ଭୁବନେଶ୍ବର ୨୧।୧୦: ଭୁବନେଶ୍ବରରେ ନାବାଳିକା ଦୁଷ୍କର୍ମ ଘଟଣା ପରେ ଯେଉଁ ବଡ଼ ସେକ୍ସରାକେଟର ଗୁମର ଖୋଲିଥିଲା ଏହାର ତନାଘନା ଜୋରଦାର କରିଛି କ୍ରାଇମବ୍ରାଞ୍ଚ । କିଛି ବଡ଼ ସୁରାକ ଲାଗିଛି । ଯାହାକୁ ଦେଖି ଏହାକୁ ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ କରିଛି ପୋଲିସ । ଅର୍ଥାତ ତିନି ମାସ ମଧ୍ୟରେ ଦୁଷ୍କର୍ମ ମାମଲାର ଚାର୍ଜସିଟ୍ କୋର୍ଟରେ ଦାଖଲ କରିବ ପୋଲିସ । ତଦନ୍ତରେ ସାମିଲ ହୋଇଛନ୍ତି କ୍ରାଇମ ଏଗେନଷ୍ଟ ୱିମେନ CAWର ତିନି ଅଧିକାରୀ । ସିଏଡବ୍ଲୁ ଡିଏସପି କ୍ୟାପିଟାଲ ଥାନାର ତଦନ୍ତକାରୀ ଅଧିକାରୀଙ୍କୁ ତଦନ୍ତର ଅଗ୍ରଗତି ସଂପର୍କରେ ପଚାରି ବୁଝିଛନ୍ତି ।
ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେଉଁ ଘରେ ସେକ୍ସ ରାକେଟ ଠାବ ହୋଇଥିଲା ସେହିଘରୁ ଏଡସ୍ ମେଡିସିନ ଜବତ ହୋଇଛି । ଏହି ମେଡିସିନ କୋଲକାତାରୁ କିଣା ଯାଇଥିଲା । ତେଣୁ ପ୍ରଶ୍ନ ଉଠୁଛି ସେକ୍ସ ରାକେଟରେ ଉଦ୍ଧାର ହୋଇଥିବା କେହି ଏଡସ ରୋଗରେ ଆକ୍ରାନ୍ତ ଥିଲେ କି । ଯଦି କେହି ଏଡସ୍ରେ ଆକ୍ରାନ୍ତ ଥିଲେ ତାଙ୍କ ମାଧ୍ୟମରେ କେତେ ଜଣଙ୍କୁ HIV ସ୍ପ୍ରେଡ ହୋଇଥିବ ସେମାନଙ୍କୁ ଠାବ କରାଯାଇପାରିବ କି ? ଲକ୍ଷ୍ମୀସାଗର ସେକ୍ସ ରାକେଟରେ ଏଡସ ରୋଗୀ ଥିବା ସନ୍ଦେହ ହେବା ପରେ ଏବେ ଭିତରେ ଭିତରେ ଚାପା ଗୁଞ୍ଜରଣ ଚାଲିଲାଣି ।
ଅନ୍ୟପଟେ ଏବେବି ପୋଲିସ ହାତରେ ଧରାପଡିନାହିଁ ସେକ୍ସ ରାକେଟ୍ ପରିଚାଳନା କରୁଥିବା ବାରିକ ବାବୁ । ବାରିକ ବାବୁକୁ ଧରିବା ପାଇଁ କ୍ୟାପିଟାଲ ଥାନା ପୋଲିସ ସହିତ ଲକ୍ଷ୍ମୀସାଗର ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । BNS 183ରେ ନାବାଳିକାର ବୟାନ କୋର୍ଟରେ ରେକର୍ଡ କରାଯିବ । ଏଥିରୁ ବହୁ ଗୁମର ଖୋଲିବା ସମ୍ଭାବନା ରହିଛି । ସେହିପରି ଉଦ୍ଧାର ହୋଇଥିବା ଯୁବତୀ ମାନଙ୍କୁ ସେମାନଙ୍କ ଘରକୁ ପଠାଇବା ପାଇଁ କୋର୍ଟର ନିର୍ଦ୍ଦେଶକୁ ଅପେକ୍ଷା କରିଛି ପୋଲିସ ।




