ଚଳନ୍ତା କାର୍ର ଫାଟିଲା ଚକ : ସମ୍ପୂର୍ଣ୍ଣ ଜଳିଗଲା ଗାଡ଼ି, ବଞ୍ଚିଗଲେ ଚାଳକ
Published By: Ruby – Prameya-News7 Bureau | October 10, 2025 12:39 PM
NEWS7
ବାରିପଦା ୧୦।୧୦: ରାସ୍ତାରେ ଜଳିଗଲା କାର୍ । ଗଛରେ ଧକ୍କା ଦେଇ ଜଳିଗଲା ସିଏନ୍ଜି କାର୍ । ଦୁର୍ଘଟଣା ଫଳରେ ଅଳ୍ପକେ ବର୍ତ୍ତିଗଲେ ଯୁବକ । ଗୁରୁବାର ବିଳମ୍ବିତ ରାତିରେ ଏଭଳି ଦୁର୍ଘଟଣା ଘଟିଛି । ମୟୁରଭଞ୍ଜ ଜିଲ୍ଲା ବାରିପଦା ସହର ତକତପୁର ରାଣୀବନ୍ଧ ଛକ ନିକଟରେ ଘଟିଛି ଏଭଳି ଦୁର୍ଘଟଣା । ଗୁରୁତର ଅବସ୍ଥାରେ ଚାଳକଙ୍କୁ କାର୍ରୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ଯୁବକ ଜଣଙ୍କ ଗୁରୁତର ଅବସ୍ଥାରେ ଏବେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ଗୁରୁତର ଯୁବକ ଜଣକ ହେଲେ ବାରିପଦା ସହର ତକତପୁର ଅଞ୍ଚଳର ଶୁଭମ୍ ବେହେରା ।
ସୂଚନାଯୋଗ୍ୟ ଯେ, ବାରିପଦା ତକତପୁର ଅଞ୍ଚଳର ଶୁଭମ୍ ବେହେରା ଗୁରୁବାର ରାତିରେ ନିଜ ସିଏନ୍ଜି କାର୍ ଯୋଗେ ଘରକୁ ଫେରୁଥିଲେ । ଦୁର୍ଭାଗ୍ୟ ବଶତଃ ରାଣୀବନ୍ଧ ଛକ ନିକଟରେ ତାଙ୍କ କାର୍ର ଟାୟାର ଫାଟିଯାଇଥିଲା । ଫଳରେ କାର୍ଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା । ଗଛରେ ପିଟି ହୋଇଯିବାରୁ ମାତ୍ର କିଛି ସମୟ ମଧ୍ୟରେ କାର୍ଟି ହୁତୁ ହୁତୁ ହୋଇ ଜଳିବାକୁ ଲାଗିଥିଲା । ତେବେ କାର୍ ଚାଳକ ଜୋର୍ରେ ପାଟି କରିବାକୁ ଲାଗିଥିଲେ । ତାଙ୍କ ପାଟି ଶୁଣି ନିକଟରେ ଉପସ୍ଥିତ ଥିବା ସ୍ଥାନୀୟ ଅଞ୍ଚଳର କିଛି ଯୁବକ ସାହସ ଦେଖାଇ କାର୍ ନିକଟକୁ ଯାଇଥିଲେ । ଜଳନ୍ତା କାର୍ରୁ ଯୁବକଙ୍କୁ ଉଦ୍ଧାର କରିଥିଲେ । ଯୁବକଙ୍କୁ ପ୍ରଥମେ ବାରିପଦା ମେଡିକାଲକୁ ନିଆଯାଇଥିଲେ । ସେଠାରେ ତାଙ୍କର ପ୍ରଥମିକ ଚିକିତ୍ସା ପରେ ତାଙ୍କୁ ଉତ୍ତମ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।




