ଚାଇନା ଲାଇଟ୍ ସହ ସରକାରୀ କଟକଣା ଫିକା କରିଛି ଦୀପାବଳି ବଜାର, ସେପଟେ ପ୍ରଦୂଷଣ ନେଇ ସଜାଗ ହେଲେଣି ଲୋକେ
Published By: Ruby – Prameya-News7 Bureau | October 19, 2025 01:38 PM
NEWS7
ବାରିପଦା ୧୯।୧୦: ରାତି ପାହିଲେ ଆଲୋକର ପର୍ବ ଦୀପାବଳି । ଦୀପାବଳିକୁ ନେଇ ବାରିପଦା ବଜାର ଚଳଚଞ୍ଚଳ । ପାରମ୍ପରିକ ଦୀପ ସାଙ୍ଗକୁ ଚାଇନା ଲାଇଟ୍ ସେପଟେ ଭଳିକି ଭଳି ବାଣର ପସରା ଧରି ଖୋଲିଛି ବାଣ ବଜାର । ପାରମ୍ପରିକ ଦୀପ ଓ ତେଲର ଚାହିଦାକୁ ଗତ କିଛିବର୍ଷ ଧରି ଖାଇ ଚାଲିଛି ଚାଇନା ଲାଇଟ୍ ଓ ବୈଦ୍ୟୁତିକ ଦୀପ । ବଂଶାନୁକ୍ରମରେ ଯେଉଁ କୁମ୍ଭାର ପରିବାର ସବୁ ଦୁଇ ପଇସା ଭଲ ବେପାର ପାଇଁ ଦୀପାବଳିର ବଜାରକୁ ଚାହିଁ ବସିଥାନ୍ତି ସେମାନେ ଟିକିଏ ନିରାଶ ହୋଇଛନ୍ତି । ତେବେ ବି ଲୋକେ ନିଜ ପାରମ୍ପରିକ ଦୀପ ଓ ତେଲକୁ ଛାଡ଼ି ନାହାନ୍ତି ବୋଲି ଚାଲିଛି ମାଟିଦୀପର ବେପାର ।
ସେପଟେ ଦୀପାବଳିର ମୁଖ୍ୟ ଆକର୍ଷଣ ବାଣ ବଜାରରେ ଭିଡ଼ ଜମିବାକୁ ଲାଗିଲାଣି । ସରକାରୀ କଟକଣା ମଧ୍ୟରେ ଅନୁମତି ନେଇ ଗ୍ରୀନ୍ ବାଣର ପସରା ମେଲାଇଛନ୍ତି ଦୋକାନୀ । ସମସ୍ତ ସୁରକ୍ଷାର ଆନୁସଙ୍ଗୀକ ବ୍ୟବସ୍ଥା ସହିତ ଦୋକାନ ଖୋଲିଥିଲେ ମଧ୍ୟ ଏବର୍ଷ ବର୍ଷାର ଆଶଙ୍କା ଓ କଟକଣା ଯୋଗୁଁ ବେପାର କମିଛି ବୋଲି ଦୋକାନୀ କହିଛନ୍ତି ।
ଦୀପାବଳିର ପ୍ରଦୂଷଣକୁ ନେଇ ସଜାଗ ହେଲେଣି ଲୋକେ । ତେଣୁ ଛୋଟ ପିଲାମାନେ ମଧ୍ୟ ସଚେତନ ହୋଇ ଅଳ୍ପ ପ୍ରଦୂଷଣର ବାଣ ସହିତ ଗ୍ରୀନ ବାଣ ଖୋଜି ଖୋଜି କିଣୁଛନ୍ତି । ଦୀପାବଳି ପାଳିବାକୁ ଆନନ୍ଦର ସହିତ କରୁଛନ୍ତି ପ୍ରସ୍ତୁତି । ଦୀପାବଳିରେ ଦୁର୍ଘଟଣା ଆଶଙ୍କାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ରହିଛି ଜିଲ୍ଲା ପ୍ରଶାସନ । ପୋଡାଜଳା ପୀଡ଼ିତଙ୍କ ଲାଗି ୧୫ଟି ସ୍ଵତନ୍ତ୍ର ବେଡ୍ର ବ୍ୟବସ୍ଥା କରିଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବୋଲି ବାରିପଦା ADMO କହିଛନ୍ତି ।




