ନୂଆଦିଲ୍ଲୀ ୨୫।୦୮; ଜାମ୍ମୁ-କାଶ୍ମୀରରେ ବର୍ଷା ବିତ୍ପାତ। ଏହି କାରଣରୁ ଅସ୍ତବ୍ୟସ୍ତ ହୋଇପଡିଛନ୍ତି ଲୋକମାନେ। ରାତି ସାରା ବର୍ଷା ହେବା ପରେ ଅନେକ ଅଞ୍ଚଳରେ ପାଣି ଜମିବା ସହ ଅନେକ ଧନଜୀବନ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ନଦୀକୁ ମାଡ଼ି ଆସିତିବା ବନ୍ୟାଜଳ ଜମ୍ମୁ-କାଶ୍ମୀର କଠୁଆର ସହାରଖାଦ ନଦୀ ଉପରେ ଥିବା ପୋଲ ଭାଙ୍ଗିଯାଇଛି। ଜମ୍ମୁ-ପଠାନକୋଟ ରାଜପଥକୁ ସଂଯୋଗ କରୁଥିଲା ଏହି ବ୍ରିଜ୍।
ଲୋଗେଟ ମୋର୍ହ ନିକଟରେ ଥିବା ରାଜପଥରେ ଏକ ସେତୁ ମଝିରେ ଭାଙ୍ଗି ପଡ଼ିଛି। ପ୍ରବଳ ସ୍ରୋତ ଯୋଗୁଁ ଜାତୀୟ ରାଜପଥରେ ସାହାର ଖାଦ ଉପରେ ଥିବା ଉଭୟ ସେତୁରେ ଯାତାୟାତ ବନ୍ଦ କରାଯାଇଛି। ପ୍ରାଧିକରଣ ଗାଡ଼ିମୋଟରକୁ ଅନ୍ୟ ଏକ ରାସ୍ତା ପାଇଁ ଡାଇଭର୍ଟ କରିଛନ୍ତି। କଠୁଆର ଡେପୁଟି କମିଶନର କହିଛନ୍ତି ଯେ ଗୋଟିଏ ପୋଲରେ ବଡ଼ କ୍ଷତି ହୋଇଛି ଏବଂ ଅନ୍ୟଟି ମଧ୍ୟ ଦୁର୍ବଳ ଅଛି।
ଜମ୍ମୁରେ ଗତ ୨୪ ଘଣ୍ଟାରେ ସକାଳ ୮:୩୦ ପର୍ଯ୍ୟନ୍ତ ୧୯୦.୪ ମିମି ବର୍ଷା ରେକର୍ଡ କରାଯାଇଛି। ବର୍ଷା ଏତେ ପରିମାଣର ହୋଇଥିଲା ଯେ, ଜମ୍ମୁର ଅନେକ ସହରାଞ୍ଚଳରେ ପାଣି ପଶି ଯାଇଛି। ଘର ଭୁଶୁଡି ପଡିବା ସହ ଲୋକମାନେ ବାସହୀନ ହୋଇଯାଇଛନ୍ତି। ପାହାଡ଼ ଧସିବା କାରଣରୁ ପୁଞ୍ଚ ଓ ରାଜୌରୀକୁ ଶୋପିଆନ ସହ ସଂଯୋଗ କରୁଥିବା ମୁଘଲ ରୋଡ ଏବଂ କିଷ୍ଟୱାର ଓ ଡୋଡାକୁ ଅନନ୍ତନାଗ ସହ ସଂଯୋଗ କରୁଥିବା ସିନଥାନ ରୋଡ ବନ୍ଦ ହୋଇଯାଇଥିଲା। ବିପର୍ଯ୍ୟୟ ମୁକାବିଲା ଉଦ୍ଧାରକାରୀ ଦଳ ଓ ପୋଲିସକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।




