‘ ଜିଦି ଧରିବା ହିଁ ଭଲ , ଭାରତ କେବେ ମୁଣ୍ଡ ନୁଆଁଇବ ନାହିଁ ‘ : ଆମେରିକାର ମନ୍ତବ୍ୟରେ ସ୍ପଷ୍ଟ ଶୁଣାଇଲେ ଶଶି ଥରୁର

‘-ଜିଦି-ଧରିବା-ହିଁ-ଭଲ-,-ଭାରତ-କେବେ-ମୁଣ୍ଡ-ନୁଆଁଇବ-ନାହିଁ-‘-:-ଆମେରିକାର-ମନ୍ତବ୍ୟରେ-ସ୍ପଷ୍ଟ-ଶୁଣାଇଲେ-ଶଶି-ଥରୁର

ନୂଆଦିଲ୍ଲୀ : ଆମେରିକାକୁ ପୁଣି ଥରେ ନିଜର ଚିରାଚରିତ ଢଙ୍ଗରେ ଜବାବ ଦେଇଛନ୍ତି କଂଗ୍ରେସ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶଶି ଥରୁର। ଆମେରିକା ଦ୍ୱାରା ଭାରତ ଉପରେ ମୋଟା ଅଙ୍କର ଶୁଳ୍କ ବା ଟାରିଫ୍‌ ଲଗାଇବା ପରେ ,ନିକଟରେ ଆମେରିକୀୟ ଅର୍ଥମନ୍ତ୍ରୀ ଭାରତ ପାଇଁ ଅଡିୟଲ ବା ଜିଦି ଶବ୍ଦର ପ୍ରୟୋଗ କରିଥିଲେ। ଆମେରିକାର ଅର୍ଥମନ୍ତ୍ରୀ ସ୍କଟ୍ ବେସେଣ୍ଟ କହିଥିଲେ ଯେ , ଭାରତ ଆମେରିକା ସହ ଚାଲୁଥିବା ଟ୍ରେଡ୍‌ ଡିଲ୍‌ରେ ଢିଲା ମନୋବୃତ୍ତି ଆପଣାଉଛି। ଏହା ଉପରେ ଜବାବ ଦେଇ ଶଶି ଥରୁର କହିଛନ୍ତି ଯେ, ଯେତେବେଳେ ଆପଣଙ୍କ ବିରୋଧରେ ଅନ୍ୟାୟ ହେଉଥିବ , ସେତେବେଳେ ଅଡିୟଲ ରହିବା ହିଁ ଭଲ । 

ଶଶି ଥରୁର ଗୁରୁବାର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ସ୍କଟ୍ ବେସେଣ୍ଟଙ୍କ ବୟାନରେ ପ୍ରତିକ୍ରିୟା ଦେଇ କହିଥିଲେ , ମୁଁ ଶୁଣିଛି ଯେ , କିଛି ଲୋକ ଭାରତ ଉପରେ ଅଡିୟଲ ହେବାର ଅଭିଯୋଗ କରୁଛନ୍ତି। ମୁଁ କହୁଛି ଯେ, ଅନ୍ୟାୟ ଆଗରେ ନିରବ ରହିବା ଓ ଆତ୍ମ ସମର୍ପଣ କରିବା ଅପେକ୍ଷା ଅଡିୟଲ ବା ଜିଦ୍‌ଖୋର ହେବା ବହୁତ ଭଲ। ଏହା ପୂର୍ବରୁ ଟ୍ରମ୍ପଙ୍କ ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍‌ ଲଗା ଯିବା ପରେ ମଧ୍ୟ ଥରୁର ରାଗି ଉଠି ଥିଲେ। ଶଶି ଥରୁର ଆମେରିକା ଉପରେ ଦୁଇଗୁଣା ମାନଦଣ୍ଡର ଅଭିଯୋଗ କରି କହିଥିଲେ ଟ୍ରମ୍ପ ରୁଷ୍‌ ଠାରୁ ତୈଳ କ୍ରୟ କରିବା ପାଇଁ ଭାରତକୁ ଦଣ୍ଡ ଦେଉଛି ,ଅନ୍ୟପଟେ କିନ୍ତୁ ଆମେରିକା ନିଜେ ରୁଷ୍‌ ଠାରୁ ଅନେକ ଉତ୍ପାଦ ଆମଦାନୀ କରିଥାଏ।

ଉଲ୍ଲେଖନୀୟ ଯେ, ଭାରତ ଓ ଆମେରିକା ମଧ୍ୟରେ ଟ୍ରେଡ୍‌ ଡିଲ୍‌କୁ ନେଇ ଆଲୋଚନା ଜାରି ରହିଛି। ହେଲେ ଗତ ଦିନରେ ଟ୍ରମ୍ପ ଭାରତ ଉପରେ ପୂର୍ବରୁ ୨୫ ପ୍ରତିଶତ ଟାରିଫ୍‌ ଓ ଏହାପରେ ଅତିରିକ୍ତ ୨୫ପ୍ରତିଶତ ଟାରିଫ ଲଗାଇବାର ଘୋଷଣା କରିଥିଲେ , ଏହାପରେ ଏହି ଆଲୋଚନା ଖୁବ୍‌ ଗମ୍ଭୀର ସ୍ଥିତି ଦେଇ ଗତି କରୁଛି। ଏହିପରି ବୟାନବାଜିର ପ୍ରଭାବ ଆଲୋଚନା ଟେବୁଲ ଉପରେ ମଧ୍ୟ ଦେଖାଯାଇ ପାରେ। 

ଏପଟେ ଆମେରିକା ଏବେ ଭାରତରୁ ଆମଦାନୀ ଉତ୍ପାଦ ଉପରେ ମୋଟ ୫୦ ପ୍ରତିଶତ ଶୁଳ୍କ ଲଗାଇବାକୁ ଯାଉଛି, ଯେଉଁଥିରୁ ୨୫ ପ୍ରତିଶତ ଟାରିଫ୍‌ର ଆରମ୍ଭ ୭ ଅଗଷ୍ଟରୁ ହୋଇ ଯାଇଛି। ଅନ୍ୟପଟେ ଅବଶିଷ୍ଟ ୨୫ ପ୍ରତିଶତ ଶୁଳ୍କ ବା ଟାରିଫ୍‌ ୨୭ ଅଗଷ୍ଟରୁ ଲାଗୁ କରାଯିବ। ଏହି ମଧ୍ୟରେ ଟ୍ରମ୍ପ ଗୁରୁବାର କହିଛନ୍ତି ଯେ, ଯଦି ଶୁକ୍ରବାର ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା ସଫଳ ନହେଲେ , ସେ ଭାରତ ଉପରେ ଆହୁରି ଅଧିକ ଟାକ୍ସ ଲଗେଇବେ ।   

Scroll to Top