ଟି-୨୦ ବିଶ୍ୱକପ୍ କଭର୍ କରିପାରିବେନି ବାଂଲାଦେଶୀ ସାମ୍ୱାଦିକ…ଆବେଦନକୁ ଅଗ୍ରାହ୍ୟ କଲା ଆଇସିସି

ଟି-୨୦-ବିଶ୍ୱକପ୍-କଭର୍-କରିପାରିବେନି-ବାଂଲାଦେଶୀ-ସାମ୍ୱାଦିକ…ଆବେଦନକୁ-ଅଗ୍ରାହ୍ୟ-କଲା-ଆଇସିସି

ନୂଆଦିଲ୍ଲୀ: ଆଇସିସି ଏବଂ ବାଂଲାଦେଶ ମଧ୍ୟରେ ତିକ୍ତ ସମ୍ପର୍କ ଆଉ ଏକ ମୋଡ଼ ନେଇଛି । ୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ଶହେରୁ ଅଧିକ ବାଂଲାଦେଶୀ ସାମ୍ବାଦିକଙ୍କୁ ମାନ୍ୟତା ପ୍ରଦାନ କରିବାକୁ ଆଇସିସି ମନା କରିଦେଇଛି । ବାଂଲାଦେଶ ଗ୍ରୁପ୍ ମ୍ୟାଚ୍ ପାଇଁ ଭାରତ ଯାତ୍ରା କରିବାକୁ ମନା କରିବା ପରେ ଆଇସିସି ଦ୍ୱାରା ଏହି ନିଷ୍ପତ୍ତି ନିଆଯାଇଛି । କ୍ରିକେଟରେ ଦ୍ୱିବାର୍ଷିକ ଇଭେଣ୍ଟରେ ବାଂଲାଦେଶର ସ୍ଥାନରେ ସ୍କଟଲାଣ୍ଡକୁ ସାମିଲ କରାଯାଇଛି । ସୁରକ୍ଷା ଚିନ୍ତାକୁ ନେଇ ବାଂଲାଦେଶ ଶ୍ରୀଲଙ୍କାରେ ତାର ସମସ୍ତ ମ୍ୟାଚ୍ ଖେଳିବାକୁ ଜିଦ୍ ଧରିଥିଲା କିନ୍ତୁ ଆଇସିସି ଏହି ଧମକକୁ ଖାତିର କରିନଥିଲା ।

ବାଂଲାଦେଶୀ ସାମ୍ବାଦିକମାନଙ୍କୁ ଟୁର୍ଣ୍ଣାମେଣ୍ଟ କଭରେଜ୍ ପାଇଁ ମାନ୍ୟତା ନଦିଆଯିବା ନିଷ୍ପତ୍ତି ଦେଶର ଗଣମାଧ୍ୟମ ସମୁଦାୟରେ ହଇଚଇ ସୃଷ୍ଟି କରିଛି । ଏନଡିଟିଭିର ରିପୋର୍ଟ ଅନୁସାରେ, ଆଇସିସିର ଜଣେ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ ବାଂଲାଦେଶ ସରକାରଙ୍କ ମନ୍ତବ୍ୟ ପରେ ଏହି ପଦକ୍ଷେପ ନିଆଯାଇଛି । ବାଂଲାଦେଶ ସରକାରୀ ବୟାନରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଭାରତକୁ ଯାତ୍ରା କରିବା ପାଇଁ “ଅସୁରକ୍ଷିତ” ବୋଲି କୁହାଯାଇଥିଲା ।

ଆଇସିସିର ଜଣେ ଅଧିକାରୀ କହିଛନ୍ତି, “ସେଠାକାର ସରକାର ଲଗାତାର କହିଆସୁଛନ୍ତି ଯେ ଭାରତ ଯାତ୍ରା କରିବା ଅସୁରକ୍ଷିତ, ସେହି କାରଣରୁ ସେମାନଙ୍କୁ ଭିସା କିମ୍ବା ମାନ୍ୟତା ଦିଆଯାଇନାହିଁ ।”

ବାଂଲାଦେଶୀ ଗଣମାଧ୍ୟମ ‘ଆଜକେର ପତ୍ରିକା’ର କ୍ରୀଡା ସମ୍ପାଦକ ରାଣା ଆବାସ କହିଛନ୍ତି, “ବାଂଲାଦେଶରେ ଏହା ପୂର୍ବରୁ କେବେ ଘଟିନାହିଁ । ୧୯୯୯ ମସିହାରେ ଦେଶର ପ୍ରଥମ ବିଶ୍ୱକପ୍ ପୂର୍ବରୁ ବାଂଲାଦେଶୀ ସାମ୍ବାଦିକମାନେ ଆଇସିସି ଇଭେଣ୍ଟଗୁଡ଼ିକୁ କଭରେଜ୍ କରିଆସୁଛନ୍ତି, ଯେଉଁଥିରେ ଭାରତ ବନାମ ପାକିସ୍ତାନ ଭଳି ହାଇପ୍ରୋଫାଇଲ୍ ମ୍ୟାଚ୍ ମଧ୍ୟ ସାମିଲ ଅଛି । ପୂର୍ବରୁ କେବେବି ସମସ୍ତ ସାମ୍ବାଦିକଙ୍କୁ ଏହି ପ୍ରକାରେ ବାହାର କରାଯାଇ ନଥିଲା । ଏହା ଆଇସିସି ଇଭେଣ୍ଟ ଇତିହାସରେ ଅଭୂତପୂର୍ବ ଏବଂ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।” ରିପୋର୍ଟ ଅନୁସାରେ ବାଂଲାଦେଶର ଅନେକ ଫଟୋ ସାମ୍ୱାଦିକ ଜାନୁଆରୀ ୨୦ରୁ ୨୧ ମାନ୍ୟତା ମିଳିଥିଲା, କିନ୍ତୁ ପରେ ମାନ୍ୟତାକୁ ରଦ୍ଦ କରାଯାଇଥିଲା ।

Scroll to Top