ଜଙ୍ଗଲରୁ ମହିଳାଙ୍କ ଗଳିତ ଶବ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ
Published By: Chikun – Prameya-News7 Bureau | October 29, 2025 11:29 PM
NEWS7
ବଲାଙ୍ଗୀର: ଜଙ୍ଗଲରୁ ଉଦ୍ଧାର ହେଲା ମହିଳାଙ୍କ ଗଳିତ ମୃତଦେହ। କେହି ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ସନ୍ଦେହ କରାଯାଉଥିବାବେଳେ ଶବଟି ୭ ଦିନରୁ ଅଧିକ ସମୟ ଧରି ପଡ଼ିରହିଥିବା ଜଣାପଡ଼ିଛି। ଖାଲି ସେତିକି ନୁହେଁ ମହିଳାଙ୍କ ମୁହଁକୁ ମଧ୍ୟ ପୋଡ଼ିଦିଆଯାଇଛି। ତେବେ ବଲାଙ୍ଗୀର ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣା ଘଟିଛି ବଲାଙ୍ଗୀର ଦେଓଗାଁ ଅଞ୍ଚଳ ବନ୍ଧପଡ଼ା ଫାଣ୍ଡି ଅନ୍ତର୍ଗତ ଗୋଏଲପିଟା ଜଙ୍ଗଲରେ।
ସୂଚନା ଅନୁସାରେ, ସ୍ଥାନୀୟ ଗାଁର ଜଣେ ବ୍ୟକ୍ତି ଜଙ୍ଗଲ ଭିତରେ ଥିବା ନିଜର ଏକ ଜମିରେ ମହିଳାଙ୍କ ଏଭଳି ଗଳିତ ମୃତଦେହ ପଡ଼ିଥିବାର ପାଇ ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ପୋଷ୍ଟ ମଟର୍ମ ପାଇଁ ପଠାଇଛି। ଏହା ସହ ପାରିପାର୍ଶ୍ୱକ ସ୍ଥିତି ଅନୁଧ୍ୟାନ କରି ତଦନ୍ତ ଚଳାଇଛି।
ତେବେ ପୋଷ୍ଟ ମଟର୍ମ ରିପୋର୍ଟ ଆସିବା ପରେ ଘଟଣା କାରଣ ସ୍ପଷ୍ଟ ହେବ ବୋଲି କହିଛି ପୋଲିସ। ସେପଟେ ଏହି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି। ଲୋକେ, ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି।




