି ଚଳାଇବା ଯୋଗୁଁ ବାରମ୍ବାର ଏହିପରି ଦୁର୍ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି ।




