ଭୁବନେଶ୍ବର ୨୦।୯: କ୍ୟାବ୍ ଡ୍ରାଇଭରଙ୍କୁ ଅପହରଣ ପରେ ହତ୍ୟା । ଭୁବନେଶ୍ବର ଚନ୍ଦକା ଥାନା ଅଂଚଳରୁ କାର୍ ସହ ମିଳିଲା ମୃତଦେହ । ମୃତକ ହେଲେ ଖୋର୍ଦ୍ଧା ବାଣପୁର ଅରାଙ୍ଗ ଗାଁର ବିଦ୍ୟାଧର ସାହୁ । ଗତ ୧୫ ତାରିଖରେ ଗାଡ଼ି ଧରି ଘରକୁ ଫେରିନଥିଲେ ବିଦ୍ୟାଧର । ସ୍ତ୍ରୀଙ୍କୁ ଫୋନ୍ କରି କହିଥିଲେ ତୁମେ ଖାଇଦିଅ, ମୁଁ ପଛରେ ଯିବି । ହେଲେ ସେଦିନ ଆଉ ଘରକୁ ଫେରିନଥିଲେ ବିଦ୍ୟାଧର । ୧୬ ତାରିଖ ସଂଧ୍ୟାରେ ପୁଣି ସ୍ତ୍ରୀଙ୍କୁ ଫୋନ୍ କରିଥିଲେ ବିଦ୍ୟାଧର । କହିଥିଲେ, ଯାଜପୁର ଭଡ଼ା ମିଳିଥିବାରୁ ସେ ଯାଉଛନ୍ତି । ୧୬ ରାତି ୯ଟାରେ ବିଦ୍ୟାଧରଙ୍କ କାର୍ ମଙ୍ଗୁଳି ଟୋଲ ଗେଟ୍ ପାର୍ କରିଥିବା ଫାସ୍ଟ୍ୟାଗ୍ ମେସେଜରୁ ଜଣାପଡ଼ିଥିଲା । ସେହିଭଳି ୧୭ ତାରିଖ ସକାଳ ୬ଟାରେ ପୁଣି ସେହି ମଙ୍ଗୁଳି ଟୋଲଗେଟ୍ କ୍ରସ୍ କରିଛି ବିଦ୍ୟାଧରଙ୍କ କାର୍ । ଅର୍ଥାତ୍ ସେ ୧୭ ତାରିଖ ସକାଳୁ ଯାଜପୁରରୁ ଭୁବନେଶ୍ବର ଫେରିଥିବା ଅନୁମାନ କରାଯାଉଛି । ବିଦ୍ୟାଧରଙ୍କ ସାନଭାଇଙ୍କ ମୋବାଇଲକୁ ଆସିଥିବା ଫାସଟ୍ୟାଗ୍ ମେସେଜରୁ ଏହା ସ୍ପଷ୍ଟ ହୋଇଛି ।
ତେବେ ୧୭ ତାରିଖ ଦିନ ବିଦ୍ୟାଧର ଘରକୁ ନଫେରିବାରୁ ସନ୍ଦେହ କରିଥିଲେ ପରିବାର ଲୋକ । ଆଉ ବଡ଼ଗଡ଼ ଥାନାରେ ଏନେଇ ଅଭିଯୋଗ କରିଥିଲେ । ତେବେ ଗତ ଦୁଇ ଦିନ ହେଲା କୌଣସି ଏକ ଅଜଣା ନମ୍ବରରୁ ବିଦ୍ୟାଧରଙ୍କ ପରିବାର ପାଖକୁ ଲଗାତର ଫୋନ୍ ଆସୁଥିଲା । ବିଦ୍ୟାଧରଙ୍କ ବଦଳରେ ୨ କୋଟି ଟଙ୍କା ଦାବି କରୁଥିଲେ ଅପହରଣକାରୀ । ଆଉ ଶନିବାର ସକାଳେ ଚନ୍ଦକା ରାସ୍ତାରେ ବିଦ୍ୟାଧରଙ୍କ କାର୍ ଠିଆ ହୋଇଥିବା ଦେଖିଥିଲେ ତାଙ୍କ ଗାଁର ଜଣେ ଡ୍ରାଇଭର । ସେଠାରେ ସେ ଅଟକି ଦେଖିବା ବେଳକୁ ରାସ୍ତାକଡ଼ ବୁଦା ମୂଳେ ପଡ଼ିଥିଲା ବିଦ୍ୟାଧରଙ୍କ ମୃତଦେହ । ଏହା ପରେ ପିସିଆର୍ ଭ୍ୟାନ୍ ଓ ବିଦ୍ୟାଧରଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ ସମ୍ପୃକ୍ତ ଡ୍ରାଇଭର ଜଣକ ।
ଘଟଣାସ୍ଥଳରେ ବଡ଼ଗଡ଼ ଓ ଚନ୍ଦକା ଥାନା ପୋଲିସ ସହ ପହଞ୍ଚିଥିଲା ସାଇଣ୍ଟିଫିକ୍ ଟିମ୍ । ବିଦ୍ୟାଧରଙ୍କ ବେକରେ ଏକ ଧଳା ଗାମୁଛା ଗୁଡ଼ାଇ ହୋଇ ରହିଥିବା ଦେଖିବାକୁ ମିଳିଥିଲା । ଏଥିସହ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ମଧ୍ୟ ରହିଛି । ପାଖ ରାସ୍ତାରେ ଏକ କଳା ରଙ୍ଗର ଛତା ଓ ଏକ ମନିପର୍ସ ପଡ଼ିଥିବା ମଧ୍ୟ ଦେଖିବାକୁ ମିଳିଛି । ପୋଲିସ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇବା ସହ ତଦନ୍ତ ଜାରି ରଖିଛି ।
କିଏ ଓ କାହିଁକି ବିଦ୍ୟାଧରଙ୍କୁ ଅପହରଣ କରି ହତ୍ୟା କରିଛି ତାକୁ ନେଇ ପୋଲିସ ଖୋଳତାଡ଼ ଚଳାଇଛି । ସେପଟେ ଆଉ ଏହି ଘଟଣାର ଆଉ ଏକ ଦିଗ ମଧ୍ୟ ସାମ୍ନାକୁ ଆସିଛି । ଚାକିରି କରାଇଦେବାକୁ କହି ବିଦ୍ୟାଧର କିଛି ଲୋକଙ୍କ ଠାରୁ ଟଙ୍କା ନେଇଥିବା କୁହାଯାଉଛି ।




