ଜୟପୁର: ରାଖୀ ପୂର୍ଣ୍ଣିମାରେ ସୁଭଦ୍ରା ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ତୃତୀୟ କିସ୍ତି ଟଙ୍କା । ଶନିବାର ଜୟପୁରରେ ସୁଭଦ୍ରାର ତୃତୀୟ କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ପୂର୍ବରୁ ୨ ଦିନିଆ କୋଟିଆ ଗସ୍ତରେ ଅଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ସରକାର କୋଟିଆରେ ପହଞ୍ଚିବେ । ଆପଣଙ୍କ ପାଖକୁ ସଚିବାଳୟ ଆସିବ । ୨ ହଜାର ୭୮ ଜଣ ମହିଳା କୋଟିଆରେ ସୁଭଦ୍ରା ପାଇଁ ଆବେଦନ କରିଥିଲେ । ୧୮୦୦ ଜଣ ୨ଟି କିସ୍ତି ପାଇଛନ୍ତି । କାଲି ଆଉ ପାଖାପାଖି ୨୪୦ ଜଣ ଏକକାଳୀନ ୩ଟି କିସ୍ତି ପାଇବେ । ଅର୍ଥାତ ଏକକାଳୀନ ୧୫ ହଜାର ଟଙ୍କା ଲେଖାଏଁ ପାଇବେ ।
ପମୁଖ୍ୟମନ୍ତ୍ରୀ କହିଛନ୍ତି ମହିଳା ଏସଏଚଜିଙ୍କୁ ୧୦ ଲକ୍ଷ ଟଙ୍କା ଋଣ ବିନା ସୁଧରେ ସରକାର ଦେବେ । ଏବଂ ଏକ କୋଟି ମହିଳାଙ୍କୁ କାଲି ତୃତୀୟ କିସ୍ତି ଦିଆଯିବ । ଏଥିପାଇଁ ୫ ହଜାର କୋଟି ଖର୍ଚ୍ଚ ହେବ । ସୁଭଦ୍ରା ଟଙ୍କା ସମସ୍ତେ ପାଇବେ ଏବଂ କୌଣସି ମଧ୍ୟସ୍ଥି ପ୍ରତିବନ୍ଧକ ସାଜି ପାରିବନି । କୋଟିଆ ପାଇଁ ନୂଆ ରୋଡ ମ୍ୟାପ୍ ତିଆରି କରାଯିବ ବୋଲି ସେଠାରେ ପହଞ୍ଚି ଏମିତି ଘୋଷଣା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ । ଲକ୍ଷପତି ଦିଦି ଓ ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଉତ୍ପାଦନ ବିକ୍ରି ଓ ପ୍ରକ୍ରିୟାକରଣ ବ୍ୟବସ୍ଥା କରାଯିବ । ଏନେଇ ଜୟପୁରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ବୋଲି ସେ କହିଛନ୍ତି ।
ଉପମୁଖ୍ୟମନ୍ତ୍ରୀଙ୍କ ସହ କୋରାପୁଟ ଗସ୍ତରେ ଅଛନ୍ତ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ନିତ୍ୟାନନ୍ଦ ଗଣ୍ଡ। ପାଖରେ ଉପ ମୁଖ୍ୟମନ୍ତ୍ରୀଙ୍କୁ ପାଇ ଉତ୍ସାହିତ ସ୍ଥାନୀୟ ଲୋକ । ବାଦ୍ୟଯନ୍ତ୍ର ସହ ନାଚଗୀତରେ ଉପମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ ମହିଳା । ଶନିବାର ମୁଖ୍ୟମନ୍ତ୍ରୀଙ୍କ ସହ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଓ ମନ୍ତ୍ରିମଣ୍ଡଳର ଅନେକ ସଦସ୍ୟ ପହଞ୍ଚିବେ । ମୁଖ୍ୟମନ୍ତ୍ରୀ ୨ ଦିନ କୋରାପୁଟରେ ରହି ବିଭିନ୍ନ ଯୋଜନାର ସମୀକ୍ଷା କରିବେ । ଏଥିପାଇଁ ଜୟପୁରରେ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।




