ସମ୍ବଲପୁର ୨୩।୧୦: ଟଙ୍କା ନେଇ ମିଛ ଚାକିରି ଦେଲେ । କୋଟି କୋଟି ଟଙ୍କା ହଡପ କଲେ । କେବଳ ମିଛ ଚାକିରି ନୁହେଁ ମିଛ କାମ ଦେଇ ୧୮୦୦ ଲୋକଙ୍କ ଠାରୁ ଲୁଟ୍ କରିଛନ୍ତି ୨ କୋଟି ଟଙ୍କା । ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ RMAX ନାମକ ଏକ ଭୂତ କମ୍ପାନୀ ଖୋଲି ୧୮୦୦ ଲୋକଙ୍କୁ ସଫେଇ କର୍ମଚାରୀ ନିଯୁକ୍ତି ଦେବା ସହ ଜଣଙ୍କ ପିଛା ୧୨୦୦୦ ଟଙ୍କା ଲେଖାଏଁ ଲୁଟ୍ କରିଛନ୍ତି । ସେପଟେ ସେମାନଙ୍କୁ ରାତି ୨.୩୦ରେ ୩ ଘଣ୍ଟା ଲେଖାଏଁ ସଫେଇ କାମ ଦେଇ ସନ୍ଦେହ ଦୂର କରି ପ୍ରାଥମିକ ଭାବେ ୧୫ ଦିନରେ କିଛି ଦରମା ଦେଇଥିଲା ଭୂତ କମ୍ପାନୀ । ହେଲେ କମ୍ପାନୀର ନା ଥିଲା ଅଫିସ୍ ନା ଥିଲେ କର୍ମଚାରୀ । ନିଯୁକ୍ତି ପାଇଥିବା ସଫେଇ କର୍ମଚୀରୀଙ୍କୁ ଢାଲ କରି ଲୋକ ଯୋଗାଡ କରି ଟଙ୍କା ଲୁଟ୍ କରିଥିଲେ ।
ତେବେ ଅଭିଯୋଗ ପରେ ଦୁଇ ଜଣଙ୍କୁ ଗିରଫ କରିଛି ବୁର୍ଲା ପୋଲିସ l ଅଭିଯୁକ୍ତଙ୍କ ଠାରୁ ୬୨ ଲକ୍ଷ ଟଙ୍କା ଜବତ କରିବା ସହ ମିଛ ବା ଭୂତ କମ୍ପୀନୀର ପର୍ଦ୍ଦାଫାଶ କରିଛି । ଏମାନେ ବରଗଡ, ସମ୍ବଲପୁର, ସୋନପୁର ଓ ବୌଦ୍ଧ ଜିଲ୍ଲାରେ ନିଜର ନେଟଓ୍ବର୍କ ଚଲାଇଥିବା ଏସ୍ପି କହିଛନ୍ତି । ତେବେ ବୁର୍ଲା ପୋଲିସ ଅଭିଯୋଗ ଆଧାରରେ ରାହୁଲ ରାଏ ଓ ପଦ୍ମାଳୟା ତାଣ୍ଡି ନାମକ ୨ ଜଣଙ୍କୁ ଗିରଫ କରିଛି । ତେବେ ଏହି ନେଟଓ୍ବର୍କରେ ଆଉ କିଏ କିଏ ସାମିଲ ଅଛନ୍ତି ତାର ମଧ୍ୟ ପର୍ଦ୍ଦାଫାଶ କରାଯିବ ବୋଲି ଏସ୍ପି କହିଛନ୍ତି ।
ଘଟଣା ପରେ ଗତକାଲି ବୁର୍ଲା ଥାନା ଘେରାଉ କରିଥିଲେ ଠକେଇର ଶିକାର ହୋଇଥିବା ଲୋକେ । ଏପରିକି ଗିରଫ ରାହୁଲ ନୀରିହ ଓ ତାଙ୍କୁ ଛାଡି ଦିଆଯାଉ ବୋଲି ପୋଲିସ ପାଖରେ ଦାବି କରିଥିଲେ । ତେବେ ଗୁରୁବାର ଏସ୍ପିଙ୍କ ପ୍ରେସମିଟ୍ ପରେ ଏସ୍ପି ଅଫିସ୍ ନିକଟରେ ଠକେଇର ଶିକାର ହୋଇଥିବା ଶହ ଶହ ଯୁବକ, ଯୁବତୀ, ମହିଳା ଏକାଠି ହୋଇ ତାଙ୍କ ପଇସା ଫେରାଇବାକୁ ଦାବି କରିଛନ୍ତି । ତେବେ ପୋଲିସ ପ୍ରଶାସନ ତାଙ୍କୁ ବୁଝାସୁଝା କରିଛନ୍ତି ।




