ଝାରସୁଗୁଡା ୨୬।୯: ଶନିବାର ଝାରସୁଗୁଡା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ପରିପ୍ରେକ୍ଷୀରେ ଗୁରୁବାର ଠାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଝାରସୁଗୁଡାରେ ରହିଛନ୍ତି । ଶନିବାର ଠାରୁ ଲଘୁଚାପ ଜନିତ ବୃଷ୍ଟିପାତ ଓ ସମ୍ଭାବ୍ୟ ବାତ୍ୟା ସ୍ଥିତି ମଧ୍ୟ ରହିଛି । ଏହାକୁ ଦୃଷ୍ଟିରେ ରଖି ସହରର ଏକ ହୋଟେଲରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ ଖୋଲାଯାଇଛି ।
ମୁଖ୍ୟମନ୍ତ୍ରୀ ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କୀତ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୋଲିସ ମହା ନିର୍ଦ୍ଦେଶକ ୱାଇ.ବି. ଖୁରାନିଆ ପ୍ରମୁଖ ଉପସ୍ଥିତ ଥିବାବେଳେ ବିଭିନ୍ନ ଜିଲ୍ଲାପାଳ, ବିଭାଗୀୟ ସଚିବମାନେ ଆଭାସୀ ଯୋଗେ ଯୋଡି ହୋଇଥିଲେ । ବାତ୍ୟା ସମୟରେ କିଭଳି ଭାବେ ଲୋକଙ୍କୁ ଥଇଥାନ କରାଯିବ, ପାଣି ଯୋଗୁ ବିଚ୍ଛିନ୍ନ ହେଉଥିବା ଅଞ୍ଚଳରେ କିଭଳି ମରାମତି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ, ପର୍ଯ୍ୟାପ୍ତ ସାପ କାମୁଡ଼ା ସମ୍ପର୍କୀତ ଆଣ୍ଟି ଭେନମ୍, ତାରପୋଲିନ ଗଚ୍ଛିତ ରଖିବା ଆଦି ପ୍ରସଙ୍ଗ ଉପରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ।




