ୱାଶିଂଟନ ଡିସି, ୨୭/୦୯: ଗାଜା କାମ ତମାମ କରାଯିବ । ସେଠାରେ ହମାସ ଆତଙ୍କୀଙ୍କୁ ନିପାତ କରାଯିବ ଏବଂ ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକ୍ତ କରାଯିବ । ଏହି କାର୍ଯ୍ୟ ଖୁବଶୀଘ୍ର ଶେଷ ହେବ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଆଜି ଜାତିସଂଘରେ ଏଭଳି ହୁଙ୍କାର ଦେଇଛନ୍ତି । ଜାତିସଂଘ ସାଧାରଣ ପରିଷଦ ଅଧିବେଶନକୁ ସମ୍ବୋଧନ କରି ନେତନ୍ୟାହୁ କହିଛନ୍ତି ଯେ, ପଣବନ୍ଦୀଙ୍କୁ ମୁକ୍ତ କରିବାକୁ ହମାସକୁ କହିଲୁ । ସେମାନେ ଶୁଣିଲେ ନାହିଁ । ଆମ ସେନା ସେଠାରେ ପ୍ରବେଶ କରିବେ ଓ ସମସ୍ତ ପଣବନ୍ଦୀଙ୍କୁ ମୁକ୍ତ କରିବେ । ଗତ ୧ ବର୍ଷ ଭିତରେ ସ୍ଥିତି ବଦଳିଯାଇଛି । ଇସ୍ରାଏଲ ତାର ସବୁ ଶତ୍ରୁଙ୍କୁ ନିପାତ କରିଛି ।
ୟେମେନରେ ହୁତି, ଗାଜାରେ ହମାସ, ଲେବାନନରେ ହିଜବୁଲ୍ଲା, ସିରିୟାରେ ଅସଦ ଏବଂ ସବୁଠାରୁ ବଡକଥା ହେଉଛି ଇରାନର ଆଣବିକ କାର୍ଯ୍ୟକ୍ରମକୁ ଧ୍ୱଂସ କରିଦିଆଯାଇଛି । ଏହି ଅବସରରେ ସେ ପାଲେଷ୍ଟାଇନକୁ ସ୍ୱତନ୍ତ୍ର ରାଷ୍ଟ୍ର ମାନ୍ୟତା ଦେଇଥିବା ଦେଶମାନଙ୍କୁ ସମାଲୋଚନା କରିଥିଲେ । କହିଥିଲେ ୯/୧୧ ଆକ୍ରମଣ ପରେ ନ୍ୟୁୟର୍କ ସିଟି ଠାରୁ ୧ ମାଇଲ ଦୂରରେ ଅଲ୍କାଏଦାକୁ ଏକ ରାଷ୍ଟ୍ର ଗଠନ କରିବାକୁ ଅନୁମତି ଦେବା ଯାହା ଅକ୍ଟୋବର ୭ ଗଣହତ୍ୟା ପରେ ହମାସକୁ ଇସ୍ରାଏଲ ସୀମା ଠାରୁ ୧ ମାଇଲ ଦୂରରେ ସ୍ୱତନ୍ତ୍ର ରାଷ୍ଟ୍ର ବନାଇବାକୁ ସ୍ୱୀକୃତି ଦେବା ସହ ସମାନ । ଅନ୍ୟପକ୍ଷରେ ନେତନ୍ୟାହୁଙ୍କୁ ଜାତିସଂଘରେ ବିରୋଧର ସାମ୍ନା କରିବାକୁ ପଡିଛି । ସେ ଭାଷଣ ଦେଉଥିବା ବେଳେ କିଛି ରାଷ୍ଟ୍ରର ପ୍ରତିନିଧି ନିଜ ଚୌକିରୁ ଉଠି ପଳାଇବା ଦେଖିବାକୁ ମିଳିଥିଲା । ଆଉ କିଛି ପ୍ରତିନିଧି ତାଙ୍କ ଭାଷଣକୁ ପ୍ରଶଂସା ମଧ୍ୟ କରିଥିଲେ ।
ଏହା ପୂର୍ବରୁ ନେତନ୍ୟାହୁ ରାସ୍ତା ବଦଳାଇ ୬୦୦ କି.ମି. ଅତିରିକ୍ତ ବାଟ ଅତିକ୍ରମ କରି ଜାତିସଂଘ ସାଧାରଣ ପରିଷଦ ଅଧିବେଶନରେ ଯୋଗଦେବାକୁ ନ୍ୟୁୟର୍କରେ ପହଞ୍ଚିଥିଲେ । ଆନ୍ତର୍ଜାତିକ ଅପରାଧିକ ନ୍ୟାୟାଳୟ (ଆଇସିସି) ପକ୍ଷରୁ ତାଙ୍କ ବିରୋଧରେ ଜାରି ଗିରଫ ପରୱାନାରୁ ବର୍ତ୍ତିବାକୁ ସେ ଏଭଳି କରିଛନ୍ତି । ତେଲ୍ ଆଭିଭରୁ ନ୍ୟୁୟର୍କ ଯିବା ଲାଗି ନେତନ୍ୟାହୁଙ୍କୁ ଅଧିକ ୨ ଘଣ୍ଟା ସମୟ ଲାଗିଥିଲା । ଫ୍ଲାଇଟ୍ ଟ୍ରାକିଂ ଡାଟା ଅନୁସାରେ ନେତନ୍ୟାହୁଙ୍କ ବିମାନ ଗ୍ରୀସ୍ ଓ ଇଟାଲୀ ବାୟୁସୀମା ଦେଇ ଅତିକ୍ରମ କରିଥିଲା । କିନ୍ତୁ ୟୁରୋପର ଅନ୍ୟ କୌଣସି ଦେଶ ଯେପରି ଫ୍ରାନ୍ସ, ସ୍ପେନ, ପର୍ତ୍ତୁଗାଲ, ଆୟର୍ଲାଣ୍ଡ ଓ ବ୍ରିଟେନର ବାୟୁସୀମାକୁ ଯାଇନଥିଲା ।
ସାଧାରଣତଃ ତେଲ୍ ଆଭିଭରୁ ନ୍ୟୁୟର୍କ ଯିବା ଲାଗି ୧୦-୧୧ ଘଣ୍ଟା ସମୟ ଲାଗେ । କିନ୍ତୁ ନେତନ୍ୟାହୁଙ୍କୁ ୧୩ ଘଣ୍ଟା ଲାଗିଥିଲା । ନେତନ୍ୟାହୁଙ୍କ ବିରୋଧରେ ଆଇସିସି ୨୦୨୪ରେ ଗିରଫ ପରୱାନା ଜାରି କରିଥିଲା । ଗାଜା ଆକ୍ରମଣ ଏବଂ ସେଠାରେ ଅନାହାରକୁ ଅସ୍ତ୍ର ଭାବେ ବ୍ୟବହାର କରିବା ନେଇ ଅଭିଯୋଗ ହୋଇଥିଲା । ନେତନ୍ୟାହୁ କୌଣସି ୟୁରୋପୀୟ ଦେଶର ବାୟୁସୀମା ଦେଇ ଯାଇଥିଲେ ସେଠାରେ ଅବତରଣ କରିବାକୁ ପଡିଥାନ୍ତା । ଆଇସିସି ନିୟମ ଅନୁସାରେ ସମ୍ପୃକ୍ତ ଦେଶ ତାଙ୍କୁ ଗିରଫ କରି ଆଇସିସିକୁ ହସ୍ତାନ୍ତର କରିଥାନ୍ତେ ।




