ନୂଆଦିଲ୍ଲୀ ୧୩।୧୦: ବିହାର ବିଧାନସଭା ନିର୍ବାଚନ ୨୦୨୫ ପୂର୍ବରୁ ଲାଲୁଙ୍କ ପରିବାରକୁ ବଡ଼ ଝଟକା ଲାଗିଛି। ରାଉଜ ଏଭେନ୍ୟୁ କୋର୍ଟ ସୋମବାର କଥିତ ଆଇଆରସିଟିସି ହୋଟେଲ ଦୁର୍ନୀତି ମାମଲାରେ ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡୀ ଦେବୀ, ଆରଜେଡି ନେତା ତେଜସ୍ୱୀ ଯାଦବ ଓ ଅନ୍ୟଙ୍କ ବିରୋଧରେ ଅଭିଯୋଗ ସାବ୍ୟସ୍ତ କରିଛନ୍ତି। କୋର୍ଟଙ୍କ ରାୟ ପରେ ଆରଜେଡି ନେତା ତେଜସ୍ୱୀ ଯାଦବ କହିଛନ୍ତି ଯେ ଆମେ ଶେଷ ପର୍ଯ୍ୟନ୍ତ କେସ୍ ଲଢିବୁ।
ଏହା ପୂର୍ବରୁ ସେ ଗତ କିଛି ଦିନ ହେଲା କହି ଆସୁଥିଲେ ଯେ ନିର୍ବାଚନ ପାଖେଇ ଆସୁଛି, ଏଣୁ ଏ ସବୁ ହେବାର ଥିଲା। ସ୍ୱତନ୍ତ୍ର ସିବିଆଇ କୋର୍ଟ ଅଲଗା ଅଲଗା ଧାରାରେ ଅଭିଯୋଗ ନିର୍ଦ୍ଧାରଣ କରିଛନ୍ତି। ଶୁଣାଣି ପରେ ଆରଜେଡି ନେତା ତେଜସ୍ୱୀ ଯାଦବ ଗଣମାଧ୍ୟମ ସହ ଆଲୋଚନାରେ ଏହା ସାଧାରଣ କୋର୍ଟ ପ୍ରକ୍ରିୟା ଥିଲା ବୋଲି କହିଛନ୍ତି। କୋର୍ଟ ଆଜି ଆମକୁ ଉପସ୍ଥିତ ରହିବାକୁ କହିଥିଲେ ଏଣୁ ଆମେ କୋର୍ଟରେ ହାଜର ହୋଇଥିଲୁ। ଆମେ କେସ୍ ଲଢିବୁ, କିଛି ଦିନ ହେଲା ମୁଁ କହି ଆସୁଥିଲି ନିର୍ବାଚନ ପାଖଉଛି ଏପରି ହେବ। ଏହା ସତ୍ତ୍ୱେ ଆମେ କୋର୍ଟଙ୍କୁ ସମ୍ମାନ କରି କହିବାକୁ ଚାହିଁବି ଯେ ଆମେ ସବୁବେଳେ ଲଢେଇ କରିଆସୁଛୁ ଓ ଆଗକୁ ବି ଲଢିବୁ।
ସେ କହିଛନ୍ତି ଯେ ଆମେ ସର୍ବଦା ସଂଘର୍ଷର ରାସ୍ତାକୁ ବାଛିଥାଉ, ତେବେ ବିହାରର ଜନତା ଜାଣନ୍ତି କଣ ହେଉଛି। ସେ ତାଙ୍କ ପିତା ଲାଲୁ ପ୍ରସାଦଙ୍କ ପକ୍ଷ ରଖି କହିଛନ୍ତି ଯେ ଏହା ସବୁ ରାଜନୈତିକ ପ୍ରତିଶୋଧ ପରାୟଣ ଭାବନାରେ ହେଉଛି। ଯେଉଁ ବ୍ୟକ୍ତି ଭାରତୀୟ ରେଳକୁ ୯୦,୦୦୦ କୋଟି ଟଙ୍କାର ଲାଭ ଦେଇଥିଲା, ଯିଏ ସବୁ ବଜେଟରେ ସବୁବେଳେ ରେଳ ଭଡ଼ା ହ୍ରାସ କରୁଥିଲେ, ଯାହାକୁ ଦେଶର ଐତିହାସିକ ରେଳମନ୍ତ୍ରୀ ରୂପେ ଜଣାଯାଏ ତାଙ୍କ ବିରୋଧରେ ଅଭିଯୋଗ ଅମୂଳକ। ତେବେ ବିହାର ଓ ଦେଶର ଜନତା ସତ୍ୟତା କଣ ସବୁ ଜାଣନ୍ତି। ଆମେ ଯେଉଁ ପର୍ଯ୍ୟନ୍ତ ଜୀବିତ ଥିବୁ ବିଜେପି ବିରୋଧରେ ଲଢୁଥିବୁ ବୋଲି ତେଜସ୍ୱୀ କହିଛନ୍ତି।




