ନୂଆଦିଲ୍ଲୀ : ଅନେକ ଛାତ୍ରୀଙ୍କୁ ଯୌନ ଶୋଷଣର ଅଭିଯୁକ୍ତ ଚୈତନ୍ୟାନନ୍ଦ ସରସ୍ୱତୀଙ୍କୁ ପୁଲିସ ଦିଲ୍ଲୀର ଏକ କୋର୍ଟରେ ହଜାର କରିଥିଲା। କୋର୍ଟ ଏହି ଆତ୍ମଘୋଷିତ ଧର୍ମଗୁରୁଙ୍କୁ ୫ ଦିନର ପୁଲିସ ହେପାଜତକୁ ପଠାଇ ଦେଇଛନ୍ତି। ଏହା ପୂର୍ବରୁ ପୁଲିସ ତାଙ୍କୁ ରବିବାର ସକାଳେ ଆଗ୍ରାରୁ ଗିରଫ କରି ଥିଲା। ସେ ଏକ ହୋଟେଲରେ ରହିଥିଲେ।
ଦିଲ୍ଲୀ ପୁଲିସର ଅଧିକାରୀମାନେ କହିଛନ୍ତି ଯେ, ଚୈତନ୍ୟାନନ୍ଦ ସରସ୍ୱତୀଙ୍କୁ ରବିବାର ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଥିଲା। ପୁଲିସ ଏକ ଘରୋଇ ସଂସ୍ଥାରେ ୧୭ ଜଣ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୁକ୍ତ ଆତ୍ମଘୋଷିତ ଧର୍ମଗୁରୁଙ୍କର ୫ଦିନର ହେପାଜତ ମାଗିଥିଲା, ଯାହାକୁ କୋର୍ଟ ମଞ୍ଜୁରୀ ପ୍ରଦାନ କରିଛନ୍ତି।
୬୨ ବର୍ଷିୟ ଚୈତନ୍ୟାନନ୍ଦଙ୍କୁ ରବିବାର ସକାଳେ ଆଗ୍ରାରୁ ଗିରଫ କରାଯାଇଛି। ତାଙ୍କୁ ଦିପ୍ରହର ୩ଟା ୪୦ସମୟରେ ଡ୍ୟୁଟି ମାଜିଷ୍ଟ୍ରେଟ୍ ରବିଙ୍କ ସମ୍ମୁଖରେ ହଜାର କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ, ଦିଲ୍ଲୀ ପୁଲିସର ଏକ ଟିମ୍ ସରସ୍ୱତୀଙ୍କୁ ଆଗ୍ରାରୁ ଖୋଜି ବାହାର କରିଥିଲେ। ସେଠାରେ ସେ ଏକ ହୋଟେଲରେ ରହୁଥିଲେ। ଏହା ପୂର୍ବରୁ ପୁଲିସ ଚୈତନ୍ୟାନନ୍ଦ ସରସ୍ୱତୀଙ୍କ ସଂପର୍କିତ ୮ କୋଟି ଟଙ୍କା ଜବତ କରିନେଇ ଥିଲା। ଏହି ଟଙ୍କା ଅନେକ ବ୍ୟାଙ୍କ ଆକାଉଣ୍ଟ ଓ ଫିକ୍ସଡ୍ ଡିପୋଜିଟ୍ରେ ଜମା ଥିଲା।
ଏଫଆଇଆର ଅନୁସାରେ , ଦକ୍ଷିଣ –ପଶ୍ଚିମ ଦିଲ୍ଲୀ ସ୍ଥିତ ଏକ ପ୍ରବନ୍ଧନ ସଂସ୍ଥାର ପୂର୍ବତନ ଅଧ୍ୟକ୍ଷ ଚୈତନ୍ୟାନନ୍ଦ ସରସ୍ୱତୀ କଥିତ ଭାବେ ଛାତ୍ରୀଙ୍କୁ ବିଳମ୍ୱିତ ରାତିରେ ନିଜର କ୍ୱାଟରକୁ ଆସିବା ପାଇଁ ବାଧ୍ୟ କରୁଥିଲେ। ସେ ଛାତ୍ରୀଙ୍କୁ ଫୋନ୍ରେ ଖରାପ ମେସେଜ୍ ମଧ୍ୟ ପଠାଉ ଥିଲେ। କଥିତ ଭାବେ ସେ ନିଜର ଫୋନ ଦ୍ୱାରା ଛାତ୍ରୀଙ୍କ କାର୍ଯ୍ୟକଳାପ ଉପରେ ନଜର ରଖୁ ଥିଲେ।
ଯାଞ୍ଚ ବେଳେ ଏହା ମଧ୍ୟ ଜଣାପଡ଼ିଛି ଯେ, ଅଭିଯୁକ୍ତ ଚୈତନ୍ୟାନନ୍ଦ କଥିତ ଭାବେ ଅଲଗା ଅଲଗା ନାଁ ଓ ବିବରଣୀ ଗୁଡ଼ିକର ବ୍ୟବହାର କରି ଅନେକ ବ୍ୟାଙ୍କ ଆକାଉଣ୍ଟ ପରିଚାଳିତ କରୁଥିଲେ। ତାଙ୍କ ବିରୋଧରେ ଏଫଆଇଆର ରୁଜୁ ହେବା ପରେ ସେ ୫୦ ଲକ୍ଷ ଟଙ୍କାରୁ ଅଧିକ ରାଶି ବାହାର କରି ନେଇଥିଲେ।
ସେ କଥିତ ଭାବେ ଆକାଉଣ୍ଟ ଖୋଲିବା ସମୟରେ ଅଲଗା ଅଲଗା ବିବରଣୀର କାଗଜପତ୍ର ଜମା କରିଥିଲେ। ପୁଲିସକୁ ତାଙ୍କ ପାଖରୁ ଫେକ୍ ଭିଜିଟିଂ କାର୍ଡ ମଧ୍ୟ ମିଳିଥିଲା , ଯେଉଁଥିରେ ତାଙ୍କର ଜାତିସଂଘ ଓ ବ୍ରିକ୍ସ ସହ ସଂପର୍କ ଥିବା ଦର୍ଶାଯାଇ ଥିଲା।




