ନୂଆଦିଲ୍ଲୀ ୨୪।୧୦: ଟିମ୍ ଇଣ୍ଡିଆର ଏପରି ପ୍ଲେୟର । ଡେବ୍ୟୁ ମ୍ୟାଚ୍ ହେଲା ଶେଷ ମ୍ୟାଚ୍ । ଖେଳିଛନ୍ତି ମାତ୍ର ଗୋଟିଏ ODI-ଗୋଟିଏ T20I । ଏବେ କ୍ରିକେଟ କ୍ୟାରିୟରକୁ କହିଛନ୍ତି ଅଲ୍ବିଦା । ଏହି ପ୍ଲେୟର ହେଉଛନ୍ତି ଟିମ୍ ଇଣ୍ଡିଆ ପାଇଁ ଖେଳିଥିବା ପୂର୍ବତନ ଅଲରାଉଣ୍ଡର ପରଭେଜ ରସୁଲ । ୩୬ ବର୍ଷ ବୟସରେ ମଙ୍ଗଳବାର ନେଇଛନ୍ତି ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ।
ସବୁଠାରୁ ଖାସ୍ କଥା ହେଉଛି ସେ ଭାରତ ପାଇଁ କେବଳ ଦୁଇଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ତାଙ୍କୁ ଥରେ T20I ଏବଂ ଥରେ ODI ପାଇଁ ଚୟନ କରାଯାଇଥିଲା। ପରଭେଜ ରସୁଲ ହେଉଛନ୍ତି ଭାରତୀୟ କ୍ରିକେଟ ଟିମରେ ସାମିଲ ହୋଇଥିବା ଜମ୍ମୁ କାଶ୍ମୀରର ପ୍ରଥମ ପ୍ଲେୟର । ପରଭେଜ IPLରେ ମଧ୍ୟ ପ୍ରାୟ ଏକ ଡଜନ ମ୍ୟାଚ୍ ଖେଳିଛନ୍ତି ।
ପରଭେଜ ରସୁଲ ୨୦୧୪ରେ ବାଂଲାଦେଶ ବିପକ୍ଷରେ ନିଜର ODI ଡେବ୍ୟୁ କରିଥିଲେ । ସେହି ମ୍ୟାଚରେ ସେ ୬୦ ରନ ଦେଇ ନେଇଥିଲେ ୨ ୱିକେଟ୍ । ସେହି ମ୍ୟାଚରେ ତାଙ୍କୁ ମିଳିନଥିଲା ବ୍ୟାଟିଂ କରିବାର ସୁଯୋଗ । ଏହାପରେ ତାଙ୍କୁ ଆଉ କେବେବି ODI ଟିମ୍ରେ କରାଯାଇନଥିଲା ସାମିଲ । ତାଙ୍କୁ ଜିମ୍ବାୱେ ଗସ୍ତ ପାଇଁ ଭାରତୀୟ ଦଳରେ ମଧ୍ୟ ସାମିଲ କରାଯାଇଥିଲା, କିନ୍ତୁ ସେ ଗୋଟିଏ ବି ମ୍ୟାଚ୍ ଖେଳିପାରି ନଥିଲେ।
ପରଭେଜ୍ ରସୁଲ୍ ୨୦୧୭ରେ ଇଂଲଣ୍ଡ ବିପକ୍ଷରେ ତାଙ୍କର T20I ଡେବ୍ୟୁ କରିଥିଲେ । ସେ ସେହି ମ୍ୟାଚରେ କେବଳ ଗୋଟିଏ ୱିକେଟ୍ ନେଇଥିଲେ । ତାଙ୍କୁ ବ୍ୟାଟିଂ କରିବାର ସୁଯୋଗ ମଧ୍ୟ ମିଳିଥିଲା । ସେ ୬ ରନ୍ କରି ହୋଇଥିଲେ ଆଉଟ୍ । ଏହାପରେ ତାଙ୍କୁ T20Iରେ କେବେ ବି ମିଳିନଥିଲା ସୁଯୋଗ ।
ପରଭେଜ୍ ରସୁଲ୍ ମଧ୍ୟ IPLରେ ନିଜ ଭାଗ୍ୟ ପରୀକ୍ଷା କରିଛନ୍ତି । କିନ୍ତୁ ସେ ସଫଳ ହୋଇପାରିନଥିଲେ । ପରଭେଜ ଆଇପିଏଲ୍ରେ ୧୧ଟି ମ୍ୟାଚ ଖେଳିଛନ୍ତି । ଏହି ସମୟ ମଧ୍ୟରେ କେବଳ ୪ ୱିକେଟ୍ ନେଇଥିଲେ । ସେ ତାଙ୍କର ଶେଷ IPL ମ୍ୟାଚ୍ ୨୦୧୬ରେ ଖେଳିଥିଲେ । ପରଭେଜ IPLରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳିଛନ୍ତି ।
ପରଭେଜ ରସୁଲ ଡୋମେଷ୍ଟିକ୍ କ୍ରିକେଟ ମଧ୍ୟ ଖେଳିଛନ୍ତି । ସେ ୧୬୪ଟି ଲିଷ୍ଟ ଏ ମ୍ୟାଚ୍ ଖେଳି ୨୨ଟି ୱିକେଟ୍ ନେଇଥିଲେ। ଏହି ମ୍ୟାଚ୍ଗୁଡ଼ିକରେ ଗୋଟିଏ ଶତକ ଏବଂ ୩୨ଟି ଅର୍ଦ୍ଧଶତକ ସହିତ ୩,୯୮୨ ରନ୍ କରିଥିଲେ ପରଭେଜ । ସେହିପରି ୯୫ଟି ଫାଷ୍ଟକ୍ଲାସ୍ ମ୍ୟାଚରେ ପରଭେଜ ୩୫୨ ୱିକେଟ୍ ନେଇଥିଲେ ଏବଂ ୫,୬୪୮ ରନ୍ କରିଥିଲେ। ପରଭେଜ ୧୬ଟି ଶତକ ଏବଂ ୨୨ଟି ଅର୍ଦ୍ଧଶତକ କରିଥିଲେ।
୨୦୧୨-୧୩ ରଣଜୀ ଟ୍ରଫି ସମୟରେ ପରଭେଜ ରସୁଲ ପିକ୍ରେ ରହିଥିଲେ । ସେ ଉଭୟ ସିଜନରେ ସର୍ବାଧିକ ରନ୍ କରିଥିଲେ ଏବଂ ସର୍ବାଧିକ ୱିକେଟ୍ ନେଇଥିଲେ । ପରଭେଜ୍ ୭ଟି ରଣଜୀ ଟ୍ରଫି ମ୍ୟାଚ୍ରେ ୫୯୪ ରନ୍ ଏବଂ ୫୪ଟି ୱିକେଟ୍ ନେଇ ଚକିତ କରିଥିଲେ । ଯେଉଁଥିରେ ୨ଟି ଶତକ ସାମିଲ ରହିଥିଲା । ଏହାପରେ ସେ ୨୦୧୪ରେ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଥିଲେ । କିନ୍ତୁ ସଫଳ ହୋଇପାରିନଥିଲେ । ଏବେ ସେ ନେଇଛନ୍ତି ସନ୍ୟାସ ।




