ଟ୍ରକକୁ ପିଟିବା ପରେ ବସ୍‌ ଛିନଛତ୍ର: ୧୦ ଯାତ୍ରୀଙ୍କ ମୃତ୍ୟୁ, ୩୦ ଆହତ

ଟ୍ରକକୁ-ପିଟିବା-ପରେ-ବସ୍‌-ଛିନଛତ୍ର:-୧୦-ଯାତ୍ରୀଙ୍କ-ମୃତ୍ୟୁ,-୩୦-ଆହତ

କୋଲକାତା: ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଯାତ୍ରୀବାହୀ ଏକ ଘରୋଇ ବସ୍ ଦ୍ରୁତ ଗତିରେ ଆସି ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକ୍ ସହିତ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଧକ୍କା ଏତେ ଭୟଙ୍କର ଥିଲା ଯେ ବସ୍‌ର ସମ୍ମୁଖ ଭାଗ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି ଏବଂ ଅନେକ ଯାତ୍ରୀ ଏଥିରେ ଫସି ରହିଥିଲେ।

ସ୍ଥାନୀୟ ଲୋକମାନେ ପୋଲିସକୁ ସୂଚନା ଦେବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଗୁରୁତର ଆହତ ଯାତ୍ରୀମାନଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ବର୍ଦ୍ଧମାନ ମେଡିକାଲ୍ କଲେଜ ଏବଂ ନିକଟବର୍ତ୍ତୀ ଅନ୍ୟାନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପ୍ରାଥମିକ ସୂଚନା ଅନୁଯାୟୀ, ଟ୍ରକଟି ରାସ୍ତା କଡ଼ରେ ଠିଆ ହୋଇଥିଲା। ତଥାପି ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ପୋଲିସ ସେଠାରେ ଉପସ୍ଥିତ ଲୋକଙ୍କୁ ପଚରାଉଚରା ଆରମ୍ଭ କରିଛି। ଘଟଣାର ସୂଚନା ପାଇବା ମାତ୍ରେ ବର୍ଦ୍ଧମାନ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏକ କ୍ରେନ୍ ସାହାଯ୍ୟରେ ବସ୍‌କୁ ଟ୍ରକ୍‌ରୁ ଅଲଗା କରାଯାଇଥିଲା ଏବଂ ଫସି ରହିଥିବା ଯାତ୍ରୀମାନଙ୍କୁ ବାହାର କରାଯାଇଥିଲା। 

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବିନା ସତର୍କତାରେ ରାସ୍ତାରେ ଠିଆ ହୋଇଥିବା ଟ୍ରକ୍ ଏବଂ ବସ୍‌ର ଦ୍ରୁତ ଗତି ଏହି ଭୟଙ୍କର ଦୁର୍ଘଟଣାର ପ୍ରମୁଖ କାରଣ ହୋଇପାରେ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରାଯାଉଛି।

Scroll to Top