ଗୁଳି କରି ବ୍ୟବସାୟୀଙ୍କଠାରୁ ହୀରା ଲୁଟ୍ ଘଟଣାରେ ଆଉ ୪ ଅଭିଯୁକ୍ତ ଗିରଫ, ପିସ୍ତଲ ସହ ଜୀବନ୍ତ ଗୁଳି ଜବତ

ଗୁଳି-କରି-ବ୍ୟବସାୟୀଙ୍କଠାରୁ-ହୀରା-ଲୁଟ୍-ଘଟଣାରେ-ଆଉ-୪-ଅଭିଯୁକ୍ତ-ଗିରଫ,-ପିସ୍ତଲ-ସହ-ଜୀବନ୍ତ-ଗୁଳି-ଜବତ

ବ୍ରହ୍ମପୁର: ଗୁଳି କରି ବ୍ୟବସାୟୀଙ୍କ ହୀରା ଲୁଟ୍ ଘଟଣାରେ ଆଉ ୪ ଅଭିଯୁକ୍ତଙ୍କୁ ଗିରଫ କଲା ବଡ଼ବଜାର ପୁଲିସ। ସେମାନଙ୍କ ଠାରୁ ପିସ୍ତଲ ସହ ଜୀବନ୍ତ ଗୁଳି ଜବତ ହୋଇଛି। ଏହା ସହ ଘଟଣାରେ ଗିରଫଙ୍କ ସଂଖ୍ୟା ୮କୁ ବୃଦ୍ଧି ହୋଇଛି। ଏମାନେ ପୁରୀ ନିକଟରେ ଲୁଚି ରହିଥିବାବେଳେ ପୁଲିସ ୪ ଜଣଙ୍କୁ ଧରିଥିବା ବ୍ରହ୍ମପୁର ଏସ୍‌ପି ସୂଚନା ଦେଇଛନ୍ତି।

ସୂଚନାଥାଉକି, ଅଗଷ୍ଟ ୫ ତାରିଖରେ ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗର ଲାଇନ ୫ରେ ବ୍ୟବସାୟୀ ବାଳକୃଷ୍ଣ ଆଚାରୀ ଓରଫ ରୁନା ଓ ଶଳା ସୁନିଲ ସାହୁଙ୍କୁ ଗୁଳି କରି ହୀରା ଲୁଟ୍ ହୋଇଥିଲା । ତେବେ ଅଭିଯୋଗ ପରେ ତଦନ୍ତ କରି ହୀରା ବିକ୍ରି କରିବାକୁ ମଧ୍ୟସ୍ଥି ଭୂମିକା ତୁଲାଇଥିବା ମଳୟ ଉପାଧ୍ୟାୟ, ଖଣ୍ଡଗିରି ଅଂଚଳର ସରୋଜ କୁମାର ମହାନ୍ତି, ଶେଖ୍ ରାଜୁ, ସାହିଲ ଖାନ୍‌ ପ୍ରମୁଖ ୪ ଜଣଙ୍କୁ ଗତ ୧୨ ତାରିଖରେ ଗିରଫ କରିଥିଲା ପୁଲିସ । 

ଆଉ ଏବେ ୪ ଜଣକୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ ଭୁବନେଶ୍ବରର ୩ ଜଣ ଓ ଜଣେ ବ୍ରହ୍ମପୁରର ରହିଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ପୁଲିସ ଗୋଟିଏ ପିସ୍ତଲ, ବୁଲେଟ ଗାଡ଼ି ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ସେମାନଙ୍କ ଠାରୁ ୩.୯ ଲକ୍ଷ ଟଙ୍କାର ହୀରା ପାଇଥିବା ପୁଲିସ ସୂଚନା ଦେଇଛି । 

ପୋଲିସର ସୂଚନା ଅନୁସାରେ ଘଟଣା ପରେ ଅଭିଯୁକ୍ତମାନେ ରାଜ୍ୟ ବାହାରକୁ ଚାଲିଯାଇଥିଲେ । ବର୍ତ୍ତମାନ ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଏସ୍‌ପି ସୂଚନା ଦେଇଛନ୍ତି।

Scroll to Top