ବେଙ୍ଗାଳୁରୁ ୨୧/୨: ମୃତ୍ୟୁ ପରେ ଅଙ୍ଗଦାନ କରିବା ଆମେ ଅନେକ ନଜିର ଦେଖିଛନ୍ତି କିନ୍ତୁ ବଂଚିଥିବାବେଳେ ଜଣେ ଜାଣିନଥିବା, ଚିହ୍ନି ନଥିବା ମଣିଷକୁ କିଡନୀ ପରି ଅମୂଲ୍ୟ ଅଙ୍ଗ ଦାନ କରିବା ବହୁତ କମ୍ । ଡାକ୍ତରଙ୍କୁ ସମସ୍ତେ ଦ୍ବିତୀୟ ଭଗବାନ ବୋଲି କହନ୍ତି । କିନ୍ତୁ ଏହି ବ୍ୟକ୍ତିଙ୍କୁ ପ୍ରକୃତ ଭଗବାନ ବୋଲି ସ୍ବୀକାର କରିବେ ସମସ୍ତେ । ଏହି ପ୍ରକୃତ ଭଗବାନ ଜଣକ ହେଲେ ଡାକ୍ତର । ସେ ଜଣେ ଅଜଣା ମହିଳାଙ୍କୁ କିଡନୀ ଦାନ କରିଛନ୍ତି । ବେଙ୍ଗାଳୁରୁ ମଣିପାଲ ହସ୍ପିଟାଲର ୫୯ ବର୍ଷୀୟ ଫେଟାଲ ମେଡିସିନ ସ୍ପେଶାଲିଷ୍ଟ ବା ଭ୍ରୁଣ ଚିକିତ୍ସା ବିଶେଷଜ୍ଞ ଡାକ୍ତର ଥାଙ୍କମ ସୁବ୍ରମଣ୍ୟମଙ୍କ କିଡ୍ନୀ ଲଗାଇ ନୂଆ ଜୀବନ ପାଇଛନ୍ତି ଆନ୍ଧ୍ରପ୍ରଦେଶର ୫୬ ବର୍ଷୀୟ ମହିଳା ସୁରେଖା । ଫେବ୍ରୁଆରୀ ୧୦ ତାରିଖରେ ସଫଳତାର ସହ କିଡ୍ନୀ ଟ୍ରାନ୍ସପ୍ଲାଣ୍ଟ ହୋଇସାରିଛି ।
ଡକ୍ଟର ଥାଙ୍କମ ୨୦୧୬ରୁ ପ୍ରାୟ ୧୦ ବର୍ଷ ଧରି କିଡନୀ ଦେବାକୁ ଚିନ୍ତା କରୁଥିଲେ ।ସେଥିପାଇଁ ସେ ଆବଶ୍ୟକୀୟ ଆଇନଗତ ଔପଚାରିକତା ପୂରଣ କରିବାରେ ଜଡିତ ଥିଲେ । ପ୍ରଥମେ ମଣିପାଲ ହସ୍ପିଟାଲର ଅଧ୍ୟକ୍ଷ ଡକ୍ଟର ଏଚ୍.ସୁଦର୍ଶନ ବଲ୍ଲାଲଙ୍କ ସହ ଯୋଗାଯୋଗ କରିଥିଲେ । ପରେ ହସ୍ପିଟାଲର ପ୍ରତିରୋପଣ ପ୍ରାଧିକରଣ କମିଟିଠାରୁ ଅନୁମୋଦନ ପାଇଥିଲେ ।ଅଙ୍ଗଦାନ କମିଟି ସହ ମଧ୍ୟ ବିଶେଷ ଆଲୋଚନା କରିଥିଲେ ।
୨୦୧୬ରୁ କ୍ରୋନିକ କିଡନୀ ରୋଗରେ ପୀଡିତ ଥିଲେ ସୁରେଖା । ୨୦୨୨୨ ଜୁଲାଇରୁ ଡାଏଲିସିସ ଚାଲିଥିଲା । ଧିରେ ଧିରେ ଶରୀର ଅସୁସ୍ଥ ହେବାରୁ କିଡନୀ ପ୍ରତ୍ୟାରୋପଣ ପାଇଁ ପରାମର୍ଶ ଦେଇଥିଲେ ଡାକ୍ତର । ଜଣେ ଡୋନର୍ ଅପେକ୍ଷାରେ ଥିଲେ ସୁରେଖା ଓ ତାଙ୍କ ପରିବାର । ଭାଗ୍ୟକୁ ଦେଖନ୍ତୁ ସୁରେଖାଙ୍କ ସହ ଡାକ୍ତର ଥାଙ୍କମଙ୍କ କିଡନୀ ମ୍ୟାଚ ହୋଇଗଲା ।
ଜଣେ ଅପରିଚିତ ଲୋକଙ୍କୁ କିଡନୀ ଦାନ କରିବାର ନିଷ୍ପତ୍ତି ପ୍ରଥମେ ତାଙ୍କ ପରିବାରକୁ ଆଶ୍ଚର୍ଯ୍ୟ କରିଥିଲା । ସେମାନେ ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ଅନ୍ୟ ଉପାୟ ବିଚାର କରିବାକୁ ବୁଝାଇ ଥିଲେ । କିନ୍ତୁ ନିଜ ନିଷ୍ପତ୍ତିରେ ଅଟଳ ଥିଲେ ଡାକ୍ତର ଥାଙ୍କମ୍ । ତାଙ୍କ ଶେଷ ନିଷ୍ପତ୍ତି ଶୁଣିବା ପରେ ସେମାନେ ଥାଙ୍କମଙ୍କୁ ସମର୍ଥନ କରିଥିଲେ । ଡାକ୍ତର ଥାଙ୍କମ ଆଇନଗତ ପ୍ରକ୍ରିୟାର ଅଂଶ ଭାବରେ ତାଙ୍କ ବାପା-ମାଆ ଓ ପରିବାର ସଦସ୍ୟଙ୍କ ଠାରୁ ନୋ-ଅବଜେକ୍ସନ ସାର୍ଟିଫିକେଟ୍ ପାଇଥିଲେ । ଜୁନ ୨୦୨୫ରେ ସେ କିଡନୀ ଦାନ ପାଇଁ ଅନୁମତି ପାଇଁ କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସେହିବର୍ଷ ନଭେମ୍ବରରେ ପ୍ରକ୍ରିୟାକୁ ଅନୁମତି ପାଇଁ ଦେଇଥିଲେ ନିର୍ଦ୍ଦେଶ । ସୁରେଖାଙ୍କ ପୁଅ ଭାରତ, ମାଆଙ୍କ ଜୀବନ ରକ୍ଷା ପାଇଁ ଡାକ୍ତର ଥାଙ୍କମଙ୍କୁ ଧନ୍ୟବାଦ ଜଣାଇଥିଲେ ।
ସେ ପ୍ରଥମେ ଫେବ୍ରୁଆରୀ ୭ ତାରିଖରେ କିଡନୀ ପ୍ରତ୍ୟାରୋପଣ ପ୍ରକ୍ରିୟା ଆରମ୍ଭ କରିବାକୁ ଚାହୁଁଥିଲେ । ଏହି ଦିନ ତାଙ୍କର ୫୯ ତମ ଜନ୍ମଦିନ ଥିଲା । କିନ୍ତୁ କୌଣସି କାରଣରୁ ଅପରେସନ ପାଇଁ ଡାକ୍ତରୀ ଟିମ୍ ଉପସ୍ଥିତ ରହିପାରିନଥିଲେ । ତେଣୁ ଅପରେସନକୁ ଫେବ୍ରୁଆରୀ ୧୦କୁ ଘୁଞ୍ଚାଇ ଦିଆଯାଇଥିଲା ।
ଡାକ୍ତର ଥାଙ୍କମ୍ ଗତ ୩୦ ବର୍ଷ ଧରି ବେଙ୍ଗାଲୁରୁରେ ରହୁଛନ୍ତି । ୟୁକେରେ ଉଚ୍ଚଶିକ୍ଷା ସମାପ୍ତ କରିଥିଲେ । ୨୦୦୫ରୁ ମଣିପାଲ ହସ୍ପିଟାଲରେ କାମ କରୁଛନ୍ତି । ୨୦୧୪ରେ ଅଙ୍ଗ ପ୍ରତିରୋପଣକୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ କିଡନୀ ଦାନ ପ୍ରତି ତାଙ୍କର ଆଗ୍ରହ ସୃଷ୍ଟି ହୋଇଥିଲା । ଯାହା ଏବେ ସଫଳ ହୋଇଛି । ଅପରେସନକୁ ଏବେ ସୁସ୍ଥ ଅଛନ୍ତି ଡାକ୍ତର ଥାଙ୍କମ୍ । ଗୋଟିଏ ମାସ ମଧ୍ୟରେ ହସ୍ପିଟାଲରେ ପୁଣି କାମ କରିବାକୁ ଯୋଜନା କରୁଛନ୍ତି । ମଣିପାଲ ହସ୍ପିଟାଲର ଅଧ୍ୟକ୍ଷ ଡାକ୍ତର ଏଚ୍.ସୁଦର୍ଶନ ବଲ୍ଲାର କହିଛନ୍ତି ଯେ ଡାକ୍ତର ଥାଙ୍କମଙ୍କ ସମାଜସେବା କାର୍ଯ୍ୟ ଉଲ୍ଲେଖନୀୟ । ସେ ଆହୁରି ମଧ୍ୟ କହିଛନ୍ତି ଯେ ପୂର୍ବରୁ ୟେମେନ ଏବଂ ଆଫଗାନିସ୍ତାନରେ ମଧ୍ୟ କାମ କରିସାରିଛନ୍ତି ଡାକ୍ତର ଥାଙ୍କ ।
ଏଇ ଖବର ବି ପଢନ୍ତୁ:UGCର ଚେତାବନୀ : ଦେଶରେ ୩୨ ବିଶ୍ୱବିଦ୍ୟାଳୟ ଫେକ୍, ରାଜଧାନୀରେ ସର୍ବାଧିକ




