ଭଦ୍ରକ ୯।୧୦: ଏଥର ୭ ଦିନ ଆୟୋଜିତ ହେବ ଭଦ୍ରକ କାଳୀପୂଜା । ୯ ଦିନ ପରିବର୍ତ୍ତେ ଚଳିତ ବର୍ଷ ୭ ଦିନ ଆୟୋଜିତ ହେବ ଭଦ୍ରକର ଐତିହାସିକ କାଳୀପୂଜା । ବିଭିନ୍ନ କାରଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । କାଳୀପୂଜା ପ୍ରସ୍ତୁତି ବୈଠକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପ୍ରସ୍ତୁତି ବୈଠକରେ ରାସ୍ତାଘାଟ ମରାମତି, ଆଲୋକୀକରଣ ବ୍ୟବସ୍ଥା, ଆଇନ ଶୃଙ୍ଖଳା ପରିସ୍ଥିତି ଆଦି ବିଭିନ୍ନ ଦିଗରେ ଆଲୋଚନା କରାଯାଇଛି । ଚଳିତ ବର୍ଷ କାଳୀପୂଜା କିପରି ସୁରୁଖୁରୁରେ ଓ ଶାନ୍ତି ଶୃଙ୍ଖଳାର ସହ ସମାପନ ହେବ ସେଥିପ୍ରତି ବିଭିନ୍ନ ନିଷ୍ପତ୍ତି ନିଆଯାଇଛି । ସେହିପରି କାଳୀପୂଜାରେ ୭ରୁ ଅଧିକ ଯାତ୍ରା ପାର୍ଟି ଆସିବାକୁ ଥିବାବେଳେ ଯାତ୍ରାରେ ନଗ୍ନତା ପ୍ରଦର୍ଶନ ଉପରେ କଡ଼ା ରୋକ ଲଗାଯିବା ସହିତ ଦର୍ଶକ କିପରି ସୁରୁଖୁରୁରେ ଯାତ୍ରା ଉପଭୋଗ କରିବେ ସେଥିପାଇଁ ପ୍ରଶାସନ ତୀକ୍ଷ୍ଣ ଦୃଷ୍ଟି ରଖିବ ବୋଲି କୁହାଯାଇଛି ।
ସୂଚନାଯୋଗ୍ୟ ଯେ, ଐତିହାସିକ ଭଦ୍ରକ କାଳୀପୂଜା ପାଇଁ ବୁଧବାର ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ବୈଠକର ଅଧ୍ୟକ୍ଷତା କରିଥିଲେ । ଚଳିତ ବର୍ଷ ୭ ଦିନ ଧରି ପାଳିତ ହେବାକୁ ଥିବା ଏହି ପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ । ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ ମେଳାରେ ଅଧିକ ଜନସମାବେଶ ହେତୁ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ କରାଯାଇଥିଲେ ମଧ୍ୟ ପର୍ବ ପାଳନରେ ଜନସାଧାରଣ ବିଭିନ୍ନ କ୍ଷେତ୍ରରେ ପୋଲିସକୁ ସହଯୋଗ କରିବା ପାଇଁ ନିବେଦନ କରିଥିଲେ ।
ତେବେ ଏଥର ପୂର୍ବ ପରମ୍ପରା ଅନୁଯାୟୀ ୨୧ରୁ ୨୭ ତାରିଖ ପର୍ଯ୍ୟନ୍ତ ୭ ଦିନ ଧରି ଏହି ଐତିହାସିକ ମେଳା ଅନୁଷ୍ଠିତ ହେବ ବୋଲି ଏସ୍ପି ମନୋଜ ରାଉତ ସୂଚନା ଦେଇଥିଲେ । ପୂଜା ୨୧ ତାରିଖରୁ ଆରମ୍ଭ ହୋଇ ୨୮ ତାରିଖ ସକାଳେ ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ମା’ଙ୍କ ବିସର୍ଜନ ପାଇଁ ପ୍ରଶାସନ ତରଫରୁ ଚଳିତବର୍ଷ ଡଗରାସାହି କେନାଲ ରୋଡ୍ ଓ ଛପୁଲିଆ ଠାରେ ୨ ଗୋଟି କୃତ୍ରିମ ଜଳାଶୟ ନିର୍ମାଣ କରାଯିବା ପାଇଁ ବ୍ୟବସ୍ଥା ରହିଛି । ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପୂଜା ମଣ୍ଡପ ଗୁଡିକରେ ସିସିଟିଭ୍ କ୍ୟାମେରା ଲଗାଇ ପୋଲିସ୍ କେଣ୍ଟ୍ରୋଲ ରୁମ୍ ସହ ସଂଯୋଗ ସ୍ଥାପନା କରିବାକୁ କୁହାଯାଇଥିଲା । ଏହାବ୍ୟତୀତ ସମ୍ଭାବ୍ୟ ବିଦ୍ୟୁତ୍ ସଂଯୋଗ ଛିନ୍ନ ରୋକିବା ପାଇଁ ସମସ୍ତ ପୂଜା ମଣ୍ଡପରେ ଡିଜିର ବ୍ୟବସ୍ଥା କରିବାକୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା । କାଳୀପୂଜା ସମୟରେ ସାମାଜିକ ଗଣମାଧ୍ୟମର ଅପବ୍ୟବହାର କରାନଯିବାକୁ ଏସ୍ପି ଗୁରୁତ୍ୱ ଦେଇଥିଲେ । ଯଦି ଏହାର ବ୍ୟତିକ୍ରମ ହୁଏ, ତେବେ ପୋଲିସ୍ ପ୍ରଶାସନ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଇଦେଇଥିଲେ । ଏଥିପାଇଁ ଏକ ୨୪ ଘଂଟିଆ ସୋସିଆଲ ମିଡିଆ ସେଲ୍ କରାଯାଇଛି ।
ଏହି ପ୍ରସ୍ତୁତି ବୈଠକରେ ପୂଜା କମିଟି ମାନଙ୍କର ପ୍ରମୁଖ କର୍ମକର୍ତ୍ତା ସହ ହିନ୍ଦୁ ସୁରକ୍ଷା ସମିତିର ପ୍ରମୁଖ ବିଦ୍ୟାଧର ସାହୁ, ଶାନ୍ତି କମିଟିର ସଦସ୍ୟ ସୁଧାକର ରାଉତ, ଗୌରାଙ୍ଗ ପଣ୍ଡା, ଅତିଶ ବେହେରା, ମୁସଲିମ୍ ଜମାତର ନୌସାଦ, ସେକ୍ ରାଜୁ, ସେକ୍ ଉମର ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ । ଏହାସହ ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଂଶୁମାନ ଦ୍ୱିବେଦୀ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଡେପୁଟି କଲେକ୍ଟର (ବିଚାର ବିଭାଗ) କାର୍ତିକନାଥ ମଣ୍ଡଳ ଓ ତହସିଲଦାର ସଂଗ୍ରାମ ପ୍ରିୟଦର୍ଶୀ ଖୁଣ୍ଟିଆଙ୍କ ସମେତ ପୂର୍ତ, ଗ୍ରାମୀଣ ଉନ୍ନୟନ, ଜଳ ପରିମଳ ଓ ବିଦ୍ୟୁତ୍ ବିଭାଗ ସହ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।




