ଜୁବିନ ଗର୍ଗଙ୍କ ମୃତ୍ୟୁରେ ସସପେନ୍ସ ଜାରି : ସିଙ୍ଗାପୁର ପୁଲିସ କହିଲା – ତଦନ୍ତରେ ଆଉ ତିନି ମାସ ସମୟ ଲାଗି ପାରେ

ଜୁବିନ-ଗର୍ଗଙ୍କ-ମୃତ୍ୟୁରେ-ସସପେନ୍ସ-ଜାରି-:-ସିଙ୍ଗାପୁର-ପୁଲିସ-କହିଲା-–-ତଦନ୍ତରେ-ଆଉ-ତିନି-ମାସ-ସମୟ-ଲାଗି-ପାରେ

ନୂଆଦିଲ୍ଲୀ : ସିଙ୍ଗାପୁରରେ ପ୍ରସିଦ୍ଧ ସିଙ୍ଗର ଜୁବିନ ଗର୍ଗଙ୍କ ମୃତ୍ୟୁର ତଦନ୍ତ ଜାରି ରହିଛି , କିନ୍ତୁ ଏବେ ବି ଏହି ମୃତ୍ୟୁ ରହସ୍ୟରୁ ପରଦା ଉଠି ନାହିଁ। ସିଙ୍ଗାପୁର ପୁଲିସ ଶୁକ୍ରବାର କହିଛନ୍ତି , ଜୁବିନଙ୍କ ମୃତ୍ୟୁର ତଦନ୍ତ ସଂପୂର୍ଣ୍ଣ ହେବାରେ ପାଖାପାଖି ଆଉ ତିନି ମାସ ଲାଗି ପାରେ। ତଦନ୍ତ ପୂରା ହେବା ପରେ ରିପୋର୍ଟ ରାଜ୍ୟର କୋରୋନରକୁ ହସ୍ତାନ୍ତର କରାଯିବ, ଯିଏ ଏହା ସ୍ଥିର କରିବେ ଯେ, ଇନକ୍ୱାରୀ କରାଯିବ ନା ନାହିଁ।

୫୨ ବର୍ଷିୟ ଜୁବିନ ଗର୍ଗଙ୍କର ୧୯ସେପ୍ଟେମ୍ୱରରେ ସିଙ୍ଗାପୁରର ସେଣ୍ଟ ଜନ୍ସ ଦ୍ୱୀପ ନିକଟରେ ପହଁରୁ ଥିବା ସମୟରେ ରହସ୍ୟପୂର୍ଣ୍ଣ ସ୍ଥିତିରେ ମୃତ୍ୟୁ ହୋଇଥିଲା। ଏହି ସମୟରେ ସେ ନର୍ଥ ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲର ସାଂସ୍କୃତିକ ବ୍ରାଣ୍ଡ ଆମ୍ୱାସାଡାର ଭାବେ ସିଙ୍ଗାପୁରରେ ଉପସ୍ଥିତ ଥିଲେ। ଏହି ମହୋତ୍ସବ ସେପ୍ଟେମ୍ବର ୨୦ ଓ ୨୧ ରେ ଅନୁଷ୍ଠିତ ହେବାର ଥିଲା। ସିଙ୍ଗାପୁର ପୁଲିସ ଫୋର୍ସ କହିଛି ଯେ ତଥ୍ୟଗୁଡ଼ିକର ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରାଯାଉଛି। ସିଙ୍ଗାପୁର ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ତଦନ୍ତ ଶେଷ ହେବା ପରେ, ରିପୋର୍ଟ ରାଜ୍ୟ କୋରୋନରଙ୍କ ପାଖକୁ ପଠାଯିବ। କୋରୋନରଙ୍କ ତଦନ୍ତ ଏକ ନ୍ୟାୟିକ ପ୍ରକ୍ରିୟା ହୋଇଥାଏ, ଯେଉଁଥିରେ ମୃତ୍ୟୁର କାରଣ ଏବଂ ପରିସ୍ଥିତି ବିଷୟରେ ତଦନ୍ତ କରାଯାଏ। ଏହାପରେ ନିଷ୍କର୍ଷ ସାର୍ବଜନୀନ କରାଯାଏ।

 ଜୁବିନଙ୍କ ପୋଷ୍ଟମର୍ଟମ ରିପୋର୍ଟ ଅକ୍ଟୋବର ୧ ତାରିଖରେ ଭାରତୀୟ ହାଇ କମିଶନ ସହ ସେୟାର କରାଯାଇ ସାରିଛି। ପୁଲିସ ସ୍ପଷ୍ଟ କରିଛି ଯେ, ପ୍ରାରମ୍ଭିକ ତଦନ୍ତରେ ଜୁବିନ ଗର୍ଗଙ୍କ ମୃତ୍ୟୁରେ କୌଣସି ପ୍ରକାରର ଗଡ଼ବଡ଼ କୌଣସି ସଙ୍କେତ ମିଳି ନାହିଁ। ଏହା ମଧ୍ୟ କୁହାଯାଇଛି ଯେ, ଅନଲାଇନ୍‌ ପ୍ରସାରିତ ହେଉଥିବା ମିଥ୍ୟା ଓ ଆକଳନ ଉପରେ ଆଧାରିତ ସୂଚନାରେ ପୁଲିସ ସଂପୂର୍ଣ୍ଣ ରୂପେ ଅବଗତ ଅଛି। ଅସ୍ପଷ୍ଟ ସୂଚନା ପ୍ରସାରିତ ନକରିବା ଓ ଗୁଜବରୁ ଦୂରେଇ ରହିବା ଓ ଯାଞ୍ଚ ପୂରା ହେବା ଯାଏ ଅପେକ୍ଷା କରିବାକୁ ପୁଲିସ ଲୋକଙ୍କୁ ଅପିଲ କରିଛି। ସୂଚନା ଆଧାରରେ, ଏସଆଇଟି ଏହି ମାମଲାରେ ଏବେସୁଦ୍ଧା ୭ଜଣ ଲୋକଙ୍କୁ ଗିରଫ କରିଛି। ସମସ୍ତଙ୍କୁ ନ୍ୟାୟିକ ହେପାଜତରେ ପଠାଇ ଦିଆଯାଇଛି। ହେଲେ ସିଙ୍ଗାପୁର ପୁଲିସ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି ଯେ,ତାଙ୍କ ତଦନ୍ତ ସ୍ୱତନ୍ତ୍ର ଓ କୌଣସି ବାହ୍ୟ ପ୍ରଭାବ ଦ୍ୱାରା ପରିଚାଳିତ ନୁହେଁ।

Scroll to Top