ଭୁବନେଶ୍ବର ୨୯।୧: ଜାରି ହୋଇଛି ସରକାରଙ୍କ ଗୁଟ୍ଖା ନିଷେଧ ଆଇନ । ଏହି ଆଇନକୁ କାର୍ଯ୍ୟକାରୀ ପାଇଁ ବିଏମସି ଦାୟିତ୍ଵ ନେଇଥିବା ବେଳେ ଭେଣ୍ଡିଂ ଜୋନ ଏବଂ ଓମ୍ଫେଡ ବୁଥ୍ରେ ଗୁଟ୍ଖା ବିକ୍ରି ଉପରେ ଲାଗିଛି କଟକଣା । କିନ୍ତୁ କିଛି ବ୍ୟବସାୟୀ ସରକାର ଓ ପ୍ରଶାସନର ଆଇନ କଟକଣାକୁ ଫୁ କରି ଉଡାଇ ଦେବା ସହ ମନଇଚ୍ଛା ଦରରେ ଗୁଟ୍ଖା ବିକୁଛନ୍ତି । ଏମିତି କି ଭେଣ୍ଡିଂ ଜୋନ୍ ଆଉ ଓମଫେଡ୍ ଷ୍ଟଲ୍ରେ ଗ୍ରାହକଙ୍କୁ ବିକୁଛନ୍ତି ଦୋକାନୀ । ପୂର୍ବରୁ ବିଭିନ୍ନ ଗୁଟ୍ଖା ଗୁଡ଼ିକ ସର୍ବାଧିକ ୫ ଟଙ୍କାରେ ମିଳୁଥିବା ବେଳେ ଏବେ କିଏ ୭ ଟଙ୍କା ତ ଆଉ କିଏ ୮ ଟଙ୍କା ନେଉଛି ।
ଭେଣ୍ଡିଂ ଜୋନ୍ ଓ ଓମ୍ଫେଡ ବୁଥ୍ ଗୁଡିକରେ ଗୁଟ୍ଖା ବିକ୍ରି ବାରଣ ନିଷ୍ପତ୍ତି ପ୍ରସଙ୍ଗରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ କଡ଼ା ଚେତାବନୀ ଦେଇଛନ୍ତି । ପ୍ରଥମେ ସଚେତନ କରାଯିବ ଏବଂ ପରେ ଗୁଟଖା ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଖଣ୍ଡଗିରି ମାଘ ମେଳା ପରେ ଭୁବନେଶ୍ୱରରେ ବିଏମସି ପକ୍ଷରୁ ଜୋରଦାର ଚେକିଂ ହେବ । ଏମିତିକି ଗୁଟଖା ବିକ୍ରି କରି ଧରାପଡ଼ିଲେ ଲାଇସେନ୍ସ ବାତିଲ କରାଯିବ ବୋଲି ଚେତାବନୀ ଦେଇଛନ୍ତି । କିନ୍ତୁ ପ୍ରଥମ ପର୍ଯ୍ୟାୟରେ ନୋଟିସ୍ ଓ ଫାଇନ୍ ସହ କାର୍ଯ୍ୟାନୁଷ୍ଠାନ ନିଆଯିବ । ଭୁବନେଶ୍ୱରର ୩ଟି ଜୋନ୍ରେ ଚଢାଉ ଜୋରଦାର କରାଯିବ ।
ଏପଟେ ଗୁଟଖା ବ୍ୟାନ୍ ସହ ପ୍ରଶାସନର କଡ଼ା ନିୟମ ଆଉ ସେପଟେ ଲୁଚାଛପାରେ ବିକ୍ରି ସହ ହେଉଛି କଳାବଜାରୀ । ଦୁଇଦିନ ତଳେ ଗୋଟିଏ ବିଲ୍ଡର୍ସ ଅଫିସ୍ରେ ଠାବ ହୋଇଥିଲା ଗୁଟ୍ଖା ଗୋଦାମ । ତେବେ ଆଗକୁ କେମିତି ସହରରେ ଗୁଟ୍ଖା ସମ୍ପୂର୍ଣ୍ଣ ବନ୍ଦ ହେବ ଆଉ ବିଏମ୍ସି ନେଇଥିବା ଦୟିତ୍ୱକୁ କେମିତି ତୁଲାଇବ ତାହା ଉପରେ ସମସ୍ତଙ୍କ ନଜର ।




